ସାଥୀ ବାଛିବାର ନିଆରା ଯାତ୍ରା…ଲକ୍ଷ୍ମୀପୁରର ଫୁଲ ଯାତ୍ରା

ଲକ୍ଷ୍ମୀପୁର: ସାଥୀ ବାଛିବାର ଏକ ନିଆରା ପାରମ୍ପରିକ ଯାତ୍ରା କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଆଦିମ ଜନଜାତି କୁଇ ସମ୍ପ୍ରଦାୟର ଫୁଲ ଯାତ୍ରା। ଏହି ଯାତ୍ରା ଦୀପାବଳି ଯିବାର ସପ୍ତାହକ ପରେ ପଡୁଥିବା ଶନିବାର ଅନୁଷ୍ଠିତ ହୁଏ। ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ବିରିଗୁଡା ନିକଟବର୍ତ୍ତୀ ଏକ ଆମ୍ବ ତୋଟାରେ କାହିଁ କେଉଁ କାଳରୁ ଅନୁଷ୍ଠିତ ହୋଇଆସୁଛି। ବିଶେଷ କରି କୁଇ ସମ୍ପ୍ରଦାୟର ଲୋକମାନେ ଏହି ଯାତ୍ରା ପାଳନ କରି ଥାନ୍ତି। ଯାତ୍ରାରେ ବିଭିନ୍ନ ରକମର ଘର କରଣା ସାମଗ୍ରୀ ସହ ଲିଆ ଖଜା, ଶିମିଳି କନ୍ଦା ନିହାତି ଉପଲବ୍ଧ ହୋଇଥାଏ। ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି କନିଆଁ ଝିକା। ଆଦିବାସୀ ଯୁବକ ଯୁବତୀ ଯେଉଁ ମାନେ ଗାଁ ଗାଁରେ ଏପରିକି ଗୋଟିଏ ଗାଁର ଯୁୁୁବକ ମାନେ ମିଶି ଅନ୍ୟ ଅନ୍ୟ ଏକ ଗାଁକୁ ଯାଇଥାନ୍ତି ଧୁନ୍ଦୁଣି ଗାଇବା ପାଇଁ। ସେହିଠାରୁ ହିଁ ସେମାନେ ଜୀବନସାଥି ବାଛିଥା’ନ୍ତି। ଏପରିକି ମନ ଦିଆନିିଆ ହୋଇ କେତେକଙ୍କ ଘର ଲୋକମାନେ ତାହାକୁ ସ୍ବୀକୃତି ଦେଇଥାନ୍ତି ତ ଆଉ କେହି କେହି ତାହାକୁ ବିରୋଧ କରିଥା’ନ୍ତି। ଏହି କ୍ଷେତ୍ରରେ ସେମାନେ ପୂର୍ବରୁ ସଲାସୁତୁରା ହୋଇଥା’ନ୍ତି। ଯାତ୍ରା ଦେଖିବାକୁ ଆସୁଥିବା ଯୁବତୀକୁ ଭଲ ପାଉଥିବା ଯୁବକଙ୍କ ସାଙ୍ଗ ମାନେ ସୁଯୋଗ ଦେଖି ସେଠାରୁ ଝିକିି ନିଅନ୍ତି। ଯେଉଁଥିପାଇଁ ଏହି ଯାତ୍ରାକୁୁ କନିଆଁ ଝିକା ଯାତ୍ରା ବୋଲି କୁୁହାଯାଏ।

ଏହାଛଡ଼ା କେହି କେହି ପୁର୍ବରୁ ଏକ ତରଫା ଭଲ ପାଇ ବସିଥା’ନ୍ତି। ସେମାନେ ଏହି ଯାତ୍ରାକୁ ଅପେକ୍ଷା କରି ରହିଥା’ନ୍ତି। ଯୁବତୀ ଜଣକ ସାଥୀ ମେଳରେ ଯାତ୍ରା ଦେଖିବାକୁ ଆସୁଥିବା ବେଳେ ପୁର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଯୁବକର ସାଙ୍ଗଙ୍କ ସହଯୋଗରେ ସୁଯୋଗ ଦେଖି ଝିକି ନିଅନ୍ତି। ସେହି ଯୁବତୀଙ୍କୁ ନେଇ ଯୁବକଙ୍କ ଗାଁରେ ଏକ ଘରେ ରଖନ୍ତି। ଯେଉଁଠାରେ କି ଗାଁର ଯୁବତୀମାନେ ତାକୁ ଜଗିବା ସହ ଗପସପ କରି ମନ କିଣିବାକୁ ଚେଷ୍ଟା କରିଥାନ୍ତି। ତା’ ଛଡ଼ା ଯୁବତୀ ଜଣକ ପରିବାର ଲୋକଙ୍କ ସହ ଆଲୋଚନା ହୋଇଥାଏ। ପ୍ରାୟ ସପ୍ତାହେ ଧରି ଏପରି ଭାବେ ରଖାଯାଇଥାଏ। ଏହି ସମୟ ମଧ୍ୟରେ ଯଦି ଯୁବତୀ ଜଣକ ମନ ବଦଳେ ଅବା ବିବାହ ପାଇଁ ସମ୍ମତି ମିଳେ ତା’ ହେଲେ ସମ୍ପୃକ୍ତ ଯୁବକଙ୍କ ସହ ତା’ ର ବାହାଘର ହୋଇଥାଏ। ନତୁବା ତାଙ୍କ ଗ୍ରାମର ମୁରବି ତୁଲ୍ୟ ଲୋକଙ୍କୁ ଡାକି ତାଙ୍କ ଜିମା ଦିଆଯାଇ ବାହୁଡ଼ାଇ ଦିଆଯାଇଥାଏ। ପୂର୍ବରୁ ଏହି ଯାତ୍ରାରେ ବହୁ ସଂଖ୍ୟାରେ କନିଆଁ ଝିକା ଏପରିକି ଇଛା ବିରୋଧରେ ଏପରି କନିଆଁ ଝିକା ସମୟରେ ମାରପିଟ ସହ ଗଣ୍ଡଗୋଳର ସୂତ୍ରପାତ ହୋଇଥାଏ। ଯେଉଁଥିପାଇଁ ସ୍ଥାନୀୟ ପୁଲିସ ପକ୍ଷରୁ ଆଇନଶୃଙ୍ଖଳା ପାଇଁ ବନ୍ଦୋବସ୍ତ କରାଯାଇଥାଏ। ଏହି ଯାତ୍ରା ଦେଖିବାକୁ ଅବିଭକ୍ତ କୋରାପୁଟ ଜିଲାର କାଶୀପୁର ସମେତ ରାୟଗଡ଼ା, ଦଶମନ୍ତପୁର, ନାରାୟଣପାଟଣା, ବନ୍ଧୁଗାଁ ଆଦି ଅଞ୍ଚଳରୁ ଲୋକମାନେ ପିଲା ଛୁଆ ଧରି ଯାତ୍ରା ଦେଖିବାକୁ ଆସିଥା’ନ୍ତି। ଏହି ଯାତ୍ରା କାହିଁ କେଉଁ କାଳରୁ ଏହି ଆମ୍ବତୋଟା ନିକଟରେ ଅନୁଷ୍ଠିତ ହୋଇଆସୁଛି। ଯାତ୍ରା ଦିନ ବିରିଗୁଡା ଗ୍ରାମର ଯାନୀଙ୍କ ଘରୁ ଏକ ପ୍ରଜ୍ବଳିତ ଦ୍ବୀପ ଗୁଡି ନିକଟକୁ ଶୋଭାଯାତ୍ରାରେ ଅଣାଯାଇଥାଏ। ଏଠାରେ ବେଜୁଣୀ ଯାନୀଙ୍କ ଦ୍ବାରା ପୂଜା ନଡିଆ, କଦଳି ଭୋଗ ସହ ଛେଳି କୁକୁଡା ବଳି ଦିଆଯାଏ। ପୂର୍ବରୁ ଏହି ଯାତ୍ରାରେ ବହୁସଂଖ୍ୟକ କନିଆଁ ଝିକା ହେଉଥିଲା। ତେବେ ଚଳିତ ବର୍ଷ ସେ ସମ୍ପର୍କରେ କିଛି ସୂଚନା ମିଳିନାହିଁ। କୋଭିଡ କଟକଣା ଥିଲେ ମଧ୍ୟ ଯାତ୍ରାରେ ତାର କିଛି ପ୍ରଭାବ ପଡ଼ିନାହିଁ। ଏ ସମ୍ପର୍କରେ ପୁଲିସ ପାଖରେ କୌଣସି ସୂଚନା ନ ଥିବା ଜଣାଯାଇଛି।

Comments are closed.