କୋଭିଡ ଡ୍ୟୁଟିରେ ଡାକ୍ତର : ରୋଗୀ ହନ୍ତସନ୍ତ

କଲମପୁର : କରୋନାର କଲବଲ ଏବେ ଚରମ ସୀମାରେ। ଏଭଳି ସ୍ଥିତିରେ କରୋନା ଯୋଦ୍ଧା ବୋଲାଉଥିବା ଡାକ୍ତର ଏହାର ନିୟନ୍ତ୍ରଣ ପାଇଁ ରାତି ଦିନ ଲୋକଙ୍କ ସେବାରେ। ବିଶେଷ ଭାବେ ପ୍ରଭାବିତ ଗଞ୍ଜାମ ଜିଲାର କରୋନା ସଂକ୍ରମଣର ନିୟନ୍ତ୍ରଣ ପାଇଁ କେ.ବି.କେ ଅଂଚଳରୁ ଶତାଧିକ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ଦୀର୍ଘ ୫ ମାସ ହେଲା କଳାହାଣ୍ଡି ଜିଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁର୍ବେଦିକ ଓ ହୋମିଓ ପ୍ୟାଥି ଡାକ୍ତରଙ୍କୁ ନିୟୋଜିତ କରାଯାଇଥିବା ଯୋଗୁଁ କଳାହାଣ୍ଡିର ଅଧିକ ସ୍ୱାସ୍ଥ୍ୟକେନ୍ଦ୍ର ଅଚଳ ହୋଇ ପଡିଛି। ଦୂର ଦୂରାନ୍ତରୁ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଡାକ୍ତର ନଥିବାରୁ ନିରାଶ ହୋଇ ଫେରୁଛନ୍ତି। କିନ୍ତୁ ଜିଲା ପ୍ରଶାସନ ଅଥବା ରାଜ୍ୟ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ କଳାହାଣ୍ଡି ଜିଲାର ସ୍ୱାସ୍ଥ୍ୟ ସେବା ଏବେ ଭୁଷୁଡିବାରେ ଲାଗିଛି। କେ.ବି.କେ ଅଂଚଳର ବିଭିନ୍ନ ରାଜନୈତିକ ଦଳ ତରଫରୁ ଗଞ୍ଜାମରେ ଡାକ୍ତର ନିୟୋଜନ ନେଇ ପ୍ରତିବାଦ କରିଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେଇ ନାହାଁନ୍ତି। ଯାହାର ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି।
କଳାହାଣ୍ଡି ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ପଛୁଆ ଅଂଚଳ। ଆବଶ୍ୟକ ସଂଖ୍ୟକ ଡାକ୍ତର ଅଭାବ ଥିବା ସ​‌େ​‌ତ୍ତ୍ବ ଏହି ଅଂଚଳରୁ କିଛି ଡାକ୍ତରଙ୍କୁ ଗଞ୍ଜାମ ଜିଲାରେ ମାସ ମାସ ଧରି ନିୟୋଜିତ କରିବା କଳାହାଣ୍ଡି ଲୋକଙ୍କ ପ୍ରତି ବୈମାତୃକ ମନୋଭାବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ବର୍ତ୍ତମାନ ବର୍ଷା ଋତୁ ଏହି ସମୟରେ କଳାହାଣ୍ଡି ଜିଲାର ଅଗମ୍ୟ ଅଂଚଳ କୁହାଯାଉଥିବା ଥୁଆମୁଳ ରାମପୁର, ଲାଞ୍ଜିଗଡ, କଲମପୁର, ଜୟପାଟଣା, କୋକସରା ଆଦି ଅଂଚଳରେ ଝାଡା ବାନ୍ତି ରୋଗ ସମେତ ମ୍ୟାଲେରିଆ ଜ୍ୱରର ପ୍ରକୋପ ବୃଦ୍ଧି ପାଇଥାଏ। ଅଗମ୍ୟ ଅଂଚଳର ଅନେକ ଲୋକ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ହେଇ ମୃତ୍ୟୁ ମୁଖରେ ପଡିଥିବାର ବହୁ ନଜିର ରହିଛି। ବର୍ତ୍ତମାନ କଳାହାଣ୍ଡିରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେଣୁ ତୁରନ୍ତ କଳାହାଣ୍ଡି ଜିଲାର ଡାକ୍ତରଙ୍କୁ କଳାହାଣ୍ଡି ଜିଲାକୁ ଫେରାଇ ଦେବାକୁ ସାଧାରଣରେ ଦାବି ହେଉଛି।

Comments are closed.