ପାଞ୍ଚ ହଜାର ସ୍ଥାନରେ ବିକ୍ଷୋଭ ଯୋଜନା କରିଛି ପିଏଫ୍‌ଆଇ

ନୂଆଦିଲ୍ଲୀ : ସଂଶୋଧିତ ନାଗରିକତ୍ବ ଆଇନ (ସିଏଏ), ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନ୍‌ଆରସି) ଓ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର) ନବୀକରଣ ବିରୋଧରେ ଆନ୍ଦୋଳନ ଚଳାଇଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫ୍‌ଆଇ) ଦେଶର ୫ହଜାର ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଯୋଜନା କରିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି। ରିପୋର୍ଟ ଅନୁଯାୟୀ, ପିଏଫ୍‌ଆଇର ରାଜନୈତିକ ସଂଗଠନ ‘ଏସ୍‌ଡିପିଆଇ’ ସିଏଏ ସହିତ ସମ୍ପ୍ରତି ଏନ୍‌ପିଆର ବିରୋଧରେ ଦେଶବ୍ୟାପୀ ଅଭିଯାନ ଚଳାଇଛି। ‘କାଗଜ ନେହିଁ ଦିଖାଏଙ୍ଗେ’ ନାମରେ ଏହା ସରକାରୀ ଅଧିକାରୀଙ୍କୁ କୌଣସି ନଥିପତ୍ର ନ ଦେଖାଇବାକୁ ନାଗରିକଙ୍କୁ ଘରଘର ବୁଲି ପରାମର୍ଶ ଦେଉଛି। ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ ପରେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶରେ ମୁସଲମାନମାନେ ସରକାରୀ ଅଧିକାରୀଙ୍କୁ କାଗଜପତ୍ର ଦେଖାଉ ନ ଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶରେ ସିଏଏ ବିରୋଧୀ ହିଂସାତ୍ମକ ପ୍ରତିବାଦରେ ପ୍ରମୁଖ ଭୂମିକା ନିଭାଇଥିବା ପିଏଫ୍‌ଆଇକୁ ନିଷିଦ୍ଧ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ନିବେଦନ କରିବା ସହ ଏହାର ଶତାଧିକ ସଦସ୍ୟଙ୍କୁ ଗିରଫ କରି ଜେଲ୍‌ରେ ଭର୍ତ୍ତି କରିଛନ୍ତି।

Comments are closed.