ରାମ ମନ୍ଦିର ଶିଳାନ୍ୟାସ ବନ୍ଦ ପାଇଁ ଦାୟର ପିଟିସନ ଅଗ୍ରାହ୍ୟ

ପ୍ରୟାଗରାଜ : ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଶିଳାନ୍ୟାସ ଉତ୍ସବ ବନ୍ଦ କରିବାକୁ ଦାୟର ଏକ ଜନସ୍ୱାର୍ଥ ମାମଲାକୁ ଆହ୍ଲାବାଦ ହାଇକୋର୍ଟ ଶୁକ୍ରବାର ଅଗ୍ରାହ୍ୟ କରିଦେଇଛନ୍ତି। ମୁମ୍ବଇସ୍ଥିତ ସାମାଜିକ କର୍ମୀ ସାକେତ ଗୋଖଲେ ଏହି ପିଆଇଏଲ ଦାୟର କରିଥିଲେ। କରୋନା କଟକଣା ପାଇଁ ରାମ ମନ୍ଦିର ଭୂମିପୂଜା କାର୍ଯ୍ୟକ୍ରମ ବନ୍ଦ କରିବାକୁ ସେ ନିବେଦନ କରିଥିଲେ। କରୋନା ପାଇଁ କେନ୍ଦ୍ର ସରକାର କଟକଣା ଜାରି କରିଥିବାବେଳେ ରାମମନ୍ଦିର ଶିଳାନ୍ୟାସ ଉତ୍ସବରେ ଏହି କଟକଣା ଉଲ୍ଲଙ୍ଘନ ହେବାର ଆଶଙ୍କା ରହିଛି। କାରଣ ଉତ୍ସବ ପାଇଁ ୩୦୦ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ତେଣୁ ଏପରି ଆଶଙ୍କାକୁ ଏଡାଇବା ପାଇଁ ଶିଳାନ୍ୟାସ ଉତ୍ସବକୁ ଅନୁମତି ଦିଆ ନଯାଉ। ତେବେ ହାଇକୋର୍ଟ ଏପରି ପିଟିସନକୁ ଅଗ୍ରାହ୍ୟ କରିଥିବାବେଳେ ଉତ୍ସବରେ ସାମାଜିକ ଦୂରତା ପାଳନକୁ ନିଶିତ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଅଗଷ୍ଟ ୫ରେ ରାମ ମନ୍ଦିର ଶିଳାନ୍ୟାସ ହେବାକୁ ଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ।

Comments are closed.