‘ପିଲାମାନେ ସ୍ବପ୍ନ ଦେଖନ୍ତୁ, ସ୍ବପ୍ନକୁ ସାକାର ପାଇଁ କାର୍ଯ୍ୟ କରନ୍ତୁ’

୩୧ ତମ ପିକକ୍ ଶିଶୁମେଳା ଉଦଯାପିତ

ଭୁବନେଶ୍ବର: ଡିଜିଟାଲ ମଞ୍ଚରେ ସାତଦିନ ଧରି ଚାଲିଥିବା ୩୧ ତମ ପିକକ୍ ଶିଶୁମେଳାର ଆଜିଥିଲା ଅନ୍ତିମ ଦିବସ। ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ପିକକ୍ ଶିଶୁମେଳାର ଏହି ମଞ୍ଚ ଏକ ଉତ୍ତମ ମାଧ୍ୟମ ରୂପେ କାର୍ଯ୍ୟ କରିଥିଲା। ସାତଦିନ ବ୍ୟାପୀ ଚାଲିଥିବା ଶିଶୁମେଳାରେ ଓଡିଶା ତଥା ଓଡିଶା ବାହାରର ବିଭିନ୍ନ ରାଜ୍ୟର ବହୁ ପ୍ରତିଭାବାନ ପିଲାମାନେ ନିଜର ପ୍ରତିଭାର ପରିଚୟ ଦେଇଥିଲେ।
ଆଜି ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ପିପୁଲସ କଲ୍‌ଚରାଲ୍‌ ସେଣ୍ଟର(ପିକକ୍) ଶିଶୁମେଳା ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ବୀରକିଶୋର ମିଶ୍ର କହିଲେ ଯେ ପିଲାମାନେ ସ୍ୱପ୍ନ ଦେଖିବା ସହିତ ଏହି ସ୍ୱପ୍ନକୁ ସାକାର କରିବା ନିମନ୍ତେ କାର୍ଯ୍ୟ କରିବା ଉଚିତ୍। ସମ୍ମାନିତ ଅତିଥିଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ନିଜର ବକ୍ତବ୍ୟରେ ପିଲାମାନଙ୍କୁ ନିଜର ପିତାମାତାଙ୍କ ପ୍ରତି କୃତଜ୍ଞ ରହିବାକୁ ପରାମର୍ଶ ଦେଇଥିଲେ ଏବଂ ପିତାମାତା ମାନେ ମଧ୍ୟ ପିଲାମାନଙ୍କର ଇଚ୍ଛା ଓ ରୁଚିକୁ ସମ୍ମାନ ଦେବା ଉଚିତ ବୋଲି ସେ କହିଥିଲେ। ପିଲାମାନଙ୍କୁ ସାହସୀ ଓ ସତ୍ୟ ନିଷ୍ଠ ହେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ପ୍ରସିଦ୍ଧ ଚଳଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ ତାଙ୍କ ବକ୍ତବ୍ୟରେ ପିଲାମାନଙ୍କ ଉପଯୁକ୍ତ ପୋଷଣ ଓ ଲାଳନ ପାଳନ ଉପରେ ଗୁରୁତ୍ୱ ଦେଇଥିଲେ। ରାଜ୍ୟ ଭିନ୍ନକ୍ଷମ ଆୟୋଗର କମିଶନର ସୁଲୋଚନା ଦାଶ କହିଲେ ଯେ ପିଲା ମାନଙ୍କୁ ଏହି କରୋନା ପରି ପରିସ୍ଥିତିରେ ସୁରକ୍ଷିତ ରଖି ତାଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ପିତାମାତା ଓ ଅଭିଭାବକମାନେ ଯତ୍ନବାନ ହେବା ଉଚିତ୍‍ । ରାଜ୍ୟ ସରକାର ଙ୍କର ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କୋଭିଡ ମହାମାରୀ ପରି ପରିସ୍ଥିତିରେ ସମସ୍ତଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ।
ଶିଶୁମେଳା କମିଟିର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତ୍ବରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ପିକକ୍‌ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ସ୍ଵାଗତ ଭାଷଣ ଦେଇଥିଲେ। ପିକକ୍‌ର ଅଧକ୍ଷା ମିନାକ୍ଷୀ ପଣ୍ଡା କୋଭିଡ ପରବର୍ତ୍ତି ସମୟରେ ଶିଶୁ ମାନଙ୍କ ସୁରକ୍ଷାକୁ ନେଇ ବିସ୍ତାରିତ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ଅଛି ବୋଲି କହିଥିଲେ ଓ ପିକକ୍‍ ର କାର୍ଯ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ସାତଦିନ ବ୍ୟାପି ଡିଜିଟାଲ ମଞ୍ଚରେ ଚାଲିଥିବା ଶିଶୁ ମେଳାରେ ବିଭିନ୍ନ ଦିବସରେ ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା.ସରୋଜିନୀ ଷଡ଼ଙ୍ଗୀ, ଦାନ୍ତ ବିଶେଷଜ୍ଞ ଡା.ସ୍ୱରୂପ ମହାନ୍ତି ଓ ଶିଶୁ ଓ ମହିଳା ବିକାଶର ପରାମର୍ଶଦାତ୍ରୀ ମଧୁମିତା ଦାସ ପ୍ରମୁଖ ବିଭିନ୍ନ ବିଷୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ବହୁ ପ୍ରତିଭାବାନ ଶିଶୁଙ୍କୁ ସମ୍ମାନିତ କରଯାଇଥିଲା । କେନ୍ଦ୍ରାପଡା ର ପୁର୍ଣ୍ଣିମା ଗିରିଙ୍କୁ ସାହସିକତା ପାଇଁ ବାଜିରାଉତ ସ୍ମାରକୀ ସମ୍ମାନ ୨୦୨୦, ଫୁଲନଖରାର ମୁଗଭଙ୍ଗା ଗ୍ରାମର ଲୋରିସ୍ମିତା ଦଲାଇଙ୍କୁ ସମାଜ ସେବା ପାଇଁ ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ ୨୦୨୦, ଭୁବନେଶ୍ୱର ର ଆଦର୍ଶ ଦାସଙ୍କୁ ପ୍ରଫୁଲ୍ଲ ଚନ୍ଦ୍ର ଦାସ ଶିଶୁ ପ୍ରତିଭା ସମ୍ମାନ ୨୦୨୦, ଖୋର୍ଦ୍ଧା ର ଶିଶୁ ଅଭିନେତ୍ରୀ ଆୟୁଷା ପଟ୍ଟନାୟକଙ୍କୁ ଡ. ଶରତ ପୂଜାରୀ ସ୍ମାରକୀ ସମ୍ମାନ ୨୦୨୦, ବଳିଷ୍ଠ ନେତୃତ୍ୱ ତଥା ସମାଜ ପରିବର୍ତ୍ତନକାରୀ କୋରାପୁଟର ଚଞ୍ଚଳା ପୁଜାରୀଙ୍କୁ ଆଦରମଣୀ ବରାଳ ସ୍ମାରକୀ ସମ୍ମାନ ୨୦୨୦ରେ ସମ୍ମାନିତ କରଯାଇଥିଲା।
ସେହିପରି ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରଯାଇଥିଲା। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କାଳିଚରଣ ଜୟସିଂହଙ୍କୁ ଅବନୀ ବରାଳ ସ୍ମାରକୀ ସମ୍ମାନ ୨୦୨୦, ସମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ପପୁ ମହାନ୍ତି ଙ୍କୁ ସ୍ୱରୂପ ଜେନା ସ୍ମାରକୀ ସମ୍ମାନ ୨୦୨୦, ଡ. ରଜନୀ ରଞ୍ଜନ ଦାଶଙ୍କୁ ଶିଶୁ ସାଥି ସମ୍ମାନ ୨୦୨୦, ସ୍ନେହ ମିଶ୍ର ଙ୍କୁ ସମାଜସେବା ପାଇଁ ଡ.ପ୍ରଫୁଲ୍ଲଚନ୍ଦ୍ର ଦାସ ଶିଶୁ ଅଧିକାର ସୁରକ୍ଷା ସମ୍ମାନ ୨୦୨୦ ତଥା ମହିଳା ପଞ୍ଚାୟତ ପ୍ରତିନିଧି ଓ ଭିଙ୍ଗାରପୁରର ସରପଞ୍ଚ ଜୟଶ୍ରୀ ନାୟକଙ୍କୁ ଆରାଧନା ନନ୍ଦ ସ୍ମାରକୀ ସମ୍ମାନ ୨୦୨୦, ସୁଶ୍ରୀ ଶୈଲାନୀ ସୁମନଙ୍କୁ କୋଭିଡ ସମୟରେ ଟେକ୍ନୋଲୋଜି ସହାୟତା ପାଇଁ ସର୍ବୋକୃଷ୍ଠ ସ୍ୱେଛାସେବୀ ସମ୍ମାନରେ ସମ୍ମାନିତ କରଯାଇଥିଲା।
ବିଭିନ୍ନ ସନ୍ଧ୍ୟାରେ ଆସାମ୍, ଓଡିଶା ଓ ମଣିପୁର ପିଲାମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାସ୍କୃତିକ କାର୍ୟ୍ୟକ୍ରମର ପରିବେଷଣ କରାଯାଇଥିଲା। ପିକକ୍ ର ରତ୍ନା ଦାଶ, ପାଣୁ ବେହେରା, ଡଃ ସୁମିତ୍ରା ମହାନ୍ତି, ମୋନାଲିସା ପାତ୍ର, ଜ୍ୟୋତିଶଙ୍କର ମହାନ୍ତି, ଉପମା ମହାନ୍ତି, ଧର୍ମାନନ୍ଦ ସୁନ୍ଦରରାୟ, ଡଃ ମିତାଲି ମହନ୍ତି, ବିଶ୍ୱଜିତ, ସତ୍ୟସୁନ୍ଦର, ଦେବାଶିଷ, ଅତିଷ୍ନୁ, ପ୍ରିତମ୍, ଶାସ୍ୱତୀ ପ୍ରମୁଖ ପରିଚାଳନା କରିଥିଲେ।

Comments are closed.