୩୭ତମ ଦିନରେ ଚାଷୀ ଆନ୍ଦୋଳନ : ଆନ୍ଦୋଳନରତ ୬୦ ବର୍ଷିୟ କୃଷକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଗୋଟିଏ ପଟେ ଦେଶ ଆଜି ନୂଆ ବର୍ଷକୁ ସ୍ବାଗତ କରୁଥିବା ବେଳେ ଅନ୍ୟପଟେ ଦେଶର ଜଣେ ଅନ୍ନଦାତା ଆତ୍ମବଳି ଦେଇଛନ୍ତି। କୁହୁଡି ଏବଂ ଥଣ୍ଡା ଯୋଗୁଁ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏଭଳି ଥଣ୍ଡା ସତ୍ତ୍ୱେ ଦେଶର ଅନ୍ନଦାତାମାନେ ସେମାନଙ୍କର ଆନ୍ଦୋଳନ ଜାରି ରଖିଛନ୍ତି। ସେମାନଙ୍କର ଆନ୍ଦୋଳନ ୩୭ତମ ଦିନରେ ପହଞ୍ଚିଛି । ହାଡ ଭଙ୍ଗା ଶୀତରେ ଲୋକେ ବିଛଣାରୁ ବାହାରକୁ ଯିବାକୁ ଇଚ୍ଛା କରୁ ନଥିବା ବେଳେ ଚାଷୀମାନେ ସେମାନଙ୍କର ଦାବି ପୂରଣ କରିବା ପାଇଁ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ରହିଛନ୍ତି । ସରକାର ତିନୋଟି ଚାଷୀ ମାରଣା ନିୟମକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସେମାନେ ଜିଦ୍ରେ ଅଟଳ ରହିଛନ୍ତି। କୃଷକ ଆନ୍ଦୋଳନ ହେତୁ ଦିଲ୍ଲୀର ଅନେକ ସୀମା ଏବଂ ମାର୍ଗ ବନ୍ଦ ରହିଛି। ଏହାରି ମଧ୍ୟରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଆନ୍ଦୋଳନରେ ସାମିଲ ଥିବା ଜଣେ ୬୦ ବର୍ଷିୟ କୃଷକଙ୍କ ମୃତ୍ୟୁ ହୋଇଛି।
ଗାଜିପୁର ସୀମାରେ କୃଷକ ଗାଲତାନ ସିଂଙ୍କ ମୃତ୍ୟୁ ପରେ ଅନ୍ନଦାତାମାନଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ଏହି ବଳିଦାନକୁ ବୃଥା ଯିବାକୁ ଦିଆଯିବ ନାହିଁ ବୋଲି କୃଷକ ନେତାମାନେ କହିଛନ୍ତି। ସୀମାରେ ପୁଲିସ ସୁରକ୍ଷାକୁ ମଧ୍ୟ ବୃଦ୍ଧି କରାଯାଇଛି।
କଂଗ୍ରେସ ନେତାମାନେ ମଧ୍ୟ ଜନ୍ତରମନ୍ତରରେ କୃଷି ନିୟମକୁ ବିରୋଧ କରି ନୂଆ ବର୍ଷ ପାଳନ କରିଥିଲେ। ଏହି ସମୟରେ ମୃତ କୃଷକଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ୟୁପି ଫାଟକରେ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ମୃତଦେହକୁ ମଞ୍ଚ ସମ୍ମୁଖରେ ରଖାଯାଥିଲା। ଅନ୍ୟ କୃଷକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। କୃଷକ ଆନ୍ଦୋଳନ ସମୟରେ ଗାଜିପୁର ସୀମାରେ ପ୍ରଥମ ଶହୀଦ।
कृषि कानूनों के खिलाफ दिल्ली-यूपी बॉर्डर(गाज़ीपुर बॉर्डर) पर किसानों का विरोध प्रदर्शन आज 35वें दिन भी जारी है। #FarmersProtests pic.twitter.com/L9uf3G4NuU
— ANI_HindiNews (@AHindinews) January 1, 2021
ସୂଚନାଯୋଗ୍ୟ, ୟୁପି ଫାଟକରେ କୃଷକ ଆନ୍ଦୋଳନରେ ଜଡିତ ଥିବା ବାଗପାଟସ୍ଥିତ ଭଗବାନ୍ପୁରର ୬୦ ବର୍ଷିୟ ଗାଲତ ସିଂ ପାନୱାରଙ୍କର ଆଜି ସକାଳେ ଦେହାନ୍ତ ହୋଇଥିଲା। ଏକ ଘରୋଇ ଡାକ୍ତରଖାନା ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିଛି ସମୟ ପରେ ମୃତଦେହକୁ ୟୁପି ଫାଟକକୁ ଅଣାଯାଇଥିଲା। ତାଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି।