ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଜାମିନ ନାମଞ୍ଜୁର

ଭୁବନେଶ୍ବର : ବେହିସାବ ସମ୍ପତ୍ତି ମାମଲାରେ ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ଜାମିନ ଆବେଦନକୁ ଜିଲା ଦୌରାଜଜ ଖାରଜ କରିଛନ୍ତି। ବ୍ଲାକମେଲ କରିବା ଅଭିଯୋଗରେ କମିସନରେଟ ପୁଲିସ ଦମ୍ପତିଙ୍କୁ ଗିରଫ କରିଥିଲା। ତାଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଘଟଣାର ଖୋଳତାଡ଼ କରିଥିଲା। ଏନେଇ ଇଡି ଅର୍ଚ୍ଚନା, ଜଗବନ୍ଧୁ ତାଙ୍କ ସହଯୋଗୀ ଖଗେଶ୍ବର ଓ ଶ୍ରଦ୍ଧାଞ୍ଜଳି ନାମରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଦମ୍ପତି ଜାମିନ ଆବେଦନ କରିଥିବାବେଳେ ତାଙ୍କ ଆବେଦନକୁ ଅଦାଲତ ଖାରଜ କରିଥିବା ଜଣାପଡ଼ିଛି।
ମଞ୍ଚେଶ୍ବର ଥାନା ଅଧୀନ ସତ୍ୟବିହାରରେ ଅର୍ଚ୍ଚନା ରହୁଥିଲା। ବଡ଼ବଡ଼ିଆଙ୍କୁ ବ୍ଲାକମେଲ କରି ୪ ବର୍ଷ ମଧ୍ୟରେ ସେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିଲା। ଫିଲ୍ମ ପ୍ରଯୋଜକଙ୍କୁ ବ୍ଲାକମେଲ କରିବା ପରେ ତା’ କାରନାମା ପଦାକୁ ଆସିଥିଲା। ସହଯୋଗୀ ଶ୍ରଦ୍ଧାଞ୍ଜଳି ଅଭିଯୋଗରେ ଖଣ୍ଡଗିରି ପୁଲିସ ଅର୍ଚ୍ଚନାକୁ ଗିରଫ କରିଥିଲା। ପରେ ସ୍ବାମୀ ଜଗବନ୍ଧୁକୁ ମଧ୍ୟ ଗିରଫ
କରିଥିଲା। ଏହି ମାମଲାରେ ଅର୍ଚ୍ଚନାର ସମ୍ପତ୍ତିକୁ ନେଇ ଇଡି ଖୋଳତାଡ ଆରମ୍ଭ କରିଥିଲା। ପ୍ରଥମ ପର୍ଯ୍ୟାୟରେ ଇଡି ଅର୍ଚ୍ଚନା ଘର ସମେତ ତାଙ୍କ ସହଯୋଗୀଙ୍କ ଘରେ ଚଢ଼ଉ କରିବା ସହ ଖଗେଶ୍ବରକୁ ଗିରଫ କରିଥିଲା। କିଛି ଦିନ ତଳେ ଇଡି ଏହି ମାମଲାରେ ପ୍ରାଥମିକ ଅଭିଯୋଗ ଫର୍ଦ (ଚାର୍ଜସିଟ) ଦାଖଲ କରିଥିଲା। ଅର୍ଚ୍ଚନା, ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ବର, ଶ୍ରଦ୍ଧାଞ୍ଜଳିକୁ ଇଡି ଅଭିଯୁକ୍ତ ଦର୍ଶାଇଥିଲା।

Comments are closed.