“ଦରଦାମ ବୃଦ୍ଧି” ମୋଦି-ନବୀନ ପ୍ରାୟୋଜିତ

ମମିତା ମେହେର ହତ୍ୟା ପ୍ରସଙ୍ଗକୁ ଚପାଇ ଦେବାକୁ ମୁଖ୍ୟମନ୍ତ୍ରୀ ଆପ୍ରାଣ ଉଦ୍ୟମ କରୁଛନ୍ତି : ତାରା ପ୍ରସାଦ ବାହିନୀ ପତି

ଭୁବନେଶ୍ୱର :  କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତଥା କଂଗ୍ରେସ ମୁଖପାତ୍ର ତାରା ପ୍ରସାଦ ବାହିନୀପତି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଦରଦାମ ବୃଦ୍ଧି ଏବଂ ମମିତା ମେହେର ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କୁଚିଣ୍ଡା ଗସ୍ତ ସମୟରେ ମମିତା ମେହର ହତ୍ୟାକାଣ୍ଡ ପ୍ରସଙ୍ଗରେ କୁଚିଣ୍ଡା ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିରୋଧ କରୁଥିବା ବେଳେ ବିଜେଡ଼ି ଗୁଣ୍ଡାମାନେ ପୁଲିସ ଉପସ୍ଥିତିରେ କୁଚିଣ୍ଡା ଯୁବ କଂଗ୍ରେସ ସଭାପତିଙ୍କୁ ଯେଉଁ ମରଣାନ୍ତକ ଆକ୍ରମଣ କଲେ ତାହାକୁ ଶ୍ରୀ ବାହିନୀପତି ତୀବ୍ର ନିନ୍ଦା କରିବା ସହ ଏ ରାଜ୍ୟର ଗଣତନ୍ତ୍ରର ହତ୍ୟା ହୋଇଛି ବୋଲି କହିଛନ୍ତି। ସେ କହିଥିଲେ ପୁଲିସ୍ ଡିଜିପି ଶ୍ରୀ ଅଭୟ ନିଜ ଦାୟୀତ୍ୱ ନିର୍ବାହ କରିବାରେ ଅକ୍ଷମ। ଏଣୁ ସେ ଚାକିରୀରୁ ଇସ୍ତଫା ଦେଇ ତୁରନ୍ତ ବିଶ୍ରାମ ଗ୍ରହଣ କରନ୍ତୁ । ଜଣେ ପାଂଚଥର ମୁଖ୍ୟମନ୍ତ୍ରୀଙ୍କର ହୀନମନ୍ୟତାକୁ ଶ୍ରୀ ବାହିନୀପତି ତୀବ୍ର ନିନ୍ଦା କରିଥିଲେ ।
ନବୀନ ବାବୁଙ୍କର “ମା’କୁ ସମ୍ମାନ” ଆହ୍ୱାନ ଏକ ପ୍ରତାରଣା ବୋଲି ସେ କହିଥିଲେ । ଏ ରାଜ୍ୟରେ ଦିନକୁ ୭ଜଣ ମହିଳା ଦୁଷ୍ମର୍ମର ଶୀକାର ହେଉଥିବା ବେଳେ ବର୍ଷରେ ମାତ୍ର ଦୁଇଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ନବୀନ ବାବୁ ଅପରାଧି ମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । ଦିବ୍ୟଶଙ୍କର ମିଶ୍ର ନବୀନ ବାବୁଙ୍କ ବାହୁଛାୟା ତଳେ ସୁରକ୍ଷିତ । ସେ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଦିବ୍ୟଶଙ୍କରଙ୍କର ବହିଷ୍କାର ଓ ଗିରଫ ଦାବି କରିବା ସହ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଇସ୍ତଫା ଦାବି କରିଛନ୍ତି । ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରା ପରିଚାଳିତ ଏସଆଇଟି ତଦନ୍ତ ଘଟଣାର ଅନୁସନ୍ଧାନ କରୁ ବୋଲି ସେ କହିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପାପକୁ ଲୁଚାଇବା ପାଇଁ କେବଳ ମୁଖ୍ୟମନ୍ତ୍ରୀ ନୁହେଁ ଏବେ ବିଜେଡ଼ିର ଶିଖରୁ ନଖ ପର୍ଯ୍ୟନ୍ତ ସମସ୍ତେ ଲାଗି ପଡି ଛନ୍ତି । ମାତ୍ର କଂଗ୍ରେସ ଦଳ ଦୋଷୀକୁ ଦଣ୍ଡ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ ।
ସେହିପରି ଆଜିର ଅନିୟନ୍ତ୍ରିତ ଦରଦାମ ପ୍ରସଙ୍ଗ ସଂପର୍କରେ ଶ୍ରୀ ବାହିନୀ ପତି କହିଛନ୍ତି ଯେ ଏହା ମୋଦି-ନବୀନ ସରକାରର ପ୍ରାୟୋଜିତ ପରିସ୍ଥିତି । ଦୁହେଁ ସାଧାରଣ ଜନତାର ରକ୍ତ ଶୋଷଣ କରୁଛନ୍ତି । ଲୋକେ ଦରଦାମର ଯନ୍ତ୍ରଣାରରେ ଛଟପଟ ହେଉଥିବା ବେଳେ ଦୁଇ ସରକାର ଅତ୍ୟାବଶକୀୟ ସାମଗ୍ରୀ, ତୈଳ, ରନ୍ଧନ ଗ୍ୟାସର ଦର ଦିନକୁ ଦିନ ବଢାଇଚାଲିଛନ୍ତି।
ମନମୋହନ ସିଂ ସରକାରରେ ଅଶୌଧିତ ତୈଳଦର ଆର୍ନ୍ତଜାତୀକ ବଜାରରେ ବ୍ୟାରେଲ ପିଛା ୧୧୦ ଡଲାର ଥିବା ବେଳେ ଭାରତରେ ପେଟ୍ରୋଲ ଡର ଲିଟର ପିଛା ୬୩ ଟଙ୍କା ଡିଜେଲ ଦର ୫୨ ଟଙ୍କାରେ ମିଳୁଥିଲା ଏବଂ ରନ୍ଧନଗ୍ୟାସ ଟାଙ୍କି ପିଛା ୪୦୦ ଟଙ୍କାରେ ମିଳୁଥିଲା । ଏବେ ମୋଦୀ ସରକାର ଅମଳରେ ଆର୍ନ୍ତଜାତୀକ ବଜାରରେ ଅଶୌଧିତ ତୈଳଦର ବ୍ୟାରେଲ ପିଛା ୩୫ ରୁ ୮୦ ଡଲାର ମଧ୍ୟରେ ଥିବାବେଳ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କା ପାର ହୋଇଥିବା ବେଳେ ରନ୍ଧନଗ୍ୟାସ ଟଙ୍କା ପିଛା ୧୦୦୦ ଟଙ୍କାରେ ପଂହଚିଛି । ଆଜି ଖାଇବା ତେଲ ଲିଟର ପିଛା ତିନିଗୁଣା ବଢ଼ିଛି, ସେହିପରି ଭାବରେ ଅଟା, ଡାଲି ଠାରୁ ଆରମ୍ଭ କରି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଦର ଆଜି ଆକାଶଛୁଆଁ ।  ଆଗାମୀ ଦିନରେ ବିଶେଷ କରି ଦରଦାମ ଓ ଆଇନଶୃଙ୍ଖଳା ପ୍ରସଙ୍ଗ ଏବଂ ନିର୍ଦ୍ଦିଷ୍ଟ ଭାବେ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ଆକ୍ରୋଶର ସମ୍ମୁଖିନ ହେବେ ବୋଲି ଶ୍ରୀ ବାହିନୀପତି ଚେତାବନୀ ଦେଇଛନ୍ତି। ଗଣତନ୍ତ୍ରର ଚତୁର୍ଥସ୍ତମ୍ଭର କଣ୍ଠରୋଧ କରୁଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମ୍ବାଦିକ ମାନଙ୍କର ସଚିବାଳୟ ପ୍ରବେଷ ନିଷେଧ କରିବା ଅଗଣତାନ୍ତ୍ରିକ ଅଟେ । ଓଡ଼ିଶା ଛଡ଼ା ଏଭଳି ଅବସ୍ଥା କେଉଁ ରାଜ୍ୟରେ ନାହିଁ । ସୁତରାଂ ନବୀନ ସରକାରର କଳଙ୍କିତ ଘଟଣା ପ୍ରବାହକୁ ଅତି ଶାଣିତ ଭାବରେ ସାଧାରଣ ଲୋକଙ୍କ ଦୃଷ୍ଟିକୁ ନେବାପାଇଁ ସେ ସାମ୍ବାଦିକ ମାନଙ୍କୁ ଅନୁରୋଧ କରିଥିଲେ ।

Comments are closed.