ପିସିସିରେ ପରିବର୍ତନ ଚର୍ଚା: ସଭାପତି ଦୌଡ଼ରେ ୧୫ ନେତା

ଭୁବନେଶ୍ବର:  ଦୀର୍ଘ ବ୍ୟବଧାନ ପରେ ପୁଣିଥରେ ରାଜ୍ୟରେ ଉଠିଛି ପିସିସି ପରିବର୍ତନ ଚର୍ଚା । ସଭାପତି ଦୌଡ଼ିରେ କୁଆଡ଼େ ୧୫ରୁ ଅଧିକ ନେତା ଅଛନ୍ତି ବୋଲି କୁହାଯାଉଛି । ଗତକାଲି ସୋନିଆ ଗାନ୍ଧୀ ବିଭିନ୍ନ ରାଜ୍ୟର ସାଂସଦମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସି ଆଲୋଚନା ପରେ ଏହି ପ୍ରସଙ୍ଗ ବେଶୀ ଜୋର ଧରିଛି ।

କଂଗ୍ରେସରେ ପିସିସି ସଭାପତି ପରିବର୍ତନ ଦାବି ଏକ ନିୟମିତ ପ୍ରକ୍ରିୟା । କିଛି କିଛି ମାସର ବ୍ୟବଧାନ ପରେ ପିସିସି ସଭାପତି ପରିବର୍ତନ ପାଇଁ ଦାବି ହୁଏ । ଗତ ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳର ବିପର୍ଯ୍ୟୟ ଏବଂ ପାଟକୁରା ଓ ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଆତ୍ମସମର୍ପଣ ପରେ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କ ଅପସାରଣ ନିମନ୍ତେ ଦାବି ଉଠିଥିଲା । ସେତେବେଳେ କଟକ ବିଧାୟକ ମହମ୍ମଦ ମୁକିମଙ୍କ ନାମ ମଧ୍ୟ ଚର୍ଚାକୁ ଆସିଥିଲା । ମାତ୍ର ନିଜେ ମୁକିମ୍ ପିସିସି ସଭାପତି ଦୌଡ଼ରେ ନାହାନ୍ତି ବୋଲି ସ୍ପଷ୍ଟ କରିବା ପରେ ଏହି ମାମଲା କିଛିଟା ଶୀତଳ ପଡ଼ି ଯାଇଥିଲା । ମାତ୍ର ଏବେ କିଛିମାସର ବ୍ୟବଧାନ ପରେ ପୁଣିଥରେ ଏହି ପ୍ରସଙ୍ଗ ଉଠିଛି । ଗୁଜରାଟରେ ପିସିସି ସଭାପତି ପରିବର୍ତନ ପରେ ଓଡ଼ିଶାରେ ମଧ୍ୟ ଦଳର ସଭାପତି ପରିବର୍ତନ ହୋଇପାରେ ବୋଲି ଅନେକ ଆଲୋଚନା ଆରମ୍ଭ କରିଛନ୍ତି ।

ଦଳର ବିଭିନ୍ନ ବୟସ ବର୍ଗର ଅନେକ ନେତା ପିସିସି ପରିବର୍ତନ ସପକ୍ଷରେ ଅଛନ୍ତି । ବିଧାୟକ ସୁର ରାଉତରାୟ କହିଛନ୍ତି ଦଳରେ ସଭାପତି ହେବା ପାଇଁ ୧୩ ନେତା ଅଛନ୍ତି । ସେହିପରି ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ଶରତ ରାଉତ ମଧ୍ୟ ପିସିିସି ସଭାପତି ପରିବର୍ତନ ନିମନ୍ତେ ମତ ଦେଇଛନ୍ତି । ତେବେ କିଏ ନୂଆ ସଭାପତି ହେବ ତାହା ନେଇ କୌଣସି ସ୍ପଷ୍ଟ ଚିତ୍ର ନାହିଁ କିମ୍ବା ଦଳରେ ସହମତି ନାହିଁ । କିନ୍ତୁ ଏ କଥା ସ୍ପଷ୍ଟ ଯେ ପିସିସି ସଭାପତି ନେଇ ସୋନିଆ କିଛି ସଙ୍କେତ ଦେଇ ନାହାନ୍ତି କିମ୍ବା ଯିଏ ସଭାପତି ହେବେ ତାଙ୍କୁ ପରିବର୍ତନ ନ କରିବା ନେଇ ଯେ ମେଳି ନ ହେବ ସେ ନେଇ ଦଳୀୟ ନେତାମାନେ ମଧ୍ୟ କୌଣସି ପ୍ରତିଶ୍ରୁତିବଦ୍ଧ ନୁହନ୍ତି । ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ନାମ ଚର୍ଚାରେ ଥିଲେ ମଧ୍ୟ ସେ ଏହି ଦୌଡ଼ରେ ନ ଥିବା ସ୍ପଷ୍ଟ କରିଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ମହମ୍ମଦ ମୁକିମ, ତାରାପ୍ରସାଦ ବାହିନୀପତି, ପୂର୍ବତନ ସଭାପତି ଶରତ ପଟ୍ଟନାୟକ, ଜୟଦେବ ଜେନା, ବରିଷ୍ଠ ନେତା ଭକ୍ତ ଦାସ, ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ବାଳଙ୍କ ନାଁ ଚର୍ଚାରେ ରହିଛି । ସେହିପରି କେହିକେହି ଯୁବ ନେତାଙ୍କୁ ଦଳର ସଭାପତି କରାଯାଉ ଓ ତାଙ୍କୁ ଦଳର ମୁହଁ ଭାବରେ ଉପସ୍ଥାପନ କରାଯାଉ ବୋଲି ମତବ୍ୟକ୍ତ କରିଛନ୍ତି ।

ପିସିସି ପରିବର୍ତନ ପ୍ରସଙ୍ଗ ଉଠିଛି ସେତେବେଳେ ଯେତେବେଳେ କି ସୋନିଆ ଗାନ୍ଧି ଭର୍ଚ୍ୟୁଆଲ ବୈଠକରେ ବିଭିନ୍ନ ରାଜ୍ୟର ସାଂସଦଙ୍କ ଦଳ ଦଳର ସ୍ଥିତି ଓ ଆଗାମୀ ଲୋକସଭା ଅଧିବେଶନ ସମ୍ପର୍କରେ ଆଲୋଚନା କରିଛନ୍ତି । ରାଜ୍ୟର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ରାଜ୍ୟରେ ପିସିସି ପରିବର୍ତନ ସପକ୍ଷରେ ମତ ଦେଇ ଉପଯୁକ୍ତ ନେତୃତ୍ବ ମିଳିଲେ ଓଡ଼ିଶାରେ ବିକଳ୍ପ ବିରୋଧୀଦଳ ସୃଷ୍ଟି ହୋଇ ପାରିବ ବୋଲି କହିବା ପରେ ଏହି ପ୍ରସଙ୍ଗ ଦାନା ବାନ୍ଧିଛି ।

ଅବଶ୍ୟ ଓଡ଼ିଶାରେ କଂଗ୍ରେସର ସ୍ଥିତି ଠିକ ନାହିଁ ଓ ଦଳରେ ସବୁକିଛି ଠିକ୍ ଚାଲିନାହିଁ । ଗତ ୩ଟି ବିଧାନସଭା ନିର୍ବାଚନରେ ଦଳର ଆସନ ସଂଖ୍ୟା ୨୬ରୁ ୧୬ ଓ ଏବେ ୯ରେ ପହଞ୍ଚିଛି । ଦଳର ଛାମୁଆ ସଙ୍ଗଠନ କୁହାଯାଉଥିବା ଯୁବକଂଗ୍ରେସ, ଛାତ୍ରକଂଗ୍ରେସ, ମହିଳା କଂଗ୍ରେସର ନେତୃତ୍ବକୁ ନେଇ ବିବାଦ ତୀବ୍ର । କିଛିଦିନ ତଳେ ନିଯୁକ୍ତ ଯୁବ କଂଗ୍ରେସ ସଭାପତିଙ୍କୁ କଂଗ୍ରେସ ଭବନରେ ପଶାଇ ନ ଦେବା ନିମନ୍ତେ ଗଣ୍ଡଗୋଳ ଓ ତାହାକୁ ନିୟନ୍ତ୍ରଣ ନିମନ୍ତେ ପୁଲିସର ଲାଠି ଚାଳନା ଦଳ ଭାବମୂର୍ତି ଉପରେ କଳାଦାଗ ଲଗାଇଛି । ଏହାପୂର୍ବରୁ କଂଗ୍ରେସ ଭବନରେ ବାଉନ୍ସର ପ୍ରସଙ୍ଗ ମଧ୍ୟ ବିବାଦ ସୃଷ୍ଟି କରିଥିଲା। ଏହି ସ୍ଥିତିରେ ପିସିସି ସଭାପତି ପରିବର୍ତନକୁ ନେଇ ଆରମ୍ଭ ହୋଇଥିବା ଚର୍ଚା କେବେ ଶେଷ ହେବ ତାହା କେବଳ ଦେଖିବାକୁ ବାକି ।

Comments are closed.