ପେମେଣ୍ଟ ଆପ୍‌ରେ ଭିକ ମାଗୁଛନ୍ତି !

ଯୁଗ ସତରେ ବଦଳିଗଲାଣି, କେତୋଟି ଘଟଣାର ସତ୍ୟତା ଜାଣିବାକୁ ଆଖିରେ ଦେଖିବା ସହ ଖବରକୁ ତନ୍ନତନ୍ନ କରି ପଢ଼ିବା ଜରୁରୀ। ଚୀନ୍‌‌ ରାଷ୍ଟ୍ର ତା’ ବିଶେଷ ଆଦବକାଇଦା ପାଇଁ ପୂରା ବିଶ୍ବରେ ଚର୍ଚ୍ଚିତ, ବିଭିନ୍ନ କ୍ଷେତ୍ରରେ ସେମାନେ ଅନ୍ୟ ରାଷ୍ଟ୍ର ତୁଳାନରେ ପାଦେପାଦେ ଆଗରେ ଅଛନ୍ତି କହିଲେ ଭୁଲ ହେବନି। ମହାମାରୀର ବିବାଦ ଥମିନଥିବାବେଳେ ଅନ୍ୟ ଏକ ଖବର ମଧ୍ୟ ସାମ୍ନାକୁ ଆସିଛି। ଚୀନ୍‌‌ରେ ୯୫% ଦୋକାନ ମୋବାଇଲ୍ ପେମେଣ୍ଟ ଆପ୍ ଜରିଆରେ ନେଣଦେଣ କରିବାକୁ ପସନ୍ଦ କରିଥାନ୍ତି, ଏଥିରେ ମଧ୍ୟ ସେଭଳି ଅସୁବିଧା ନଥାଏ। ହେଲେ ଏହି ସୁବିଧା ଉପାୟ ଦୋକାନୀଙ୍କ ପାଖରୁ ଆରମ୍ଭ ହୋଇ ଭିକାରୀଙ୍କ ପାଖରେ ପହଞ୍ଚିଲାଣି। ୨୦୧୮ରୁ ଚୀନ୍‌ର ଅଧିକାଂଶ ଭିକାରି ଏଇ ଜରିଆରେ ଭିକ ନେବାକୁ ପସନ୍ଦ କରୁଛନ୍ତି। ରାସ୍ତା କଡ଼ରେ ବସି ଭିକ ମାଗୁଥିବା ଭିକାରିମାନେ ପାଖରେ ନିଜ ପେମେଣ୍ଟ ଆପ୍‌ର କ୍ୟୁ ଆର୍‌ କୋଡ୍‌ର ଫଟୋ ରଖୁଛନ୍ତି, ଦୟାଳୁ ଲୋକଙ୍କ ପାଖେ ଖୁଚୁରା ନଥିଲେ ସେମାନେ ଏଇ ପେମେଣ୍ଟ ଆପ୍‌ରେ ଭିକ ଦେବାକୁ ଭିକାରିମାନେ ଅନୁନୟ କରିଥାନ୍ତି। ବେଜିଂରେ ଏଇ ସ୍ମାର୍ଟ ଭିକାରିଙ୍କ ସଂଖ୍ୟା ସବୁଠୁ ଅଧିକ, ୨୦୧୮ରେ ଇଟାଲୀରୁ ଆସିଥିବା ଜଣେ ପର୍ଯ୍ୟଟକ ହିଁ ପ୍ରଥମେ ଏଇ ଖବରକୁ ସୋସିଆଲ୍ ସାଇଟ୍‌ରେ ପ୍ରକାଶ କରିଥିଲେ। ଜାଣି ଆଶ୍ଚର୍ଯ୍ୟ ହେବେ, ଚୀନ୍‌ରେ ମାର୍ଚ୍ଚ-ଏପ୍ରିଲ୍ ଲକ୍-ଡାଉନ୍ ସମୟରେ ମଧ୍ୟ କେତେଜଣ ଭିକାରୀ, ଧନୀ ବ୍ୟକ୍ତିଙ୍କୁ ଫୋନ୍ କରି ଏଇ ପେମେଣ୍ଟ ଆପ୍‌ରେ ଅଳ୍ପ ପରିମାଣ ଭିକ ଦେବାକୁ ଅନୁରୋଧ କରିଥିବାର ଜଣାପଡ଼ିଛି। ବିଶ୍ବାସ ନ ହେଉଥିଲେ ମଧ୍ୟ ଘଟଣାଟି ପ୍ରକୃତରେ ସତ।

Comments are closed.