ପାୟଲ ରୋହତଗୀଙ୍କୁ ଜାମିନ୍

ଜୟପୁର: ନେହେରୁଙ୍କ ଉପରେ ବିବାଦୀୟ ଭିଡିଓ ପୋଷ୍ଟ କରି ଗିରଫ ହୋଇଥିବା ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ମଙ୍ଗଳବାର ଜାମିନ ମିଳିଛି। ଦୁଇଟି ମାମଲା ପାଇଁ ୨୫-୨୫ ହଜାର ଟଙ୍କା ଦାଖଲ କରିବା ପରେ ରାଜସ୍ଥାନ କୋର୍ଟରୁ ତାଙ୍କୁ ଜାମିନ ମିଳିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ୨୧ ସେପ୍ଟେମ୍ବରରେ ପାୟଲ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ପିତା ମୋତିଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ଏହାପରେ ତାଙ୍କ ବିରୋଧରେ ସମାଜସେବୀ ତଥା ଯୁବ କଂଗ୍ରେସ ନେତା ଚର୍ମେଶ ଶର୍ମା ଏତଲା ଦେଇଥିଲେ। ଏହି ପୋଷ୍ଟ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ସହ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାକୁ ମଧ୍ୟ ପ୍ରଭାବିତ କରିଥିବା ଚର୍ମେଶ ଅଭିଯୋଗ କରିଥିଲେ। ଏହାପରେ ସୋମବାର ତାଙ୍କୁ ଅହମଦାବାଦରୁ ରାଜସ୍ଥାନର ବୁନ୍ଦୀ ପୁଲିସ ଗିରଫ କରିଥିଲା। ଗିରଫ ହେବା ଖବର ନିଜେ ପାୟଲ ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଜଣାଇଥିଲେ। ସେ ଟ୍ବିଟ୍ କରି ଲେଖିଥିଲେ, ‘‘ମୋତିଲାଲ ନେହେରୁଙ୍କ ଉପରେ ଏକ ଭିଡିଓ ଶେୟାର କରିବାକୁ ନେଇ ରାଜସ୍ଥାନ ପୁଲିସ ମୋତେ ଗିରଫ କରିଛି। ଗୁଗଲରୁ ସୂଚନା ନେଇ ମୁଁ ସେହି ଭିଡିଓଟିକୁ ତିଆରି କରିଥିଲି। କ’ଣ ବାକ୍ ସ୍ବାଧୀନତା ଏକ ମଜାକ୍’’? ପାୟଲ ତାଙ୍କର ଏହି ପୋଷ୍ଟରେ ପିଏମ୍ଓ ଇଣ୍ଡିଆ ଏବଂ ଗୃହ ମନ୍ତ୍ରଣାଳୟକୁ ମଧ୍ୟ ଟ୍ୟାଗ୍ କରିଥିଲେ। ଅନ୍ୟପକ୍ଷରେ ବୁନ୍ଦୀ ପୁଲିସ ମଧ୍ୟ ପାୟଲଙ୍କ ଗିରଫ ସମ୍ବନ୍ଧୀୟ ସୂଚନା ଦେଇଥିଲା।

Comments are closed.