କୁଶଙ୍ଗ ବନ୍ୟପ୍ରାଣୀ କୋର ଏରିଆରେ ପେଟ୍ରୋଲିଂ ; ଜଣେ ଶିକାରୀ ଗିରଫ,୩ ଫେରାର୍‍

ହରଭଙ୍ଗା : ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ କୁଶଙ୍ଗ ବନ୍ୟପ୍ରାଣୀ ରେଞ ଅଂଚଳରେ ଶିକାରୀଙ୍କ ଅବାଧ ଚଳପ୍ରଚଳ ନେଇ ବିଭାଗ ପକ୍ଷରୁ ନାଇଟ ପେଟ୍ରୋଲିଂକୁ କଡାକଡି କରାଯାଇଛି। ସୋମବାର ବିଳମ୍ବିତ ରାତ୍ରିରେ ପଦ୍ମତୋଳା କମ୍ପାଟମେଂଟ-୪ ଅଂଚଳରେ ନାଇଟ ପେଟ୍ରୋଲିଂ ସମୟରେ ରାତ୍ରିରେ ଅଭୟାରଣ୍ୟ ମଧ୍ୟରୁ ବନ୍ୟପ୍ରାଣୀ ବିଭାଗ ଜଣେ ଶିକାରୀକୁ ଗିରଫ କରିଥିବା ଜଣାପଡିିଛି। ଶିକାରୀ ପାଖରୁ ଟାଙ୍ଗିଆ,ବାରୁଦ ସହିତ ଏକ ହେର୍ଡଲାଇଟ ଜବତ କରିଛି। ଶିକାରୀ ଜଣଙ୍କ ହରଭଙ୍ଗା ଥାନା ଅର୍ନ୍ତଗତ ମହାଲ୍ଲିକପଡା ପଂଚାୟତ ଭାବପୁର ଗ୍ରାମର ସୁକେଶନ ପ୍ରଧାନ(୨୪) ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ ଗତ ୫ ଏପ୍ରିଲରେ ନୂଆପଡା ବିଟ ଲେଦେରା କେନ୍ଦୁ ଅଂଚଳରୁ ଏକ ସାଢେ ୩ବର୍ଷ ବୟସର ମାଈ ଚିତାବାଘ ମୃତ୍ୟୂ ପରେ ନୟାଗଡ ଡି.ଏଫ.ଓ ହର୍ଷବର୍ଦ୍ଧନ ଉଦ୍‍ଗାତା ଅଭୟାରଣ୍ୟ ମଧ୍ୟରେ ନାଇଟ ପେଟ୍ରୋଲିଂକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶ କ୍ରମେ କୁଶଙ୍ଗ,ଶୀତଳପାଣୀ,ଅତଲସରା,କୁମାରୀ,ସାମ୍ପୁର ସେକ୍ସନର କର୍ମଚାରୀ ଜଣେ ଡେପୁଟି ରେଞର ଏବଂ ଫରେଷ୍ଟର ସହିତ ୧୬ଜଣ ସ୍କ୍ୱାର୍ଡକୁ ନେଇ ଏକ ଚାରିଜଣିଆ ପେଟ୍ରୋଲିଂ ଟିମ ଗଠନ କରାଯାଇଛି। କୁଶଙ୍ଗ ଡେପୁଟି ରେଞର ପ୍ରଦୀପ ଭୂତିଆଙ୍କ ନିର୍ଦ୍ଦେଶକ୍ରମେ ପ୍ରତିଦିନ ବିଭିନ୍ନ ବିଟ ଏରିଆରେ ନାଇଟ ପେଟ୍ରୋଲିଂ ଜାରିରହିଛି।

ଗତକାଲି ପଦ୍ମତୋଳା କମ୍ପାଟମେଂଟ-୪ ଅଂଚଳରେ ରାତିରେ ଶିକାରୀଙ୍କ ଅବାଧ ଚଳପ୍ରଚଳ ନେଇ ବିଭାଗ ସୂଚନା ପାଇଥିଲା। ସୂଚନା ପାଇ ପେଟ୍ରୋଲିଂ ଟିମ ଏହି ଅଂଚଳରେ ରାତିରେ ତନଖି ସମୟରେ ଅଭୟାରଣ୍ୟ ମଧ୍ୟରେ ଟର୍ଚ୍ଚ ଆଲୁଅ ଦେଖି ଶୀକାରୀଦଳକୁ ପିଛା କରିଥିଲା।ଶିକାରୀ ଦଳରେ ୪ଜଣ ରହିଥିବାବେଳେ ସେଥିରୁ ଜଣେ ଶିକାରୀ ସୁକେଶନ ପ୍ରଧାନଙ୍କୁ କାବୁ କରିବାକୁ ଟିମ୍‍ ସକ୍ଷମ ହୋଇଥିଲା। ଅନ୍ୟ ୩ଜଣ ଫେରାର୍‍ ହୋଇଥିବା ଜଣାପଡିଛି।ଏ ନେଇ କୁଶଙ୍ଗ ବନ୍ୟପ୍ରାଣୀ ରେଞ ପକ୍ଷରୁ ଏକ ମାମଲା ରୁଜୁକରାଯାଇ ଗିରଫ ଅଭିଯୁକ୍ତ ସୁକେଶନ ପ୍ରଧାନଙ୍କୁ ମଙ୍ଗଳବାର ସକାଳେ ବୌଦ୍ଧ କୋର୍ଟ ଚାଲାଣ କରାଯାଇଥିବା କୁଶଙ୍ଗ ଡେପୁଟି ରେଞ ଅଫିସର ପ୍ରଦୀପ ଭୁତିଆ ସୂଚନା ଦେଇଛନ୍ତି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି।

Comments are closed.