ନିର୍ବାଚନ ପୂର୍ବରୁ ଦାଦନ ମୁହାଁ ହେଉଛନ୍ତି ଆଦିବାସୀ

ପାତ୍ରପୁର: ଗଞ୍ଜାମ ଜିଲାର ପାତ୍ରପୁର ବ୍ଳକରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଭୋଟ ଆପଣେଇବା ପାଇଁ ପ୍ରାର୍ଥୀମାନେ ନିଜ ଲୋକଙ୍କୁ ରାଜ୍ୟ ବାହାରୁ ଆଣିବା ଉଦ୍ୟମ ଆରମ୍ଭ କରିଛନ୍ତି। ନାମାଙ୍କନପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ତାଲିକା ପ୍ରକାଶ ପରେ ରାଜ୍ୟ ବାହାରକୁ କାର୍ଯ୍ୟ କରିବାକୁ ଯାଇଥିବା ବହୁ ଶ୍ରମିକ ଫେରିବା ପାଇଁ ସଜବାଜ ହେଉଛନ୍ତି। ଏଭଳି ସମୟରେ ଆନ୍ଧ୍ରପ୍ରଦେଶ ସୀମାନ୍ତ ବୁରାତାଲ ପଞ୍ଚାୟତର ଚାରି ଗୋଟି ଆଦିବାସୀ ଗ୍ରାମର ବହୁ ଆଦିବାସୀ ପରିବାର ରାଜ୍ୟ ବାହାରେ କାମ କରିବାକୁ ଚାଲି ଯାଇଥିବା ଜଣାଯାଉଛି। ଏହି ସବୁ ଗ୍ରାମ ଲାଇଡା ଡାବୁଥଳି ଗୁଡିପଦର ଏବଂ ବାତରା ସାହି ବୋଲି ଜଣାପଡ଼ିଛି।
ଗତ ଦୁଇ ଦିନ ମଧରେ ଏହି ଗ୍ରାମରୁ ୨୫ରୁ ଊର୍ଦ୍ଧ ଆଦିବାସୀ ପରିବାର ପିଲା ଛୁଆଙ୍କୁ ସାଙ୍ଗରେ ଧରି ଚେନ୍ନାଇ, କୋୟମ୍ବାଟୁର, କାକିନଡ଼ା ପ୍ରଭୃତି ସ୍ଥାନକୁ ଚାଲି ଯାଇଛନ୍ତି। ଚଳିତ ବର୍ଷ ଏହି ସବୁ ଆଦିବାସୀ ପରିବାର ବଗଡରେ ଜହ୍ନା, ମାଣ୍ଡିଆ, କାନ୍ଦୁଲ ଫସଲ କରିଥିଲେ। ତେବେ ଅଦିନିଆ ବର୍ଷାଯୋଗୁଁ ଫସଲ ନଷ୍ଟ ହୋଇ ଥିଲା। ତେବେ ଲୋକଙ୍କ ବଗଡ଼ ଫସଲ କ୍ଷତି ପରେ ଏବେ ପରିବାର ପ୍ରତିପୋଷଣ ପାଇଁ କୌଣସି ବିକଳ୍ପ ପନ୍ଥା ନଥିବାରୁ ଲୋକମାନେ ଚାଲି ଯାଇଥିବା ସୂଚନାମିଳିଛି।

ରାଜ୍ୟବାହାରେ ପୁରୁଷଙ୍କୁ ଦୈନିକ ୨୫୦ରୁ ୩୦୦ଟଙ୍କା ଏବଂ ମହିଳାମାନଙ୍କ ଦୈନିକ ୨୦୦ରୁ ୨୪୦ଟଙ୍କା ମଜୁରୀ ମିଳିବ ବୋଲି ଶ୍ରମିକମାନେ ପ୍ରକାଶ କରିଛନ୍ତି। ଗତ ଦୁଇଦିନ ହେଲା ଏହି ସବୁ ଗ୍ରାମର ଲୋକମାନେ ଅଟୋ ଭଡା କରି ଗ୍ରାମରୁ ପାଲାସା ଯାଇ ରେଳ ଯୋଗେ ଯାଇଥିବା ଜଣାଯାଉଛି। ନିର୍ବାଚନବେଳେ ରାଜ୍ୟ ବାହାରେ ଥିବା ଶ୍ରମିକ ଏହି ଅଞ୍ଚଳକୁ ଆସୁଥିବା ବେଳେ ଆମ ଅଞ୍ଚଳର ଶ୍ରମିକ ଭୋଟଦାନ ପ୍ରତି ଆଗ୍ରହ ପ୍ରକାଶ ନକରି ରାଜ୍ୟ ବାହାରକୁ ଚାଲିଯିବା ଜଣା ଯାଇଛି। ତୁରନ୍ତ ପ୍ରଶାସନ ଏହି ଅଞ୍ଚଳର ଲୋକମାନଙ୍କୁ ରାଜ୍ୟ ବାହାରକୁ ଯିବା ରୋକିବା ପାଇଁ ଶ୍ରମ ଭିତ୍ତିକ କାର୍ଯ୍ୟ ଯୋଗାଇ ଦେଲେ ଏହା ରୋକା ଯାଇପାରିବ। ନଚେତ ଆଗାମୀ ଦିନରେ ପିଲାଙ୍କ ପାଠ ପଢାରେ ଡୋରୀ ବାନ୍ଧି ବହୁ ଆଦିବାସୀ ଅନ୍ୟ ରାଜ୍ୟକୁ ଚାଲିଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ।

Comments are closed.