ଜ୍ବରରେ କମ୍ପୁଛି ଏଲଗଲ; ବନ୍ୟା ଦାଉ, ଘରୁ ବାହାରି ପାରୁନାହାଁନ୍ତି ଆକ୍ରାନ୍ତ

ପାତ୍ରପୁର : ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତର ଏଲଗଲ ଗ୍ରାମବାସୀଙ୍କୁ ଦୁର୍ଦଶା ପିଛା ଛାଡୁନି। ସଦ୍ୟ ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ଗ୍ରାମରେ ସୃଷ୍ଟି ହୋଇଥିବା ବନ୍ୟା ଜଳ ନିଷ୍କାସନ ନହେଉଣୁ ଗ୍ରାମରେ ଏବେ ଘରେ ଘରେ ଜ୍ବର ବ୍ୟାପିଛି। ଗତ ପାଞ୍ଚ ଦିନରେ ୧୫ ରୁ ଊର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଛନ୍ତି। ଗ୍ରାମର ଅଭି ବେହେରା ତିନିଦିନ ହେଲା ଜ୍ୱରରେ ଆକ୍ରାନ୍ତ ହୋଇଥିବା ବେଳେ ମଙ୍ଗଳା ବେହେରା ପାଞ୍ଚଦିନ ହେଲା ଆକ୍ରାନ୍ତ ହୋଇଛନ୍ତି। ସେହିପରି ଯାମିନି ବେହେରା, ଜଟେଶ୍ୱର ବେହେରା, ଗୀତା ପ୍ରଧାନ, ଅଶୋକକୁମାର କାର୍ଜି, ରାଜୁ ବେହେରାଙ୍କ ସମେତ କିଛି ଶିଶୁଙ୍କୁ ମିଶାଇ ପ୍ରାୟ ୧୫ରୁ ଅଧିକ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତମାନେ ଜ୍ବର ସହ ଥଣ୍ଡା ଓ କାଶରେ କବଳିତ।
ଏଲଗଲ ଗ୍ରାମଟି ବାଘଲଟି ଜଳଭଣ୍ଡାର ଉପର ପାର୍ଶ୍ୱରେ ଜଙ୍ଗଲ ଘେରାରେ ରହିଛି। ଲଘୁଚାପଜନିତ ବର୍ଷା ଯୋଗୁ ଗ୍ରାମର ତିନି ପାର୍ଶ୍ୱ ଦେଇ ବନ୍ୟାଜଳ ପ୍ରବହିତ ହେଉଛି। ।ଯାହାକୁ ନେଇ ଗ୍ରାମବାସୀ ଚିନ୍ତିତ ହୋଇ ପଡ଼ିଥିଲେ। ପାହାଡ଼ରୁ ବନ୍ୟା ଜଳ ସ୍କୁଲ ନିକଟରେ ଲହଡି ଭାଙ୍ଗିବା ସହ ଗ୍ରାମର ପୂର୍ବ ଦିଗରେ ଘର କରି ରହିଥିବା କିଛି ଘର ପାର୍ଶ୍ୱ ଦେଇ ପ୍ରବାହିତ ହେଉଛି। ଏହାକୁ ଦେଖି ଗ୍ରାମର କିଛି ବୟସ୍କ ଲୋକଙ୍କୁ ସ୍କୁଲ ଘରକୁ ସ୍ଥାନାନ୍ତର କରାଯାଇଥିଲା। ଏଣେ ବର୍ଷା ଛାଡିବାର ନା ଧରୁନି। ଲଗାଣ ବର୍ଷା କାରଣରୁ ସ୍କୁଲ ସମ୍ମୁଖ ଦେଇ ପାଣି ପ୍ରବାହିତ ହେଉଛି। ଗ୍ରାମରୁ ବାହାରକୁ ଯିବାକୁ ହେଲେ ଗୋଟିଏ ଦିଗରେ ବାଘଲଟି ଜଳଭଣ୍ଡାର ଓ ଅନ୍ୟ ତିନି ପାର୍ଶ୍ୱରେ ଜଙ୍ଗଲ ରହିଛି। ଗ୍ରାମରୁ ଏକମାତ୍ର ଜଙ୍ଗଲୀ ରାସ୍ତାରେ ତାଡକାସାହି ଯିବାକୁ ପଡୁଛି। ଏହି ରାସ୍ତାରେ ଯିବାକୁ ହେଲେ ସିରିସିଗଣ୍ଡ, ଝରିବାଡ ସହିତ ପାଞ୍ଚଟି ସ୍ଥାନରେ ଲୋକଙ୍କୁ ନାଳ ପାର ହୋଇ ୯ କିଲୋମିଟର ଚାଲି ଚାଲି ଯିବାକୁ ପଡୁଛି। ବନ୍ୟାଜଳରେ ପ୍ରବେଶ କରି ତଡକାସାହି ପର୍ଯ୍ୟନ୍ତ ଲୋକେ ଯିବା ଏବେ ସମ୍ଭବପର ହୋଇନପାରିବାରୁ ଭାଗ୍ୟକୁ ଆଦରି ଜ୍ବର ଆକ୍ରାନ୍ତମାନେ ଘରେ ପଡି ରହିଛନ୍ତି। ବିଭିନ୍ନ ସମୟରେ ଏହି ଗ୍ରାମରେ ବର୍ଷା ହେଲେ ଏହିଭଳି ସ୍ଥିତି ଉତ୍ପନ୍ନ ହେଉଛି ଏହି ଗ୍ରାମ ସହିତ ଅନ୍ୟ କିଛିଗ୍ରାମ ମାଡୁଆ, ବେହେରାପୁଟୁ, ଝରିବାଡ, ସିରିସିଗଣ୍ଡ ଗ୍ରାମବାସୀ ତିତଲି ବେଳେ କ୍ଷତିଗ୍ରସ୍ତ ​‌େ​‌ହାଇଥିଲେ। ଏହା ପରେ ପ୍ରଶାସନ ଏହିସବୁ ଗ୍ରାମର ଲୋକଙ୍କୁ ତୁରିବୁଡି ପଞ୍ଚାୟତର ଝଗଡାପଲ୍ଲୀ ନିକଟକୁ ସ୍ଥାନାନ୍ତର କରିବାକୁ ସ୍ଥାନ ଚିହ୍ନଟ କରିଛନ୍ତି। ଅନ୍ୟ ଗୋଟିଏ ଗ୍ରାମ ବାଣିଆବସାକୁ ହୁକୁମା ନିକଟରେ ଥଇଥାନ ନିମନ୍ତେ କାର୍ଯ୍ୟ ଚାଲିଛି। ତିତଲି ପରେ ଏହିସବୁ ଗ୍ରାମକୁ ସ୍ଥାନାନ୍ତରିତ ପ୍ରକ୍ରିୟା ଧିମେଇ ଯାଇଛି। ଗ୍ରାମବାସୀଙ୍କୁ ପ୍ରଶାସନ ତରଫରୁ କିଛି ଚୁଡା ଓ ଗୁଡ ଯୋଗାଇ ଦିଆଯାଇଛି। ବର୍ଷା ଲାଗି ରହିଥିବାର ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଥିବା ବେଳେ ଏବେ ଜ୍ୱର ପ୍ରାଦୁର୍ଭାବ ଲୋକଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି।

Comments are closed.