ଅସହାୟ ଅବସ୍ଥାରେ ଦୃଷ୍ଟିହୀନ ଦୈତାରୀ ମହାନ୍ତ, ଘର ଖଣ୍ଡିଏ ପାଇଁ ନିବେଦନ

ପାଟଣା:  ଜନ୍ମରୁ ଦୃଷ୍ଟିହୀନ ହେଲେ ମଧ୍ୟ ତାଙ୍କର ଘର ସଂସାର ଥିଲା । ହେଲେ ଦଇବ ଦାଉ ସାଧିଲା । ପତ୍ନିଙ୍କ ପରଲୋକ ହୋଇଯିବା ପରେ ପୁଅ ମଧ୍ୟ ଦୂର୍ଘଟଣାରେ ମୃତ୍ୟୁ ବରଣ କଲା । ଘରେ ବିଧବା ବୋହୁ, ୩ ଜଣ ନାତିନାତୁଣୀଙ୍କୁ ଧରି ପୁରୁଣା ଇନ୍ଦିରା ଆବାସରେ ଦିନ କାଟୁଛନ୍ତି ଅସହାୟ ଦୃଷ୍ଟିହୀନ ଦୈତାରୀ ମହାନ୍ତ। ବୃଦ୍ଧ ବୟସରେ ବୋହୁ ସାଙ୍ଗରେ ନ ରଖିବାରୁ ତାଙ୍କର ପୁରୁଣା ଦଦରା ଘରେ ରହୁଛନ୍ତି। ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣୀପୋଖରୀ ପଂଚାୟତ ପୋଇପାଣି ଗ୍ରାମର ବାସିନ୍ଦା ତଥା ଜନ୍ମରୁ ଦୃଷ୍ଟିହୀନ ଦୈତାରୀ ମହାନ୍ତ (୬୦) । ପୁଅର ଅକାଳ ମୃତ୍ୟୁ ପରେ ବୋହୁ ପଚାରୁ ନ ଥିବାରୁ ୬ ମାସ ତଳେ ଜଣେ ମହିଳା ତାଙ୍କୁ ସହାୟତାର ହାତ ବଢାଇ ତାଙ୍କ ସହ ରହୁଛନ୍ତି ।
ଦୃଷ୍ଟିହୀନ ଦୈତାରୀଙ୍କୁ ଦିବ୍ୟାଙ୍ଗ ଭତ୍ତା ବାବଦକୁ ମାସିକ ୫ ଶହ ଟଙ୍କା ସହ ମାସିକ ୫ କେଜି ଚାଉଳ ପଞ୍ଚାୟତରୁ ମିଳୁଥିବା ବେଳେ ଖାଦ୍ୟ ଓ ଚିକିତ୍ସା ପାଇଁ ଏହା ନିଅଣ୍ଟ ପଡୁଥିବାରୁ ବାଧ୍ୟ ହୋଇ ଢେଙ୍କିକୋଟ , ପିପିଳିଆ ଓ ଏହାର ଆଖାପାଖ ଗ୍ରାମରେ ମାଗିଯାଚି ଚଳୁଛନ୍ତି । ହେଲେ ଗତ ବାତ୍ୟାରେ ରହୁଥିବା ଦୈତାରୀଙ୍କ ଘରଟି ଭାଙ୍ଗି ଯାଇଥିବାରୁ ତାଙ୍କୁ ଆବାସ ଯୋଜନାରେ ଘରଖଣ୍ଡିଏ ମିଳିଲେ ଅବଶିଷ୍ଟ ଜୀବନ ଟିକିଏ ସୁରୁଖୁରୁରେ କାଟି ପାରନ୍ତେ ବୋଲି ଦୈତାରୀ ମହାନ୍ତ ନିବେଦନ କରିଛନ୍ତି। ଆଶା ରଖିଥିବାରୁ କର୍ତୃପକ୍ଷ ଦୈତାରୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Comments are closed.