ମାନହାନୀ ମୂଳକ ଖବର ଭାଇରାଲ ଅଭିଯୋଗରେ ଥାନାରେ ଏତଲା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ମଧୁବନ ମହିମା ଆଶ୍ରମର ବାବା ଯଶୋବନ୍ତ ଦାସଙ୍କ ନାମରେ ମିଥ୍ୟା ମାନହାନୀ ମୂଳକ ଖବର ଭାଇରାଲ କରୁଥିବା ବିଶ୍ଵ ଗୁରୁ ଜ୍ଞାନାନନ୍ଦ ସରସ୍ଵତୀଙ୍କ ନାମରେ ତୁରୁମୁଙ୍ଗା ଥାନାରେ ଗତକାଲି ଲିଖିତ ଅଭିଯୋଗ ହୋଇଛି। ମହିମା ଆଶ୍ରମର ସମ୍ପାଦକ ରବୀନ୍ଦ୍ର ନାଥ ନାଏକ ଥାନାରେ କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ ଆଶ୍ରମର ଯଶୋବନ୍ତ ବାବା ଭୁବନେଶ୍ୱର ଯାଇଥିବା ବେଳେ ସେଠାରେ ଜଣେ ଜ୍ଞାନାନନ୍ଦ ସରସ୍ଵତୀ ବୋଲି ପରିଚୟ ଦେଉଥିବା ବାବାଙ୍କ ସହ ଦେଖା ସାକ୍ଷାତ ହୋଇଥିଲା। ସେ ଯଶୋବନ୍ତ ବାବାଙ୍କ ଫୋନ ନମ୍ବର ମଧ୍ୟ ନେଇଥିଲେ। ତେବେ ଜ୍ଞାନାନନ୍ଦ ସରସ୍ଵତୀ ନାମକ ଏହି ବାବା ମଇ ୨ ତାରିଖ ଯମୁନାପଶି ଆଶ୍ରମକୁ ଆସି ରହିବା ସମୟରେ ଢେଙ୍କିକୋଟ ନିକଟ ଖଣ୍ଟଘର ମହିମା ଆଶ୍ରମରେ ଯାଇ ରହିଥିଲେ। ସେଠାରେ ସେ ଭକ୍ତମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଧମକ ଚମକ ମଧ୍ୟ ଦେଉଥିଲେ। ଖଣ୍ଟଘର ଆଶ୍ରମରୁ ଏହି ବାବାଙ୍କୁ ବାହାର କରିଦିଆଯିବା ପରେ ସେ ଯମୁନାପଶି ଆଶ୍ରମକୁ ଫେରି ଯଶୋବନ୍ତ ବାବାଙ୍କୁ କୁଆଡେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ଏପରିକି ଯଶୋବନ୍ତ ବାବାଙ୍କ ନାମ ରେ ମିଥ୍ୟା ଅପବାଦ ପ୍ରଚାର କରୁଥିବାରୁ ଏହି ରହସ୍ୟମୟ ବାବାଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ଗ୍ରହଣ ପାଇଁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ଅପରପକ୍ଷରେ ତୁରୁମୁଙ୍ଗା ଥାନାଧିକାରୀ ବୈଦ୍ୟନାଥ ସାହୁ ଯମୁନାପଶି ମଧୁବନ ମହିମା ଆଶ୍ରମକୁ ସଂପୃକ୍ତ ବାବା ଜ୍ଞାନାନନ୍ଦ ସରସ୍ଵତୀଙ୍କୁ ପଚରା ଉଚୁରା ପାଇଁ ଆସିଥିବା ବେଳେ ଆଗୁଆ ସୂଚନା ପାଇ ଏହି ବାବା ଜଣକ ଜଣେ ବ୍ୟକ୍ତିଙ୍କ ବାଇକ୍ ଯୋଗେ ଫେରାର ହୋଇଯାଇଥିବାରୁ ଏହି ବାବାଙ୍କୁ ନେଇ ଘଟଣା ରହସ୍ୟମୟ ହୋଇପଡିଛି।

Comments are closed.