ଓଡିଶା କୁଡୁମି ସେନା ତରଫରୁ କଳା ଦିବସ ପାଳନ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ଦିଆଗଲା

ପାଟଣା: ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖରୁ କୁଡୁମି ସମ୍ପ୍ରଦାୟକୁ ବିନା କୌଣସି କାରଣ ଦର୍ଶାଇ ଆଦିବାସୀ ତାଲିକାରୁ ବାଦ କରାଯାଇଥିବାରୁ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ୬ ତାରିଖକୁ ଓଡିଶା କୁଡୁମି ସେନା ତରଫରୁ ଏହି ଦିନକୁ ଅନ୍ୟାୟ ଦିବସ ବା କଳା ଦିବସରୂପେ ପାଳନ କରିଆସୁଛି। ଓଡିଶା କୁଡୁମି ସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ ଓ ରାଜ୍ୟ କୋଷାଧ୍ୟକ୍ଷ ତଥା ଗଣମାଧ୍ୟମ ମୁଖପାତ୍ର ଲମ୍ବୋଦର ମହାନ୍ତଙ୍କ ନେତୃତ୍ୱରେ କେନ୍ଦୁଝରରେ ଆଜି ସହସ୍ରାଧିକ କୁଡୁମି ସମ୍ପ୍ରଦାୟର ପୁରୁଷ ଓ ମହିଳାମାନେ କାଳି ପଡିଆଠାରୁ ଶୋଭାଯାତ୍ରା ଆରମ୍ଭ କରି ଜିଲ୍ଲାପାଳ କାର୍ଯାଳୟ ସମ୍ମୁଖକୁ ବର୍ଷାରେ ଭିଜି ଭିଜି ଆସିଥିଲେ। କୁଡୁମି ଜାତିକୁ ପୁନଃ ଆଦିବାସୀ ତାଲିକାଭୁକ୍ତ କରିବା, କୁଡୁମାଲି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବା, କୁଡୁମି ବିକାଶ ପରିଷଦ ଗଠନ କରିବା, ଜାତିଭିତ୍ତିକ ଜନଗଣନା କରିବା ଇତ୍ୟାଦି ଦାବୀ ସମ୍ମଳିତ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଜାତିପ୍ରେମୀ କର୍ମକର୍ତ୍ତାସବୁ ଯୋଗଦାନ କରିଥିଲେ। ଯୁବ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ବିହାରୀ ମହାନ୍ତ, ପାଟଣା ବ୍ଲକ ସଭାପତି ଅଶୋକ ମହାନ୍ତ, ପାଟଣା ସାଧାରଣ ସମ୍ପାଦକ ତ୍ରିନାଥ ମହାନ୍ତ, ଡମ୍ବରୁ ଧର ମହାନ୍ତ, ଲଷ୍ମୀଧର ମହାନ୍ତ, ରଶ୍ମିରେଖା ମହାନ୍ତ, ଚମ୍ପା ମହାନ୍ତ, ମନ୍ମଥ ମହାନ୍ତ, ଦିବାକର ମହାନ୍ତ, ଅନିରୁଦ୍ଧ ମହାନ୍ତ, କେଶବ ମହାନ୍ତ, ରବି ମହାନ୍ତ, ଚିନ୍ତାମଣି ମହାନ୍ତ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପାଣିପାଗର ପ୍ରତିକୂଳ ଅବସ୍ଥା ଥାଇ ମଧ୍ୟ ଭୀଷଣ ଲଘୁଚାପ ବର୍ଷାରେ ଉପସ୍ଥିତ କୁଡୁମି ସମ୍ପ୍ରଦାୟର ବ୍ୟକ୍ତିଗଣ ବର୍ଷାରେ ଭିଜି ଭିଜି ନିଜର ଦାବିକୁ ସ୍ଲୋଗାନ ଦେଉଥିଲେ। ସର୍ବଶେଷରେ ଗଣମାଧ୍ୟମ ମୁଖପାତ୍ର ଲମ୍ବୋଦର ମହାନ୍ତ ଓ ଉପସଭାପତି ମିତ୍ରଭାନୁ ମହାନ୍ତ କୁଡୁମି ଜାତିକୁ ଆଦିବାସୀ ବର୍ଗରେ ସାମିଲ ପର୍ଯ୍ୟନ୍ତ ଓଡିଶା କୁଡୁମି ସେନାର ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.