ପାତି ସୁନାପୁର ଇକୋ-ରିଟ୍ରିଟ ପ୍ରହସନ

ଚିକିଟି: ଏକାଦିନରେ ରାଜ୍ୟର ୭ଟି ସ୍ଥାନରେ ଉଦଘାଟନ ହୋଇଥିବା ଇକୋ-ରିଟ୍ରିଟ ବ୍ୟବସ୍ଥା ଏବେ ଗଞ୍ଜାମରେ ଏକପ୍ରକାର ପ୍ରହସନ ପାଲଟିଛି। ଉଦଘାଟନ ପରଠୁ ଗଞ୍ଜାମ ଜିଲାର ପାତିସୁନାପୁର ଇକୋ-ରିଟ୍ରିଟରେ ପର୍ଯ୍ୟଟକ ରହିବା ତ ଦୂରର କଥା ବର୍ତ୍ତମାନ ସୁଦ୍ଧ​‌​‌ା କାମ ଶେଷ ହୋଇନି। ପ୍ରଶାସନ ତରବରିଆ ଭାବେ କାମ ନସରୁଣୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ କରାଇଦେଇଥିଲେ; କିନ୍ତୁ ପ୍ରକୃତରେ ଏହି ପ୍ରକଳ୍ପ ଆଜି ସୁଦ୍ଧା ଅସମ୍ପୂର୍ଣ୍ଣ ରହିଛି। ଜିଲା ପ୍ରଶାସନ ଘନଘନ ପରିଦର୍ଶନ କରି ସମୀକ୍ଷା କରୁଛି। କିନ୍ତୁ କାର୍ଯ୍ୟରେ ଅଗ୍ରଗତି ହେଉନି କି କାମ ଶେଷ ହେବାର ନା ଧରୁନି। ଏହା ପଛରେ କି ରହସ୍ୟ ରହିଛି ତାହା ଅଜଣା। ଏଠାରେ ରହିବାକୁ ଚାହଁୁଥିବା ପର୍ଯ୍ୟଟକ ବୁକିଂ ମଧ୍ୟ କରି ପାରୁ ନାହଁାନ୍ତି। ଉଦ୍‌ଘାଟନ ଦିନ ଜଣେ ପର୍ଯ୍ୟଟକ ବୁକିଂ କରି ଏଠାକୁ ରହିବାକୁ ଆସିଥିଲେ। ହେଲେ କାର୍ଯ୍ୟଶେଷ ହୋଇନଥିବା କାରଣରୁ ତାଙ୍କୁ ଅନ୍ୟ ଏକ ଇକୋ-ରିଟ୍ରିଟକୁ ପଠାଇ ଦିଆଯାଇଥିଲା। ତୁରନ୍ତ କାର୍ଯ୍ୟ ସାରିବାକୁ ଗଞ୍ଜାମ ଜିଲାପାଳ ତାଗିଦ କରିଥିଲେ ସୁଦ୍ଧା କିଛି ଫରକ ପଡ଼ିନି। ଉଦଘାଟନକୁ ୨୦ ଦିନ ବିତି ଯାଇଛି। ତଥାପି ଏହା ବ୍ୟବହାର ଉପଯାଗୀ ହୋଇନାହିଁ। ପ୍ରତିନିଧିତ୍ବ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଜିଲା ଗଞ୍ଜାମରେ ଏହି ବ୍ୟବସ୍ଥାର ଏଭଳି ବିକଳ ଚିତ୍ରକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଠିକାଦାର ପ୍ରୀତିରୁ ପାତିସୁନାପୁର ଇକୋ ରିଟ୍ରିଟ ବିଫଳତାର କାରଣ ବୋଲି କୁହାଯାଉଛି। ଗତବର୍ଷ ଡିସେମ୍ବର ମାସ ୧୫ ତାରିଖରେ ଏହା ଲୋକାର୍ପିତ ହୋଇଥିଲା ।
ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପର୍ଯ୍ୟଟକଙ୍କ ପାଇଁ ସର୍ବନିମ୍ନ ସୁବିଧା ରାସ୍ତା, ଆଲୋକୀକରଣ, ପିଇବା ପାଣି ଆଦି କାମ ଅଧୁରା ରହିଛି। ବିଶ୍ୱସ୍ତ ସୂତ୍ର ଅନୁଯାୟୀ ଇକୋ ରି-ଟ୍ରିଟ ପାଇଁ ଠିକା ନେଇଥିବା ରାଜସ୍ଥାନ ଆଜମେରର ସନସେଟ ଡିଜିରେଟ କ୍ୟାମ୍ପ ସଂସ୍ଥା ନିମ୍ନମାନର ତମ୍ବୁ ତିଆରି କରିଛି। ଯାହା ପର୍ଯ୍ୟଟକଙ୍କୁ ବିଳାସପୂର୍ଣ୍ଣ ଆରାମ ଦେବାରେ ଅସମର୍ଥ। ଜିଲାପାଳ ଓ ପର୍ଯ୍ୟଟନ ବିଭାଗର ଏକ ଦଳ ସମୀକ୍ଷା କରିବା ପରେ ଏଭଳି ସ୍ଥିତି ଜାଣିବାକୁ ପାଇଥିବା ଜଣାପଡିଛି। ଏ ସବୁ ସମସ୍ୟା କେବେ ସୁଧୁରିବ ଏବଂ ବୁକିଂ କେବେ ଆରମ୍ଭ ହେବା ସେ ନେଇ କାହା ପାଖରେ ସଠିକ ଖବର ନାହିଁ। ପର୍ଯ୍ୟଟନ ବିଭାଗ ଓ ଜିଲା ପ୍ରଶାସନ ଅନ୍ଧାରରେ ବାଡି ବୁଲାଉଛନ୍ତି। ଦେଖୁ ଦେଖୁ ଜାନୁଆରୀ ମାସ ୫ତାରିଖ ହେଲାଣି। ଶୀତର ପ୍ରକୋପ ବି ଆଗାମୀ ଦିନରେ ହ୍ରାସ ପାଇବ। ସେ ସମୟ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ନା ହେବନି ତାହା ବି ସନ୍ଦେହ। ଠିକାଦାର ପ୍ରୀତି ଯୋଗୁ ଆଜି ପାତି ସୁନାପୁର ଇକୋ ରିଟ୍ରିଟ ବିଫଳ ହେବାକୁ ଯାଉଛି।
ମୁଁ କ୍ଷେତ୍ରରେ କାମ କରିବା ଲୋକ। କାହିଁକି କାମ ଅସମ୍ପୂର୍ଣ୍ଣ ରହିଛି ତାହା ନିର୍ଦେଶକଙ୍କୁ ପଚାରନ୍ତୁ ବୋଲି ଇକୋ ରି-ଟ୍ରିଟର ଅସମ୍ପୂର୍ଣ୍ଣତା ଉପରେ ପର୍ଯ୍ୟଟନ ବିଭାଗର ଜିଲା ସହକାରୀ ନିର୍ଦେଶକ କରିଛନ୍ତି। ଏନେଇ ପର୍ଯ୍ୟଟନ ବିଭାଗର ନିର୍ଦେଶକଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ବ୍ୟକ୍ତିଗତ ସହାୟକ ଫୋନ ଉଠାଇ ଆମେ ଭୁବନେଶ୍ୱରରେ ରହିଲୁ, ସୁନାପୁର ଇକୋ ରି-ଟ୍ରିଟ କାହିଁକି କାର୍ଯ୍ୟକ୍ଷମ ହୋଇପାରିନି ତାହା ସ୍ଥାନୀୟ ପ୍ରଶାସନକୁ ପଚାରନ୍ତୁ ବୋଲି କହିଥିଲେ। ଏନେଇ ଆମେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଯୋଗାଯୋଗ ପାଇଁ ବହୁବାର ଚେଷ୍ଟା କରିଥିଲୁ; କିନ୍ତୁ ସେ ଫୋନ ଉଠାଇନଥିଲେ। ଇକୋ-ରିଟ୍ରିଟ୍‌କୁ ନେଇ ବିଭାଗ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବା ପ୍ରତୀୟମାନ ହୋଇଛି। ପ୍ରକୃତରେ କେଉଁଠି ଅସୁବିଧା ରହିଛି ସେ ସମ୍ପର୍କରେ କହିବାକୁ ସଭିଏଁ ପଛଘୁଞ୍ଚା ଦେଉଛନ୍ତି।

Comments are closed.