ସାମ୍ନାକୁ ଆସିଲା ‘ପତି ପତ୍ନୀ ଔର ୱୋ’ର ତିନି ମୁଖ୍ୟ କଳାକାରଙ୍କ ପ୍ରଥମ ଲୁକ୍‌

ମୁମ୍ବଇ : ବଲିଉଡ଼ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ପତି ପତ୍ନୀ ଔର ୱୋ’ର ମୁଖ୍ୟ କଳାକାରମାନଙ୍କ ପ୍ରଥମ ଲୁକ୍‍ ମଙ୍ଗଳବାର ସାମ୍ନାକୁ ଆସିଛି। ନିଜେ କାର୍ତ୍ତିକ ଟ୍ୱିଟ୍‍ କରି ନିଜର , ଭୂମି ପେଡନେକରଙ୍କର ଓ ଅନନ୍ୟା ପାଣ୍ଡେଙ୍କ ଲୁକ୍‍ ଆନୁଷ୍ଠାନିକ ଭାବେ ରିଲିଜ୍‍ କରିଛନ୍ତି। କାର୍ତ୍ତିକଙ୍କୁ ଚଳଚ୍ଚିତ୍ରରେ ଜଣେ ସାଧାରଣ ଲୋକ ବେଶରେ ଦେଖିବାକୁ ମିଳିଛି। ପୋଷ୍ଟର ସହ କାର୍ତ୍ତିକ ଲେଖିଛନ୍ତି, “ଚିଣ୍ଟୁ ତ୍ୟାଗୀଙ୍କୁ ଭେଟନ୍ତୁ। କାନପୁରର ସବୁଠାରୁ ଆଦର୍ଶବାଦୀ ସ୍ୱାମୀ”।

ଅନ୍ୟପକ୍ଷରେ ଭୂମିଙ୍କ ଲୁକ୍‍ ବିଷୟରେ କହିବାକୁ ଗଲେ, ସେ ଜଣେ ଷ୍ଟାଇଲିସ୍‍ ଗୃହିଣୀ ଭାବେ ନଜର ଆସିଛନ୍ତି। ଶାଢୀ ପିନ୍ଧିବା ସହ ସେ ହାତରେ ଗୋଟିଏ ବହି ଧରିଛନ୍ତି। ଏହି ପୋଷ୍ଟର ସହ କାର୍ତ୍ତିକ ଲେଖିଛନ୍ତି, “ଚିଣ୍ଟୁ ତ୍ୟାଗୀକୁ ବେଦିକାଠାରୁ ଭଲ ସ୍ତ୍ରୀ କେଉଁଠୁ ମିଳିବ? ନଜର ନ ଲାଗୁ”।

ସେହିପରି ଅନନ୍ୟା ପାଣ୍ଡେଙ୍କର ମଧ୍ୟ ଜବରଦସ୍ତ ଲୁକ୍‍ ଦେଖିବାକୁ ମିଳିଛି। ତାଙ୍କ ପୋଷ୍ଟରରେ ଲେଖାଅଛି, “ଇଏ ହେଉଛି ଅଗ୍ନିପଥ, ଏହାକୁ କେହିବି ପାର କରି ପାରି ନାହାନ୍ତି”। ଏଥିରେ ଅନନ୍ୟାଙ୍କ ଷ୍ଟାଇଲିସ୍‍ ଅନ୍ଦାଜ୍‍ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଚଳଚ୍ଚିତ୍ରରେ ସେ ଚିଣ୍ଟୁ ତ୍ୟାଗୀଙ୍କ ସେକ୍ରେଟାରୀ ଭୂମିକାରେ ଅଭିନୟ କରିଛନ୍ତି।

ଏହି ତିନି ଜଣଙ୍କ ଲୁକ୍‍କୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିବା ସହ ବହୁତ ଶେୟାର ମଧ୍ୟ କରାଯାଉଛି। ଏହି ଚଳଚ୍ଚିତ୍ର ଡିସେମ୍ବର ୬ ତାରିଖରେ ପରଦାକୁ ଆସିବ।

 

Comments are closed.