୧୨ରେ ଶତାବ୍ଦୀର ପ୍ରଥମ ଧୂମକେତୁ

ଭୁବନେଶ୍ୱର : ଚଳିତ ମାସ ୧୨ ତାରିଖରେ ଶତାବ୍ଦୀର ପ୍ରଥମ ଧୂମକେତୁ ଦେଖିବାକୁ ମିଳିବ। କରୋନା ସମୟରେ ସମସ୍ତେ ଘରେ ରହୁଥିବାରୁ ପ୍ରକୃତି ତା’ର ସୁନ୍ଦର ଦୃଶ୍ୟ ଦେଖିବାର ସୁଯୋଗ ଦେଇଛି। ପ୍ରାୟ ଅଧ ଘଣ୍ଟା ଧରି ଉତ୍ତର-ପଶ୍ଚିମ ଦିଗ୍‌ବଳୟରେ ୨୦ ଡିଗ୍ରୀ ଉପରେ ଏହା ଦେଖାଯିବ। ଏହି ଦିଗ୍‌ବଳୟରେ ମେଘ, ଧୂଳି ଓ ସହର ଆଲୋକରୁ ମୁକ୍ତ ରହିଲେ ଧୂମକେତୁଟି ଚଳିତ ମାସ ୧୨ରୁ ୩୦ ପର୍ଯ୍ୟନ୍ତ ଖାଲି ଆଖିରେ ଦେଖାଯିବ।
ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲରରେ ଏହା ପୂର୍ବରୁ ଦେଖାଯାଉଥିଲା। ପ୍ରାୟ ୨୩ବର୍ଷ ପରେ ଶତାବ୍ଦୀର ପ୍ରଥମ ଧୂମକେତୁ ଖାଲି ଆଖିରେ ଦେଖାଯାଉଛି। ସବୁ ଦିନ ଏହା ଧୀରେଧୀରେ ଉପର ଆଡ଼କୁ ଗତି କରି ମାସ ଶେଷରେ ଦିଗ୍‌ବଳୟର ପ୍ରାୟ ୪୦ଡିଗ୍ରୀ ଉପରେ ପହଞ୍ଚିବ। ସେହି ସମୟରେ ଏହା ସପ୍ତର୍ଷି ମଣ୍ଡଳର ନିକଟରେ ରହିବ ଓ ପ୍ରାୟ ଏକ ଘଣ୍ଟା ଧରି ଦେଖାଯିବ। ଧୂମକେତୁ ସୂର୍ଯ୍ୟଙ୍କଠାରୁ ଦୂରେଇ ଯାଉଥିବାରୁ ୧୦ ତାରିଖ ପରଠାରୁ ଏହାର ଉଜ୍ଜ୍ୱଳ କମି କମି ଜୁଲାଇ ୩୦ ପରେ ଏହାକୁ ଖାଲି ଆଖିରେ ଦେଖିବା ସମ୍ଭବ ହେବ ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଗତ ମାର୍ଚ୍ଚ ୨୭ରେ ସୂର୍ଯ୍ୟଠାରୁ ୩୧.୨ କୋଟି କିଲୋମିଟର ଦୂରରେ ଥିବା ‘ସି/୨୦୨୦ଏଫ-୩’ ଧୂମକେତୁ ‘ନିଓୱାଇଜ’ ନାମକ ଦୂରବୀକ୍ଷଣ ଦ୍ୱାରା ଆବିଷ୍କୃତ ହୋଇଥିଲା। ହଠାତ ଜୁଲାଇ ମାସ ଆରମ୍ଭରୁ ଧୂମକେତୁଟି ଖାଲି ଆଖିରେ ଦେଖାଯାଇଥିଲା। ଚଳିତ ବର୍ଷ ଆରମ୍ଭରେ ୨ଟି ଧୂମକେତୁ ‘ଆଟ୍ଲାସ’ ଓ ‘ସ୍ୱାନ’ ଖାଲି ଆଖିରେ ଦେଖା ନ ଯିବାରୁ ଜ୍ୟୋତିର୍ବିଜ୍ଞାନୀ ନିରାଶ ହୋଇଥିଲେ। ତେବେ ‘ସି/୨୦୨୦ଏଫ-୩’ ଧୂମକେତୁ ଦେଖାଯିବାରୁ ବୈଜ୍ଞାନିକମାନେ ଉତ୍ସାହିତ ହୋଇପଡ଼ିିଛନ୍ତି। ଧୂମକେତୁଟି ଜୁଲାଇ ୩ରେ ସୂର୍ଯ୍ୟଠାରୁ ସବୁଠାରୁ ନିକଟ ୪.୪ କୋଟି କିଲୋମିଟରକୁ ଆସିଥିଲା। ଜୁଲାଇ ୨୨ରେ ୧୦.୩ କୋଟି କିଲୋମିଟର ଦୂରତାରେ ଏହା ପୃଥିବୀର ନିକଟତର ଅବସ୍ଥାକୁ ଆସିବ ବୋଲି ଉପନିର୍ଦେଶକ ସୂଚନା ଦେଇଛନ୍ତି।

Comments are closed.