ଆଳୁ କିଲୋ ୪୦, ଚିନ୍ତାରେ ଖାଉଟୀ

ସିନେ୍ଧକେଲା: ଗୋଟିଏ ପଟେ କରୋନା ମହାମାରୀକୁ ନେଇ ଲୋକେ ଆତଙ୍କିତ ହେଉଥିବା ବେଳେ ଅନ୍ୟପଟେ ଖାଦ୍ୟ ସାମଗ୍ରୀ ଦରଦାମ ବୃଦ୍ଧି କୁ ନେଇ ସିନେ୍ଧକେଲା ଅଞ୍ଚଳର ଖାଉଟୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସିଛି। କିଛିଦିନ ତଳେ ପନିପରିବା ଦର ଆକାଶଛୁଆଁ ହୋଇଥିବା ବେଳେ ବର୍ତ୍ତମାନ ଆଳୁୁ କେଜି ପ୍ରତି ୪୦ ଟଙ୍କାରେ ଦୋକାନୀମାନେ ବିକ୍ରୀ କରୁଥିବା ଜଣାପଡିଛି ଯାହାକୁ ନେଇ ସିନେ୍ଧକେଲାରେ ଚର୍ଚ୍ଚା ଜୋର ଧରିଛି।

କରୋନାକୁ ନେଇ ଲକଡାଉନ ଯୋଗୁଁ ଛୋଟ ବେପାରୀ ଠାରୁ ଆରମ୍ଭ କରି ବଡ ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତଙ୍କ କାମଧନ୍ଦା ଗୋଟିଏ ପ୍ରକାରେ ଠପ ହୋଇଯାଇଛି। ଏପରି ସ୍ଥଳେ ଖାଉଟୀ ମନମୁତାବକ ଖାଦ୍ୟ ସାମଗ୍ରୀ କିଣି ପାରୁ ନାହାନ୍ତି। ଗରିବ ଲୋକେ ତଥା ଦାଦନ ଖଟି ଯାଇଥିବା ଶ୍ରମିକ ମାନେ କରୋନା ଭୟରେ ବାହାର ରାଜ୍ୟରୁ ଫେରି ଆସିଥିଲେ। କିନ୍ତୁ ବର୍ତ୍ତମାନ ଏଠାରେ କାମଧନ୍ଦା ନ ଥିବାରୁ ତଥା ଖାଦ୍ୟ ସାମଗ୍ରୀ ଦରଦାମ ବୃଦ୍ଧି ପାଉଥିବାରୁ କରୋନା ଠାରୁ ଅଧିକ ଭୋକର ଭୟ ଦେଖାଦେଲାଣି। ଯାହା ଦ୍ୱାରା କରୋନାରେ ନିଜ ଜୀବନକୁ ଖାତିର ନକରି ପୁଣି ଦାଦନ ପାଇଁ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। କରୋନାକୁ ନେଇ ଖାଉଟୀ ସାମଗ୍ରୀ ଦରଦାମ ବୃଦ୍ଧି ହେବ ନାହିଁ ବୋଲି ସରକାର ଘୋଷଣା କରୁଥିବା ବେଳେ ହୁ ହୁ ବଢି ଚାଲିଛି ଦରଦାମ। ଏହାକୁ ନେଇ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

Comments are closed.