ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବେ ନାହିଁ ଫଗୁଣସିନେରି ଗ୍ରାମବାସୀ

ପଟ୍ଟାଙ୍ଗି: କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ରାଜ୍ୟ ସୀମାନ୍ତ କୋଟିଆ ପଞ୍ଚାୟତର ଫଗୁଣସିନେରି ଗ୍ରାମବାସୀ ଆନ୍ଧ୍ର ରାଜ୍ୟ ସହ ରହିବେ , ଓଡ଼ିଶାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବେ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି।
ସୂଚନା ଅନୁଯାୟୀ ଆଗକୁ ଓଡିଶାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ ଉକ୍ତ ନିର୍ବାଚନରେ ୧୦ଖଣ୍ଡ ଗ୍ରାମବାସୀ ଭୋଟ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏପରିକି ଆନ୍ଧ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଯେପରି ସହଯୋଗ କରାଯାଉଛି ସେହିପରି ସହଯୋଗ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ସହଯୋଗ କରାଯାଉନାହିଁ। ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଥିବାରୁ ଓଡିଶାର କୋରାପୁଟ ଜିଲା ପ୍ରଶାସନ ତଥା ସ୍ଥାନୀୟ ବ୍ଲକ ପ୍ରଶାସନ ଘନଘନ ପହଞ୍ଚି ବିଭିନ୍ନ ପ୍ରତିଶ୍ରୁତି ଦେଉଛି । ଏହିପରି ମତ ରଖିଛନ୍ତି କୋଟିଆ ପଞ୍ଚାୟତର ଫଗୁଣସିନେରି ଗ୍ରାମର ସୋଢା ପେଲି ବିଶୁ। ଆନ୍ଧ୍ର ରାଜ୍ୟର ସାଲୁର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଉପସ୍ଥିତ ଗଣମାଧ୍ୟମ ଆଗରେ ସେ ଗ୍ରାମବାସୀଙ୍କ ପକ୍ଷରୁ ଏଭଳି ମତପ୍ରକାଶ କରିଛନ୍ତି।

 

ଅନ୍ୟପକ୍ଷରେ ଉକ୍ତ ଗ୍ରାମର କିଛି ସ୍ୱାର୍ଥବାଦୀ ଗ୍ରାମବାସୀଙ୍କ ଏହିପରି ମତାମତ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଏଭଳି ଭିଡିଓ ଚିତ୍ର ଏବେ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ଗ୍ରାମବାସୀଙ୍କ ମତାମତକୁ ନେଇ ତଦନ୍ତ ହେବା ଆବଶ୍ୟକତା ରହିଛି ଏବଂ ଏହା ଯଦି ସତ୍ୟ ହୋଇଥାଏ ବେଳ ଥାଉଣୁ ସମାଧାନ କରିବା ସହ ସୀମା ବିବାଦ ସୃଷ୍ଟି କରୁଥିବା ସ୍ୱାର୍ଥବାଦୀ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବିନୋଦ ମହାପାତ୍ର ଏବଂ ପଟ୍ଟାଙ୍ଗି ବ୍ଲକ ସଭାପତି ଶରତ କୁମାର ଧଳ ମତପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏହିପରି ଘଟଣାକୁ ନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟସାର୍ଥକ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଓଡିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି ଏବଂ କିଛି କାମ ମଧ୍ୟ ନିର୍ମାଣ ଚାଲିଛି। ତେଣୁ ସୀମାନ୍ତ ଲୋକଙ୍କ ପ୍ରତେକ ସମସ୍ୟା ଉପରେ ବ୍ଲକ ପ୍ରଶାସନ ଦୃଷ୍ଟି ରଖିଛି ବୋଲି ପ୍ରକାଶ କରିଛନ୍ତି।

Comments are closed.