ବେଆଇନ ଭାବରେ ଧାନ ଗଚ୍ଛିତ ରଖିଥିବା ମିଲ୍‍କୁ ସିଲ୍‍ କଲେ ଉପ ଜିଲାପାଳ

ପାଟଣାଗଡ :  ବେଆଇନ ଭାବରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରି ନିଜ ମିଲରେ ଗଚ୍ଛିତ ରଖିଥିବା ବେଲପଡା ବ୍ଲକ ସଲଣ୍ଡି ଅନ୍ତର୍ଗତ ଡୁଙ୍ଗରିପାଲିଠାରେ ଥିବା ଆର୍‍.ପି. ରାଇସ ଏବଂ ଚୂଡା ମିଲକୁ ଆଜି ପାଟଣାଗଡ ଉପ ଜିଲାପାଳ ସୋମନାଥ ପ୍ରଧାନ ସିଲ୍‍ କରିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଉକ୍ତ ମିଲ ମାଲିକ କଣ୍ଟାବାଂଜୀ ନିବାସୀ ଅନୀଲ ଅଗ୍ରୱାଲ ବେଆଇନ ଭାବରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରି ଗଚ୍ଛିତ ରଖିଥିବା କୌଣସି ସୂତ୍ରରୁ ଖବର ପାଇ ଉକ୍ତ ମିଲକୁ ଖାନତଲାସ କରିବା ପାଇଁ ସ୍ଥାନୀୟ ଉପ ଜିଲାପାଳ ସୋମନାଥ ପ୍ରଧାନ ରବିବାର ଅପରାହ୍ଣରେ ପହଞ୍ଚିଥିଲେ। ବେଲପଡା ପୁଲିସ ସହାୟତାରେ ଶ୍ରୀ ପ୍ରଧାନ ଉକ୍ତ ମିଲର ଏକ ଗୋଦାମ ଘରେ ବେଆଇନ ଭାବରେ ୨୮୮୦ ପ୍ୟାକେଟ ଧାନ(ହାରାହାରି ୧୦୩୭ କ୍ୱିଣ୍ଟାଲ) ଧାନ ମହଜୁଦ ଥିବା ପାଇଥିଲେ।

ଉକ୍ତ ମିଲ ପକ୍ଷରୁ ଧାନ କିଣା ପ୍ରକ୍ରିୟା ପାଇଁ ସରକାରଙ୍କ ସହ ହେଉଥିବା ଚୁକ୍ତିନାମା ମଧ୍ୟ କରାଯାଇନଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ଏହାଛଡା ଉକ୍ତ ମିଲ ନିଜ ସପକ୍ଷରେ ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର ମଧ୍ୟ ପ୍ରସ୍ତୁତ କରି ନଥିବାରୁ ମିଲକୁ ବନ୍ଦ କରିବାକୁ ବଲାଙ୍ଗୀର ଜିଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଏ ସବୁ ସତ୍ତେ୍ୱ ଉକ୍ତ ମିଲ ମାଲିକ ଏତେ ପରିମାଣର ଧାନ ଚାଷୀଙ୍କଠାରୁ କିଭଳି ସଂଗ୍ରହ କଲେ ତାହା ଏକ ପ୍ରଶ୍ନବାଚୀ ହୋଇପଡିଛି। ଏ ସଂପର୍କରେ ଉପ ଜିଲାପାଳ ଶ୍ରୀ ପ୍ରଧାନଙ୍କ ପ୍ରତିକ୍ରିୟା ମଗାଯିବାରୁ ଉକ୍ତ ଗୋଦାମ ଘରକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଥିବା ସୂଚନା ଦେବା ସହ ତାହାର ବିଧିବଦ୍ଧ ତଦନ୍ତ ପୂର୍ବକ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Comments are closed.