ଟ୍ରକ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ଦୁଇ ଚାଳକ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଡୁମୁରିଗୋଡା ପେଟ୍ରୋଲ ପମ୍ପ ନିକଟରେ ଦୁଇଟି ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଉଭୟ ଗାଡିର ଚାଳକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସୂଚନା ଅନୁଯାୟୀ କେନ୍ଦୁଝରରୁ କଲିକତା ଅଭିମୁଖେ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ଡୁମୁରିଗୋଡା ନିକଟରେ ତେଲ ପକାଇବା ପାଇଁ ପେଟ୍ରୋଲ ପମ୍ପକୁ ଯାଉଥିବା ସମୟରେ ବିପରୀତ ଦିଗରେ ଯଶିପୁରରୁ କେନ୍ଦୁଝର ଅଭିମୁଖେ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଉଭୟ ଗାଡିର ଚାଳକ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ । ଗୁରୁତର ଚାଳକ ମଧ୍ୟରୁ ଜଣେ ପଣ୍ଡାପଡା ଥାନା ଜଙ୍ଘିରାର ଶ୍ରୀଧର ବେହେରା ଓ ଅନ୍ୟ ଜଣେ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପୋଇପାଣି ଗ୍ରାମର ଫଣିଭୂଷଣ ମହାନ୍ତ ବୋଲି ଜଣାପଡିଛି। ଖବର ପାଇ ତୁରୁମୁଙ୍ଗା ପୁଲିସ ଓ ପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଉଦ୍ୟମ କରି ଗାଡ଼ି ଭିତରୁ ଉଭୟ ଚାଳକକୁ ବାହାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଡାକ୍ତରଖାନାକୁ ପଠାଇଥିଲେ । ଦୁର୍ଘଟଣା ପରେ ରାସ୍ତାର ଉଭୟ ପଟରେ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ ରହିଥିଲା ।

Comments are closed.