ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ୭ ଛାତ୍ରଛାତ୍ରୀ ଆହତ

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନବିଲା ପ୍ରାଥମିକ ବିଦ୍ୟାଳୟରେ ଅଘଟଣ ଘଟିଛି । ଶ୍ରେଣୀ ଗୃହରେ ପରୀକ୍ଷା ଚାଲିଥିବା ସମୟରେ ବିଦ୍ୟାଳୟ ଛାତର ପ୍ଲାଷ୍ଟର ଖସି ଜଣେ ଛାତ୍ର ଏବଂ ୬ ଛାତ୍ରୀ ଆହାତ ହୋଇଛନ୍ତି । ଆହାତ ଛାତ୍ରଛାତ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ବିଦ୍ୟାଳୟର ଉକ୍ତ ଶ୍ରେଣୀଗୃହଟି ଦୀର୍ଘଦିନ ହେଲା ଅସୁରକ୍ଷିତ ହୋଇ ପଡିରହିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବାରମ୍ବାର ବି.ଇ.ଓଙ୍କୁ ନୂତନ ଶ୍ରେଣୀଗୃହ ପାଇଁ ଲିଖିତ ଭାବେ ଜଣାଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ନୂତନ ଗୃହ ହୋଇପାରିନାହିଁ । ଗତ ୧୫ ଦିନ ତଳେ ବଡଜାମୁପଶି ପଞ୍ଚୟତ ତରଫରୁ ଉକ୍ତ ଅସୁରକ୍ଷିତ ଶ୍ରେଣୀଗୃହଟିର ନିମ୍ନମାନର ମରାମତି କାମ ହୋଇଥିବାରୁ ଏଭଳି ଘଟଣା ଘଟିଥିବା ଅବିଭାବକ ମାନେ ଅଭିଯୋଗ ଆଣିଛନ୍ତି ।

Comments are closed.