ଢେଙ୍କିକୋଟ ଓଭରବ୍ରିଜ ରାସ୍ତା ବଜାରବାସୀଙ୍କୁ କାଳ

ପାଟଣା: ବିଗତ ୬ ବର୍ଷ ହେଲା ଜାତୀୟ ରାଜପଥ କର୍ତୃପକ୍ଷ ୨୦ ନଂ ଜାତୀୟ ରାଜପଥରୁ ପଥକର ଫାଟକରେ ପ୍ରତ୍ୟହ ଲକ୍ଷ ଲକ୍ଷ ଟଙ୍କାର ଟିକସ ଆଦାୟ କରୁଥିବା ବେଳେ ଏହି ରାସ୍ତା ଅନ୍ତର୍ଗତ ଢେଙ୍କିକୋଟ ବଜାର ଅଞ୍ଚଳବାସୀଙ୍କୁ ବିପଦ ମଧ୍ୟରେ ରଖିବା ଚିନ୍ତାର କାରଣ ହୋଇଛି। ଢେଙ୍କିକୋଟ ଓଭରବ୍ରିଜ ଉପରେ ଦୁର୍ଘଟଣା ଘଟି ୬ ଜଣଙ୍କର ଇତି ମଧ୍ୟରେ ଜୀବନହାନି କାରଣରୁ ଏହି ଓଭରବ୍ରିଜ ଅଞ୍ଚଳକୁ ବିଭାଗ ବ୍ଲାକ ସ୍ପଟ୍ ମଧ୍ୟ ଘୋଷଣା କରିଛି। ଏହା ସତ୍ତ୍ବେ ସମସ୍ୟା ସୁଧାରିବା ଦିଗରେ କାଳକ୍ଷେପଣ ନୀତି ଏଠାରେ ଅଶାନ୍ତିର କାରଣ ହୋଇଛି।

ଆଜି ପର୍ଯ୍ୟନ୍ତ ଓଭରବ୍ରିଜ ୪ ଲେନ ରାସ୍ତାର ଦୁଇ ପାର୍ଶ୍ଵରେ ସୁରକ୍ଷା ବାଡ଼ା ଲଗାଯାଉନାହିଁ। ସେହିପରି ମୁଖ୍ୟ ରାସ୍ତା କଡ଼ରୁ ପ୍ରଚୁର ପରିମାଣର ମାଟି ବର୍ଷାରେ ଧୋଇ ବଜାର ରାସ୍ତାରେ ଜମାହେବା ସହ ମୁଖ୍ୟ ରାସ୍ତା ମାଟି ଗୁମ୍ଫା ଉପରେ ରହିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ଯେକୌଣସି ମୁହୂର୍ତ୍ତରେ ଓଭରବ୍ରିଜ ରାସ୍ତା ଯାନବାହାନ ଚଳାଚଳ ସମୟରେ ରାସ୍ତା ଦବିବା ଆଶଙ୍କା ରହିଛି। ସେହିପରି ମୁଖ୍ୟ ଉଚ୍ଚାପୋଲର ଦୁଇ ପାର୍ଶ୍ଵରେ ଥିବା ବଜାର ରାସ୍ତା କାମ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ। ନାମକୁ ମାତ୍ର କିଛି ସ୍ଥାନରେ ଡ୍ରେନ କାମ ହୋଇଥିବା ବେଳେ ଏହା ପୋତି ହୋଇରହିବା ସହ ଠାଏ ଠାଏ ଭାଙ୍ଗିରୁଜି ଯାଇଥିବାରୁ ରାସ୍ତାରେ ବର୍ଷାପାଣି ଲହଡ଼ି ମରୁଛି। ଉପର ରାସ୍ତାର ପ୍ରବଳ ମାଟି ଧୋଇ ବଜାର ରାସ୍ତାରେ ପଡୁଥିବାରୁ କାଦୁଅ ପଚ ପଚ୍ ରାସ୍ତାରେ ଲୋକେ ଯାତାୟାତ କରୁଛନ୍ତି। ବିଶେଷ କରି ଉପର ରାସ୍ତାରେ ମାଟି ଧୋଇଯିବା ବନ୍ଦ କରିବା, ଓଭର ବ୍ରିଜ ରାସ୍ତାରେ ସୁରକ୍ଷା ବାଡ଼ା ଦିଆଯିବା ବଜାର ରାସ୍ତା କାମ ଯଥାଶୀଘ୍ର କରାଯିବା ସହ ରାସ୍ତା ପାଣି ନିଷ୍କାସନ ବ୍ୟବସ୍ଥା କ୍ଷେତ୍ରରେ ଥିବା କାମ ସାରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।

Comments are closed.