ଦୁର୍ଦ୍ଦିନରେ ୬୮ବର୍ଷର ପୋଇପାଣି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

୫-ଟି ରେ ସାମିଲ ପାଇଁ ଅଭିଭାବକଙ୍କ ଦାବି

ପାଟଣା: ଘଟଗାଁ ବ୍ଲକ ତୋରାଣୀପୋଖରୀ ପଞ୍ଚାୟତ ପୋଇପାଣି ଗ୍ରାମରେ ୧୯୫୪ ମସିହାରେ ସ୍ଥାପିତ ପ୍ରାଥମିକ ବିଦ୍ୟାଳୟ ଏବେ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଣତ ହୋଇଥିଲେ ମଧ୍ୟ ୬୮ ବର୍ଷର ଏହି ପୁରୁଣା ବିଦ୍ୟାଳୟ ଦୁର୍ଦ୍ଦିନରେ ଗତି କରୁଥିବା ଜଣାପଡିଛି । ବିଦ୍ୟାଳୟର ନିଜସ୍ୱ ଖେଳ ପଡିଆ ଓ ଶ୍ରେଣୀ ଗୃହ ପାଇଁ ଯଥେଷ୍ଟ ସ୍ଥାନ ଥିଲେ ମଧ୍ୟ ଏହି ବିଦ୍ୟାଳୟ ଦୁର୍ଦ୍ଦିନରେ ଗତି କରୁଥିବାରୁ ଏହି ବିଦ୍ୟାଳୟକୁ ୫-ଟି ସାମିଲ କରାଯାଇ ଏହାର ଉନ୍ନତିକରଣ କରାଯିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି ।

ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ୩୫ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୨ ଜଣ, ତୃତୀୟ ଶ୍ରେଣୀରେ ୨୨ ଜଣ ଚତୁର୍ଥ ଶ୍ରେଣୀରେ ୧୭ ଜଣ, ପଞ୍ଚମ ଶ୍ରେଣୀରେ ୧୮ ଜଣ, ଷଷ୍ଠ ଶ୍ରେଣୀରେ ୩୭ ଜଣ, ସପ୍ତମ ଶ୍ରେଣୀରେ ୩୫ ଜଣ ଓ ଅଷ୍ଟମ ଶ୍ରେଣୀରେ ୩୫ ଜଣ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୨୨୧ ଜଣ ଛାତ୍ରଛାତ୍ରୀ ଏବେ ସୁଦ୍ଧା ନାମ ଲେଖାଇ ପାଠ ପଢୁଥିବା ବେଳେ ଶ୍ରେଣୀଗୃହର ଅଭାବ ଓ ଶିକ୍ଷକ ଅଭାବ କାରଣରୁ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀଗୃହ, ତୃତୀୟ ଓ ଚତୁର୍ଥ ଶ୍ରେଣୀ ଗୋଟିଏ ଶ୍ରେଣୀଗୃହ ଏବଂ ପଞ୍ଚମ ଓ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଶ୍ରେଣୀଗୃହରେ ପାଠପଢାଯାଉଛି । ପ୍ରଧାନଶିକ୍ଷକଙ୍କୁ ମିଶାଇ ଅନ୍ୟ ୩ ଜଣ ଶିକ୍ଷକ ଓ ଜଣେ ଗଣଶିକ୍ଷକଙ୍କୁ ନେଇ ବିଦ୍ୟାଳୟ ଚାଲିଛି ।

ଏଠାରେ ଅଷ୍ଟମ ଶ୍ରେଣୀ ଯାଏ ଥିଲେ ମଧ୍ୟ ହିନ୍ଦୀ, ସଂସ୍କୃତ ଓ କ୍ରିଡାଶିକ୍ଷକ ଏଠାରେ ନଥିବା ଜଣାପଡିଛି । ଏଠାରେ ମାତ୍ର ୩ଟି ଭଲ ଶ୍ରେଣୀଗୃହ ଥିବାବେଳେ ଅନ୍ୟ ୩ଟି ଦଦରା ଶ୍ରେଣୀଗୃହ ରହିଛି । ନିକଟରେ ବିପଦସଙ୍କୁଳ ଗୃହକୁ ଭାଙ୍ଗି ଦିଆଯାଇଛି । ବିଦ୍ୟାଳୟର ପାଚେରୀ ଭାଙ୍ଗିଯାଇଥିବା ବେଳେ ଗଭୀର ନଳକୂପ ନଥିବାରୁ ଉତ୍କଟ ପାନୀୟ ଜଳ ସମସ୍ୟା ଭିତରେ ବିଦ୍ୟାଳୟଟି ରହିଛି । ସେହିପରି ଭଲ ପାଇଖାନାଟିଏ ମଧ୍ୟ ବିଦ୍ୟାଳୟରେ ନାହିଁ । ଦୁର୍ଦ୍ଦିନରୁ ପୋଇପାଣି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉଦ୍ଧାର ପାଇଁ ଏହାକୁ ୫-ଟି ରେ ସାମିଲ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Comments are closed.