ଟ୍ରାକ୍ଟର-ବାଇକ ମୁହାଁମୁହିଁ ଦୁର୍ଘଟଣା, ୩ ବର୍ଷର ଶିଶୁ ମୃତ, ୨ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଗଣ୍ଡବେଡ଼ା ପଞ୍ଚାୟତ ତେଲିପଡ଼ା- ସରସ୍ବତୀପଡ଼ା ମୁଖ୍ୟମନ୍ତ୍ରୀ ସଡ଼କର ଲକ୍ଷ୍ମୀପଶି ଗ୍ରାମ ନିକଟ ରାଣି ଛକ ଠାରେ ବୁଧବାର ପୂର୍ବାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତେବେ ଏହି ଦୁର୍ଘଟଣାରେ ଅଭୟ ଲୋହାର ୩ ବର୍ଷ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରେ ଆଉ ଦୁଇ ଜଣ ବାଳକ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁଯାଇ ଟ୍ରାକ୍ଟରଟି ଲକ୍ଷ୍ମୀପଶି ଗ୍ରାମ ପଟୁ ସୁଆଗପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ବାଇକ ଯୋଗେ ତିନିଜଣ ଆସୁଥିବା ସମୟରେ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲା। ସେହି ବାଇକରେ ଭଣଜା ଏବଂ ମାମୁଁ ଥିବା ବେଳେ ଅନ୍ୟ ଜଣେ ବାଳକ ଥିଲେ। ବାଳକ ଦ୍ୱୟ ହେଲେ ସୁମନ୍ତ ଲୋହାର ଏବଂ ଦେବଦତ୍ତ ମହାନ୍ତ। ମୃତ ଶିଶୁ ସୁଆଗପୁର ଗ୍ରାମର କୃଷ୍ଣ ଲୋହାରଙ୍କ ପୁଅ ଅଭୟ ଲୋହାର ବୋଲି ଜଣାପଡିଛି। ତେବେ ସୁମନ୍ତ ଲୋହାର ଏବଂ ଦେବଦତ୍ତ ମହାନ୍ତ ବାଇକରେ ଅଭୟ ଲୋହାରକୁ ଅଙ୍ଗନବାଡି କେନ୍ଦ୍ରରୁ ଘରକୁ ଆଣୁଥିବା ସମୟରେ ଏପରି ଅଘଟଣ ଘଟିଥିଲା। ଟ୍ରାକ୍ଟରଟି ଲକ୍ଷ୍ମୀପଶି ଗ୍ରାମର ଘନଶ୍ୟାମ ମହାନ୍ତଙ୍କର ହୋଇଥିବା ବେଳେ ଲକ୍ଷ୍ମଣ ମୁଣ୍ଡା ଟ୍ରାକ୍ଟରଟିକୁ ମଦ୍ୟପାନ କରି ଚଳାଉ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ତେବେ ଦୁର୍ଘଟଣା ଘଟିବା ପରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଛି। ତେବେ ଏହି ଅଞ୍ଚଳରେ ଟ୍ରାକ୍ଟର ଗୁଡ଼ିକ ବେଆଇନ ପରିବହନରେ ଲିପ୍ତ ରହୁ ଥିବାରୁ, ପ୍ରତ୍ୟେକ ସମୟରେ ଗାଡ଼ି ଗୁଡ଼ିକୁ ଦୃତଗତିରେ ଚାଳନା କରୁଥିବାରୁ ପ୍ରାୟ ସମୟରେ ଏପରି ବଡ଼ ବଡ଼ ଦୁର୍ଘଟଣା ଘଟୁଛି। ଏଥିପ୍ରତି ସ୍ଥାନୀୟ ପୁଲିସ ଦୃଷ୍ଟି ଦେବା ସହ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି। ଦୁର୍ଘଟଣା ସମ୍ପର୍କରେ ସୁଆଗପୁରର ମୋହନ ଲୋହାର ଥାନାରେ ଏତଲା ଦେଇଛନ୍ତି।

Comments are closed.