ମଶାଣିରୁ ଡାକ୍ତରଖାନାକୁ ଫେରିଥିବା ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ମୃତ

ପାଟଣା: ଜନ୍ମ ହେଲା ଶିଶୁକୁ ମୃତ ବୋଲି ଡାକ୍ତରଖାନାରୁ ପଠାଇଦେଲେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର। ମୃତ ଶିଶୁକୁ ପୋତିବା ସମୟରେ ଶିଶୁଟି ଜୀବିତ ଥିବା ଘଟଣା ଦେଖିବାକୁ ମିଳିଥିଲା। ଏଭଳି ଅଭାବନୀୟ ଘଟଣା ଘଟିଛି ସାହାରପଡା ବ୍ଲକ ଖଡ଼ିକାପଦା ଗ୍ରାମରେ। ଗତକାଲି ଗ୍ରାମର ସୁନିଆ ମୁଣ୍ଡାଙ୍କ ପତ୍ନୀ ରାଇମଣି ମୁଣ୍ଡାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ପୁତ୍ର ଶିଶୁଟି ଜନ୍ମ ହେବାପରେ ଶିଶୁକୁ ମୃତ ବୋଲି ଘରକୁ ଫେରାଇ ଦେଇଥିଲେ ଡାକ୍ତର। ତେବେ ଡାକ୍ତର ଫେରାଇ ଦେବା ପରେ ସୁନିଆ ଏକ ବ୍ୟାଗରେ ଶିଶୁକୁ ଆଣି ଗାଁ ମଶାଣିରେ ପୋତିବା ସମୟରେ ଶିଶୁଟି କାନ୍ଦିଥିଲା। ଫଳରେ ସୁନିଆ ପୁଣି ଶିଶୁକୁ ନେଇ କରଞ୍ଜିଆ ମେଡିକାଲ ଯାଇଥିଲେ। ପରେ ଆଇସିୟୁରେ ଭର୍ତ୍ତି କରାଯାଇ ଶିଶୁଟିର ଚିକିତ୍ସା କରାଯାଉଥିଲା। ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା।

ତେବେ ଆଜି ସକାଳ ୭ଟା ସମୟରେ ଶିଶୁଟିର ମୃତ୍ୟୁ ଘଟିଥିବା ଜଣାପଡିଛି। ପ୍ରସବ ପରେ ଶିଶୁଟିର ଉପଯୁକ୍ତ ଚିକିତ୍ସା କରାନଯାଇ ଶିଶୁଟିକୁ ମୃତ ବୋଲି ଘୋଷଣା କରିବା ଓ ପରେ ମଶାଣିରୁ ଶିଶୁଟି ଡାକ୍ତରଖାନା ଫେରିବା ସତ୍ୱେ ଆଜି ସକାଳେ ତାର ମୃତ୍ୟୁ ହେବା ପଛରେ ଡାକ୍ତରଙ୍କ ଭୂମିକାକୁ ନେଇ ଏଠାରେ ନାନାଦି ଚର୍ଚ୍ଚା ହେଉଛି।

Comments are closed.