ସାଇବର ଠକେଇରେ ଆନ୍ତାଃରାଜ୍ୟ ସାଇବର ଠକ, ଜଣେ ଅଣ ଓଡିଆ ଟାଇଲ ମିସ୍ତ୍ରୀ ଗିରଫ

ପାଟଣା: ପାଟଣା ବ୍ଲକ କଣ୍ଟିଆପଡା ପଂଚାୟତ ସମିତିସଭ୍ୟ ବିଭୂତି ଭୂଷଣ ନାଏକଙ୍କ ଜନସେବା କେନ୍ଦ୍ରକୁ ମାଧ୍ୟମ କରି ସାହାଯ୍ୟ ମାଗିବା ଓ ଆନ୍ତଃରାଜ୍ୟ ସାଇବର ଠକ ପଠାଉଥିବା ଟଙ୍କାକୁ ନେଇଯିବା ପରେ ଜନସେବା କେନ୍ଦ୍ର ମାଲିକ ଶ୍ରୀ ନାଏକଙ୍କର ଦୁଇ ଦୁଇଟି ବ୍ୟାଙ୍କ ଜମାଖାତାକୁ ବ୍ୟାଙ୍କ ଫ୍ରିଜ କରିବା ଘଟଣାରେ କେନ୍ଦୁଝର ଆରକ୍ଷୀ ଜଣେ ଅଣଓଡିଆ ଟାଇଲି ମିସ୍ତ୍ରୀଙ୍କୁ ଗିରଫ କରିଛି। ତୁରୁମୁଙ୍ଗା ଥାନାରେ କଣ୍ଟିଆପଡାର ବିଭୂତିଭୂଷଣ ନାଏକ ଅଭିଯୋଗ କରିବା ସହ ଘଟଣା ସମ୍ପର୍କରେ ଜିଲ୍ଲା ଏସପିଙ୍କୁ ସେ ସାଇବର ଠକେଇର ଶୀକାର ହୋଇଥିବା ଜଣାଇବା ପରେ ଏହି ମାମଲାର ତଦନ୍ତ ଝୁମ୍ପୁରା ଥାନା ଆରକ୍ଷୀ ନୀରିକ୍ଷକ ବରେନ୍ଦ୍ର କୁମାର ଶିଅଳଙ୍କୁ ଦିଆଯାଇଥିଲା।

ଅଭିଯୋଗ ପାଇବା ପରେ ଆରକ୍ଷୀଙ୍କ ପକ୍ଷରୁ ମୋବାଇଲ ଟ୍ରାକିଂ କରାଯାଇ ଅଭିଯୁକ୍ତ ମହମ୍ମଦ ସଲାହଉଦ୍ଦିନଙ୍କୁ ଗିରଫ କରାଯାଇଛି। ସଲାହଉଦ୍ଦିନ ଜଣେ ପେଶାଦାର ଠକ ଓ ସାଇବର ଠକ ଦଳଙ୍କ ସହ ଜଡିତ ବୋଲି ଜଣାପଡିଛି। ଗୋଡିପୋଖରୀ ଗ୍ରାମର ଶ୍ରମଜୀବି ମହିଳା ବାସନ୍ତୀ ମହାନ୍ତଙ୍କୁ ସାକ୍ଷୀ ଦେଖାଇ ସେ କଣ୍ଟିଆପଡା ଜନସେବା କେନ୍ଦ୍ରକୁ ଯାଇ ବିଶ୍ୱାସ ଜନ୍ମାଇବା ସହ ତାଙ୍କ ପାଖକୁ ଅନ୍ୟ ରାଜ୍ୟରୁ ଟଙ୍କା ଆସିବ ଓ ସେ କମିଶନ କାଟି ଟଙ୍କା ନେବେ ପ୍ରତିଶ୍ରୁତି ଦେଇଥିଲେ। କମିଶନ ଲୋଭରେ ଶ୍ରୀ ନାଏକ ତାଙ୍କ ଜମାଖାତାକୁ ବାହାର ରାଜ୍ୟରୁ ଆସୁଥିବା ଟଙ୍କାରୁ କମିଶନ କାଟି ସେ ବିଭିନ୍ନ ପର୍ଯ୍ୟାୟରେ ଲକ୍ଷାଧିକ ଟଙ୍କା ଦେବା ପରେ ପରେ ତାଙ୍କ ଜମାଖାତା ୨ଟି ବ୍ୟାଙ୍କ ଫ୍ରିଜ କରିଥିବା ଜାଣିବାକୁ ପାଇଥିଲେ।

ଏ ନେଇ ସେ ତୁରୁମୁଙ୍ଗା ଥାନାର ଦ୍ୱାରସ୍ଥ ହୋଇଥିଲେ। ମାମଲାର ତଦନ୍ତ ଦାୟିତ୍ୱ ଝୁମ୍ପୁରା ଥାନାଧିକାରୀ ବରେନ୍ଦ୍ର କୁମାର ଶିଅଳଙ୍କୁ ଦିଆଯାଇଥିଲା। ଶ୍ରୀ ଶିଅଳ ଘଷିପୁରା ଥାନା ଅଂଚଳରୁ ଅଭିଯୁକ୍ତ ମହମ୍ମଦ ସଲାହଉଦ୍ଦିନ (୨୮)କୁ ଗିରଫ କରିଛନ୍ତି। ତାହା ଠାରୁ ୩ ଟି ମୋବାଇଲ ଜବତ କରାଯାଇଛି। ସଲାହଉଦ୍ଦିନର ଘର ଝାଡଖଣ୍ଡ ରାଜ୍ୟ ଗିରିଡିହ ଜିଲ୍ଲା ଅହଲ୍ୟାପୁର ଥାନା କଲ୍ୟାଣପୁର ଗ୍ରାମରେ ବୋଲି ସୂଚନା ମିଳିଛି। ସେ କଣ୍ଟିଆପଡା ଜନସେବା କେନ୍ଦ୍ରରୁ ପର୍ଯ୍ୟାୟ କ୍ରମେ ୧ ଲକ୍ଷ ୬୪ ହଜାର ଟଙ୍କା ନେଇଥିଲା। ସାଇବର ଠକଙ୍କ ଜରିଆରେ ଜନସେବା କେନ୍ଦ୍ରର ବିଭୂତିଙ୍କ ଜମାଖାତାକୁ ଏହି ଟଙ୍କା ଆସିଥିବାରୁ ତାଙ୍କ ଜମାଖାତାକୁ ଫ୍ରିଜ କରାଯାଇଥିଲା।

Comments are closed.