କେନ୍ଦ୍ର ରେଳମନ୍ତ୍ରୀଙ୍କୁ ରେଳ ସମସ୍ୟା ପାଇଁ ଦାବିପତ୍ର ପ୍ରଦାନ

ପାଟଣା: ରେଳ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନୂଆଦିଲ୍ଲୀ ସ୍ଥିତ ଇ.ନିକେତନ କାର୍ଯ୍ୟାଳୟରେ ଗତକାଲି ଜିଲା ବିଜେପିର ପୂର୍ବତନ ସଭାପତି ରାଧାକାନ୍ତ ମହାନ୍ତ ସାକ୍ଷାତ କରି କେନ୍ଦୁଝର ଜିଲ୍ଲାର ବିଭିନ୍ନ ରେଳ ସମସ୍ୟା ନେଇ ମୋର୍ଚ୍ଚା ଓ କେନ୍ଦୁଝର ଯୁବ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରମୁଖ ଦାବି ମଧ୍ୟରେ ପୁରୀ – ବଡ଼ବିଲ-ରାଉରକେଲା ଟ୍ରେନର ଯଥା ଶୀଘ୍ର ପୁନଃ ପ୍ରଚଳନ, ଖଡ଼ଗପୁର – ଯାଜପୁର ରୋଡ଼ ପାସେଞ୍ଜର ଟ୍ରେନର କେନ୍ଦୁଝର ପର୍ଯ୍ୟନ୍ତ ସମ୍ପ୍ରସାରଣ, କେନ୍ଦୁଝର ଦେଇ ନୂଆଦିଲ୍ଲୀ, ଟାଟାନଗର – ପୁରୀ ଭାୟା କେନ୍ଦୁଝର ଦେଇ ରାତ୍ରି କାଳୀନ ଟ୍ରେନ ସେବା, ବିଶାଖାପାଟଣା – ଟାଟା ନଗର ଟ୍ରେନକୁ ସାପ୍ତାହିକ ୩ ଦିନ ପ୍ରଚଳନ, ବାଂଶପାଣି – ବଡ଼ବିଲ ଓ କେନ୍ଦୁଝର – ବାଦାମପାହାଡ଼ ମଧ୍ୟରେ ରେଳ ସଂଯୋଗୀକରଣ, ଟ୍ରେନ ଯୋଗେ ଅଳ୍ପ ରାସ୍ତା ମଧ୍ୟରେ ଲୁହାପଥର ପରିବହନ ପାଇଁ ଉପୁଜିଥିବା ଟ୍ରକ ମାଲିକଙ୍କ ସମାସ୍ୟା, କେନ୍ଦୁଝର ଜିଲ୍ଲାର ଚାଷୀମାନଙ୍କ ସାର ସମସ୍ୟାର ସମାଧାନ ନିମନ୍ତେ ନରଣପୁରରେ ସାର ରେକ ପଏଣ୍ଟ ପ୍ରତିଷ୍ଠା ନେଇ ଦାବିପତ୍ରରେ ଆଲୋକପାତ କରାଯାଇଛି।

ମନ୍ତ୍ରୀ କେନ୍ଦୁଝର ଜିଲ୍ଲାରେ ଚାଷୀଙ୍କ ପାଇଁ ସାର ରେକ ପଏଣ୍ଟ ନଥିବା ଓ ଏହା ପାଇଁ ସାରର ବ୍ୟାପକ କଳାବଜାରୀ ବିଷୟକୁ ଗୁରତ୍ୱର ସହ ନେଇଥିଲେ ଏବଂ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନରଣପୁର ରେକ ପଏଣ୍ଟକୁ ରାସ୍ତା ସଂଯୋଗୀକରଣ ରାଜ୍ୟ ସରକାର ବର୍ତ୍ତମାନ ସୁଧା ସଂପୂର୍ଣ୍ଣ କରିନଥିବା ନେଇ ଅବଗତ କରାଯାଇଥିଲା। ଏହି ପ୍ରତିନିଧି ଦଳରେ କେନ୍ଦୁଝର ଜିଲ୍ଲାର ପୂର୍ବତନ ସଭାପତି ତଥା ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତଙ୍କ ସହିତ ଯୋଡ଼ା ନଗର ବିଜେପି ସଭାପତି ସୁଶାନ୍ତ ବେବର୍ତା, ଯୋଡ଼ା ମଣ୍ଡଳର ସାଧାରଣ ସମ୍ପାଦକ ଅନନ୍ତ ଟୁଡୁ, ଉପସଭାପତି ପାର୍ଥ ସାରଥୀ ଷଡଙ୍ଗୀ, ବିଚିତ୍ର ନନ୍ଦ ଦାଶ, କୃଷକ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ରାଜେଶ ମହାନ୍ତ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲା କଥା, ଚାଷୀଙ୍କ ସମାସ୍ୟାକୁ ମନ୍ତ୍ରୀ ଗୁରୁତ୍ୱ ଦେଇଥିବାରୁ ପ୍ରତିନିଧି ଦଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comments are closed.