ଶ୍ରମଜୀବୀ ଯୁବକଙ୍କ ଅକାଳ ମୃତ୍ୟୁ

ପାଟଣା: ପାଟଣା ଥାନା ଅନ୍ତର୍ଗତ ଶଙ୍ଖୁଆ ଗ୍ରାମର ଲମ୍ବୋଦର ନାଏକଙ୍କ ପୁଅ ତଥା ରଙ୍ଗ ମିସ୍ତ୍ରୀ ନରୋତ୍ତମ ନାଏକ (୨୫)ଙ୍କର ଆଜି ସକାଳେ ଅକାଳ ମୃତ୍ୟୁ ଘଟିଛି। ନରୋତ୍ତମ ଯଶିପୁର ଅଞ୍ଚଳରେ ରଙ୍ଗ କାମ କରୁଥିବା ବେଳେ ଅସୁସ୍ଥ ହୋଇ ପଡ଼ିବାରୁ ଅନ୍ୟ ସାଥୀମାନେ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ତାଙ୍କ ଘର ଲୋକଙ୍କୁ ଡକାଇ ଥିଲେ। ଘର ଲୋକେ କରଞ୍ଜିଆ ଡାକ୍ତରଖାନାରୁ ଗୁରୁତର ନରୋତ୍ତମଙ୍କୁ ଆଜି ସକାଳୁ ସକାଳୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ, ହେଲେ ସେଠାରେ ଡାକ୍ତର ତାଙ୍କୁ ଡାକ୍ତରଖାନା ଆସିବା ପୂର୍ବରୁ ମୃତ ଘୋଷଣା କରିବା ସହ ଆରକ୍ଷୀଙ୍କୁ ଖବର ଦେଇଥିଲେ। ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ କେନ୍ଦୁଝର ଯାଇ ମୃତକର ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁଙ୍କ ଠାରୁ ପ୍ରକାଶ।

Comments are closed.