ଅରିନ୍ଦମ ଦାସଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କଲେ ରାଜ୍ୟ ସରକାର

ପାଟଣା: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଚଳିତ ସେପ୍ଟେମ୍ବର ୨୪ ତାରିଖରେ ଏକ ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଟିଭିର ମୁଖ୍ୟ ସମ୍ୱାଦଦାତା ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯାଇଛି। ଅକାଳରେ ଇହଲୀଳା ସମ୍ବରଣ କରିଥିବା ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଲକ୍ଷ ଟଙ୍କାର ସହାୟତା ରାଶି ମଞ୍ଜୁର କରିଥିବା କଥା ସୂଚନା ଓ ଲୋକ ସଂପର୍କ ବିଭାଗର ପରାମର୍ଶଦାତା ମାନସ ମଙ୍ଗରାଜ୍ ଟ୍ୱିଟ୍ କରି ସୂଚନା ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଅର୍ଥରାଶି ଚେକ୍ ଆକାରରେ ପଠାଯାଇଥିଲା। ଜିଲ୍ଲାପାଳ ଆଶିଷ ଠାକରେଙ୍କ ନିର୍ଦ୍ଦେଶ କ୍ରମେ ଆଜି କେନ୍ଦୁଝର ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ସ୍ୱର୍ଗତ ଦାଶଙ୍କ ପୈତୃକ ଗ୍ରାମ ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମ ପଂଚାୟତର ରାଇକଳା ଗ୍ରାମକୁ ଯାଇ ସ୍ୱର୍ଗତ ଦାସଙ୍କର ପତ୍ନୀ ସମୀକ୍ଷା ବେହେରାଙ୍କୁ ଏହି ଚେକ ପ୍ରଦାନ କରିଥିଲେ ଏବଂ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

ଚେକ ପ୍ରଦାନ ସମୟରେ ସୂଚନା ଓ ଲୋକ ସଂପର୍କ ଉପ ନିର୍ଦେଶକ ସଂଜୀବ ବାରିକ, ପାଟଣା ତହସିଲଦାର ତାପସ ରଂଜନ ଦେହୁରୀ, ରାଜସ୍ବ ପରିଦର୍ଶକ ବନମାଳୀ ନାଏକ ଓ ରାଜ୍ୟ ସରକାରଙ୍କ ତରଫରୁ ପ୍ରେରିତ ହୋଇ ଆସିଥିବା ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟର ଲୋକ ସଂପର୍କ ଅଧିକାରୀ ଜୟନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.