ନୂଆଗାଁ ଜାମୁବଣୀ ଆଡି ବନ୍ଧ ଭାଙ୍ଗି ଏକର ଏକର ଧାନ ଜମି ବାଲିଚର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ପଞ୍ଚାୟତ ନୂଆଗାଁ ଗ୍ରାମରେ ନୂଆଗାଁ ହୁଡିରୁ ଡାବରଚୁଆ ହୁଡି ମଧ୍ୟରେ ହୋଇଥିବା ଜାମୁ ବଣୀ ଆଡ଼ିବନ୍ଧ ଗତକାଲି ସନ୍ଧ୍ୟାରେ ଭାଙ୍ଗି ଯିବାରୁ ବନ୍ଧରେ ଗଚ୍ଛିତ ପାଣି ମାଡିଯାଇ ଏକର ଏକର ଧାନ ଜମି ବାଲିଚର ହୋଇଯାଇଛି। ଏହି ପୁରୁଣା ବନ୍ଧଟି ଗତବର୍ଷ ମନରେଗା ଯୋଜନାରେ ପୁନଃ ନିର୍ମାଣ ହୋଇଥିବା ବେଳେ ନିମ୍ନମାନର କାମ ଯୋଗୁଁ ବନ୍ଧଟି ଭାଙ୍ଗି ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ୪ ଦିନ ଧରି ଲଗାଣ ବର୍ଷା ରେ ବନ୍ଧଟି ପାଣି ଭର୍ତ୍ତି ହୋଇ ଯିବାରୁ ଦୁର୍ବଳ ବନ୍ଧଟି ଭାଙ୍ଗି ଯାଇଥିଲା। ବନ୍ଧ ଭାଙ୍ଗି ଯିବା ଫଳରେ ଡାବରଚୁଆ ଗ୍ରାମର ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି।

ଡାବରଚୁଆ ଗ୍ରାମର ରବିନ୍ଦ୍ର ପାତ୍ର, ଶରତ ପାତ୍ର, ଛତିଶ ପାତ୍ର, ବସନ୍ତ ପାତ୍ର, ଦୁର୍ଯୋଧନ ନାଏକ, ଦୁଖବନ୍ଧୁ ନାଏକ, କମ୍ଭୁ ନାଏକ, କୃଷ୍ଣ ମୁଣ୍ଡା, ଜେନାମଣି ମୁଣ୍ଡା, ଦିଲିପ ନାଏକ, ଆନନ୍ଦ ନାଏକ, ଟୁକୁନି ମୁଣ୍ଡା ଓ ବୁଦୁନି ମୁଣ୍ଡା ପ୍ରମୁଖଙ୍କ ସହ ଅନ୍ୟ କିଛି ଚାଷୀଙ୍କର ଧାନ ଚାଷ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଘଟଣା ସମ୍ପର୍କରେ ପଞ୍ଚାୟତ ବାସିନ୍ଦା ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, ପାଟଣା ତହସିଲଦାର ଓ ସ୍ଥାନୀୟ ରାଜସ୍ବ ନୀରିକ୍ଷକଙ୍କୁ ସୂଚନା ଦେଇଛନ୍ତି।

Comments are closed.