ଢେଙ୍କିକୋଟରେ ଅଧାପନ୍ତରିଆ ଓଭରବ୍ରିଜ କାମ ଆରମ୍ଭ କେବେ

ପାଟଣା: ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟର ଅଧାପନ୍ତରିଆ ଓଭର ବ୍ରିଜ ଏବଂ ବଜାର ଅଞ୍ଚଳର ଦୁଇ ପାର୍ଶ୍ଵ ସେବା ମାର୍ଗ କାମ ଦୀର୍ଘ ପାଞ୍ଚ ବର୍ଷ ହେଲା ଆରମ୍ଭ ହୋଇପାରୁନାହିଁ। ଏହି କାମ କରାଯିବା ଦାବିରେ ସ୍ଥାନୀୟ ସରପଞ୍ଚ ଗୌରୀ ବାରିକ ଙ୍କ ସହ ବୁଦ୍ଧିଜୀବି ମାନେ ଦୁଇବର୍ଷ ତଳେ ଅନଶନ ଆରମ୍ଭ କରିବା ସମୟରେ ସେମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ କାମ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ କତୃପକ୍ଷ ପ୍ରତିଶ୍ରୁତି ରଖିଲେ ନାହିଁ। ଆଶ୍ଚର୍ଯ୍ୟର କଥା ଏହି ଯେ ବାରମ୍ବାର ଦୁର୍ଘଟଣା ଓ ଜୀବନ ହାନି ଯୋଗୁଁ ଢେଙ୍କିକୋଟ ଓଭରବ୍ରିଜ ରାସ୍ତାକୁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ବ୍ଲାକ ସ୍ପଟ ଅଞ୍ଚଳ ଚିହ୍ନଟ ସତ୍ବେ ଏହି କାମ ଆଜି ପର୍ଯ୍ୟନ୍ତ ଆରମ୍ଭ ହେଉନାହିଁ। ଢେଙ୍କିକୋଟ ଓଭରବ୍ରିଜ ୪ ଲେନ ବଦଳରେ ୨ ଲେନ ରହିଛି। ଅନ୍ୟ ପାର୍ଶ୍ଵଟି ଆଦୌ କାମ ହୋଇନାହିଁ। ଓଭରବ୍ରିଜ ରାସ୍ତାର ପାଖା ପାଖି ୫ ଶହ ମିଟର ୨ ଲେନ ରହିଛି।

ସେହିପରି ୧ କିଲୋମିଟରରୁ ଅଧିକ ଦୁଇ ପାର୍ଶ୍ଵ ସର୍ଭିସ ରୋଡ଼ ବା ସେବା ମାର୍ଗ କାମ ମଧ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଆଦେଶ ହେଉ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ହେଉ ସାଧାରଣ ଜନତାଙ୍କୁ ଏହି କଥା ଶୁଣିବାକୁ ଆଉ ଭଲ ଲାଗୁନଥିବା ଲୋକେ ମତ ଦେଉଛନ୍ତି। ସେବା ମାର୍ଗ କାମ ସରିନଥିବାରୁ ଯାତ୍ରୀବାହୀ ବସ ଏହି ରାସ୍ତାରେ ନଆସି ଓଭରବ୍ରିଜରେ ଯାତାୟାତ କରୁନଥିବାରୁ ଯାତ୍ରୀ ମାନେ ଖରା, ବର୍ଷା, ବଜ୍ରପାତ ସମୟରେ ମଧ୍ୟ ଓଭରବ୍ରିଜ ଉପରକୁ ଯାଇ ବସ ଧରୁଥିବାରୁ କତୃପକ୍ଷ ସମସ୍ୟାର ଗୁରୁତ୍ୱକୁ ଉପଲବ୍ଧି କରି ଢେଙ୍କିକୋଟରେ ରହିଥିବା ବଳକା କାମ ଯଥା ଶୀଘ୍ର ଶେଷ କରିବାକୁ ମତ ପ୍ରକାଶ ପାଇଛି।

Comments are closed.