ଘର ଦେବାକୁ ଭୁଲିଗଲା କି ପ୍ରଶାସନ, ପଲିଥିନ ତଳେ ରହୁଛନ୍ତି ପତ୍ନୀ ଓ ପୁତ୍ର

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳୀ ପଞ୍ଚାୟତ ଭୁଲୁଦା ଗ୍ରାମ ରାଜବନ୍ଧ ସାହିର ଭୁଲା ନାଏକ ଜଣେ ଗରୀବ ଶ୍ରମଜୀବି ହୋଇଥିବା ବେଳେ ତାଙ୍କୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିନଥିବା ଅଭିଯୋଗ ହୋଇଛି। ଏପରିକି ଭୁଲାଙ୍କ ତିନି ଜଣିଆ ପରିବାରକୁ ଜାତୀୟ ଖାଦ୍ୟ ସୁରକ୍ଷା ଅଥବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଜି ପର୍ଯ୍ୟନ୍ତ ପଡିକାର୍ଡ ଖଣ୍ଡିଏ ମିଳିନଥିବାରୁ ଅତ୍ୟନ୍ତ ଅସହାୟ ଭାବେ ଭୁଲା ନାଏକଙ୍କ ପରିବାର ପଲିଥିନ ମାରି ରହୁଛନ୍ତି। ଏବେ ଭୁଲା ନିଜ ଅଞ୍ଚଳରେ କାମ ଧନ୍ଦା ନପାଇ ବାହାର ଅଞ୍ଚଳରୁ ଦାଦନ ଖଟିବା ପାଇଁ ଯାଇଥିବା ବେଳେ ଅସୁରକ୍ଷିତ ପଲିଥିନ ଘରେ ଭୁଲାଙ୍କ ପତ୍ନୀ ଲିପ୍ତିମୟୀ ନାଏକ ଓ ତାଙ୍କର ଦୁଇ ବର୍ଷର ଶିଶୁ ପୁତ୍ର ଦିନ କାଟୁଛନ୍ତି।

ଗତ ହୁଡ଼ ହୁଡ ବାତ୍ୟାରେ ଭୁଲାଙ୍କ ଘର ଭାଙ୍ଗି ଯିବା ପରେ ସେ ପଞ୍ଚାୟତରେ ଘର ପାଇଁ ଗୁହାରୀ କରି କିଛି ସୁଫଳ ପାଇନଥିବା ଲିପ୍ତିମୟି କହିଛନ୍ତି। ଖବର ନେବାରେ ଜଣାପଡିଛି ଯେ ଭୁଲା ନାଏକ ଅନ୍ୟ ଜାତିରେ ବିବାହ କରିଥିବାରୁ ତାଙ୍କ ବାପା ତାଙ୍କୁ ନିଜ ଘରେ ପୁରାଉ ନଥିବା ବେଳେ ବାଧ୍ୟ ହୋଇ ଭୁଲା ନିଜ ଯାଗାରେ ପଲିଥିନ ମାରି ରହୁଥିଲେ। ବର୍ଷେ ହେଲା ଦାଦନ ଖଟିବାକୁ ଯାଇଥିବା ଭୁଲାଙ୍କ ଅନୁପସ୍ଥିତିରେ ତାଙ୍କ ପତ୍ନୀ ଓ ପିଲା ଏଭଳି ସ୍ଥିତିରେ ରହିବା କେତେ ଯୁକ୍ତିଯୁକ୍ତ ଓ ସରକାରଙ୍କ ମାଳ ମାଳ ଯୋଜନା କାହା ପାଇଁ ବୋଲି ପ୍ରଶ୍ନ ଉଠୁଥିବାରୁ ଜିଲ୍ଲାପାଳ ଘଟଣା ଉପରେ ନଜର ଦେବାକୁ ମତ ପ୍ରକାଶ ପାଇଛି।

Comments are closed.