କାହା ସ୍ୱାର୍ଥରେ ତରବରିଆ ଭାବେ ଠିକା ଭେଷଜ ବିଶେଷଜ୍ଞ ବହିଷ୍କୃତ ? 

ପାଟଣା :  ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଏଲୋପାଥିକ ଡାକ୍ତର ନାହାନ୍ତି । ଏପରିକି ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କୁ ମଧ୍ୟ ଏଠାରୁ ଅନ୍ୟତ୍ର ବଦଳି କରିଦିଆଯାଇଛି । ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ସହ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ପାଟଣାବାସୀ ଆନ୍ଦୋଳନ ଓ ଧାରଣା ଦେବା ପରେ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପଦରୁ ଅବସର ନେଇଥିବା ଜଣେ ଅଭିଜ୍ଞ ଭେଷଜ ବିଶେଷଜ୍ଞ ଡକ୍ଟର ଅର୍ଜୁନ ପଣ୍ଡାଙ୍କୁ ଏଠାରେ ଠିକା ନିଯୁକ୍ତି ଦିଆଯାଇଥିଲା। ଏପରିକି ଏହି ଅବଧିରେ ଏଠାରେ ନିଯୁକ୍ତ ଅନ୍ୟ ୨ ଜଣ ଠିକା ଡାକ୍ତର ସ୍ବଇଛାରେ ପାଟଣା ଛାଡ଼ିବା ପରେ ମଧ୍ୟ ଡ଼କ୍ଟର ପଣ୍ଡା ପାଖାପାଖି ୪ ବର୍ଷ ଧରି ଏଠାରେ କାର୍ଯ୍ୟ କରିଆସୁଥିଲେ। ଠିକା ନିଯୁକ୍ତି ଚୁକ୍ତିନାମା ଅନୁଯାୟୀ ବର୍ଷକ ମଧ୍ୟରେ ସେ ୩୦ ଦିନ ସବେତନ ଛୁଟି ପାଇବାକୁ ଯୋଗ୍ୟ ହୋଇଥିବା ବେଳେ ନିଜର ସ୍ବାସ୍ଥ୍ୟ ପରୀକ୍ଷା ଓ ଅନ୍ୟାନ୍ୟ କାରଣ ପାଇଁ ସେ ସେପ୍ଟେମ୍ବର ୧ ରୁ ୭ ଦିନ ପାଇଁ ଛୁଟି ନେଇଥିଲେ। ଆବଶ୍ୟକ ପଡ଼ିବାରୁ ସେ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛୁଟି ବଢ଼ାଇଥିଲେ। ଛୁଟି ନେଇଥିବା ସମ୍ପର୍କରେ ସେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷଙ୍କୁ ପ୍ରଥମେ ଦରଖାସ୍ତ ଦେଇଥିବା ଓ ପରେ ପରେ ଇ – ମେଲ କରିଥିବା ମଧ୍ୟ ଜଣାପଡିଛି । ଛୁଟି ପୂରିବା ପରେ ଅକ୍ଟୋବର ୧ରେ ସେ ଡାକ୍ତରଖାନାକୁ ଆସି ଖାତାରେ ଦସ୍ତଖତ ମାରିବା ସହ ନିଜ ପ୍ରକୋଷ୍ଠରେ ମଧ୍ୟ ରୋଗୀଙ୍କୁ ଦେଖିଥିଲେ। ତେବେ ରୋଗୀ ଦେଖୁଥିବା ସମୟରେ ତାଙ୍କ ମୋବାଇଲରେ ଏକ ମେସେଜ ଥିବା ହଠାତ୍ ଦେଖି ତାହା ପଢ଼ିବାରୁ ସେଥିରେ ତାଙ୍କ ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ତର ସୁଜାତା ରାଣୀ ମିଶ୍ର ସେପ୍ଟେମ୍ବର ୨୧ ରୁ ଚାକିରିରୁ ବହିଷ୍କୃତ କରିଥିବା ଜାଣିବାକୁ ପାଇଥିଲେ। ଏହି କାରଣରୁ ସେ ଆଉ ରୋଗୀ ନଦେଖି ଫେରିଯାଇଥିଲେ। ତେବେ ସେ ଛୁଟିରେ ଥିବା ସମୟରେ ୨୧ ତାରିଖରୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲେ ତାଙ୍କୁ ଅକ୍ଟୋବର ୧ ଯାଏଁ କେହି ସୂଚନା ଦେଇନଥିବା ପ୍ରକାଶ କରିବା ସହ ତାଙ୍କ ପ୍ରତି ଏଭଳି ଘଟଣା ଅପମାନ ଜନକ ବୋଲି ମତ ଦେଇଛନ୍ତି। ଏପରିକି ସେ ଛୁଟିରେ ଥିବା ବେଳେ ସିଡିଏମଓ ଏପରି ପଦକ୍ଷେପ ନେବା ପଛରେ ଯେଉଁ କାରଣ ରହିଛି ସେ ସମ୍ପର୍କରେ ସେ ସବିଶେଷ ଜିଲ୍ଲାପାଳଙ୍କୁ ଜଣାଇବା ସହ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଡକ୍ଟର ପଣ୍ଡାଙ୍କ ଅଭିଯୋଗ ଅନୁଯାୟୀ ପୂର୍ବତନ କେନ୍ଦୁଝର ସିଡିଏମଓ ତାଙ୍କୁ କେନ୍ଦୁଝର ଡକାଇ ମାସିକ ଦରମାରୁ ୨୦ ହଜାର ଟଙ୍କା ଦେବାକୁ କୁଆଡେ କହିଥିଲେ ଓ ସେ ଏହାକୁ ଗ୍ରହଣ ନକରିବାରୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ସେ କହିଛନ୍ତି ଡକ୍ଟର ପଣ୍ଡାଙ୍କର ପାଟଣା ଡାକ୍ତରଖାନାରେ ଏଇ ଅକ୍ଟୋବର ୧୦ କୁ ୪ ବର୍ଷ ପୂରଣ ହୋଇଥାନ୍ତା । ତେବେ ଚୁକ୍ତି ଶେଷ ହେବାର ୧୯ ଦିନ ପୂର୍ବରୁ ଯେଉଁପରି ଅପମାନଜନକ ଭାବେ ତାଙ୍କୁ ଚାକିରିରୁ ବହିଷ୍କୃତ କରଯାଇଛି ତାହା ତାଙ୍କ ସ୍ୱାଭିମାନରେ ଆଞ୍ଚ ଆଣିଥିବାରୁ ସେ ନ୍ୟାୟାଳୟର ଦ୍ବାରସ୍ଥ ହେବେ । ଘଟଣା ସମ୍ପର୍କରେ ସେ କେନ୍ଦୁଝରର ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଛି। ତେବେ ଘରୋଇ ସୂତ୍ରରୁ ସୂଚନା ମିଳିଛି ଯେ ପାଟଣାର କିଛି ଲୋକ ଡକ୍ଟର ପଣ୍ଡାଙ୍କ ବିରୋଧରେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିିତ୍ସାଧିକାରୀଙ୍କୁ କୁଆଡେ ଅଭିଯୋଗ କରିଥିଲେ। ତେବେ ସେ ଯାହା ହେଉନା କାହିଁକି ପାଟଣା ଡାକ୍ତରଖାନାକୁ ସରକାର ଅଥବା ପ୍ରଶାସନ ପକ୍ଷରୁ ବିଶେଷଜ୍ଞ ଡାକ୍ତର ଯୋଗାଇ ଦିଆଯାଉ ନଥିବାବେଳେ ଜଣେ ବରିଷ୍ଠ ଭେଷଜ ବିଶେଷଜ୍ଞ ଙ୍କୁ ରାତି ଅଧିଆ ବହିଷ୍କୃତ କରାଯିବାରେ କାହାର ସ୍ବାର୍ଥ ରହିଛି ତାହାର ଉପଯୁକ୍ତ ତଦନ୍ତ ସହ ଡକ୍ଟର ପଣ୍ଡାଙ୍କୁ ନ୍ୟାୟ ଦେବାକୁ ଦାବି ହେଉଛି ।

Comments are closed.