ଅରିନ୍ଦମ ଦାସଙ୍କୁ ଝୁରୁଛି ପାଟଣା ମାଟି

ପାଟଣା; ପାଟଣା ମାଟିର ଲଢ଼ୁଆ ସାମ୍ବାଦିକ ଅରିନ୍ଦମ ଦାସ (୩୯)ଙ୍କ ମୁଣ୍ଡୁଳିରେ ଜଳ ଦୁର୍ଘଟଣାରେ ଦୁଃଖଦ ମୃତ୍ୟୁ ପାଟଣା ଅଞ୍ଚଳରେ ଶୋକର ଲହରୀ ଖେଳାଇ ଦେଇଛି। ଜଣେ ଭଦ୍ର ବିନୟୀ ଯୁବକ ଭାବେ ପାଟଣା ଅଞ୍ଚଳ ନୁହେଁ ସମଗ୍ର କେନ୍ଦୁଝର ଜିଲ୍ଲାରେ ଅରିନ୍ଦମ ସୁପରିଚିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ହୋଇଥିଲା। ଦୁଃଖ ସଂଯୋଗର ବିଷୟ ଏହିକି ପୁଣ୍ୟତୋୟା ବୈତରଣୀ କୂଳ ରାଜନଗର ପଞ୍ଚାୟତ ରାଇକଳା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଅରିନ୍ଦମଙ୍କ ପିତା ଯୁଗଳ କିଶୋର ଦାସଙ୍କର ମଧ୍ୟ ୨୦୦୬ ମଇ ୨୮ ତାରିଖରେ ବିରୂପା ନଦୀ କୂଳରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏକ ବରଯାତ୍ରୀ ଦଳରେ ଯୁଗଳଙ୍କ କ୍ଵାଲିସ କାରକୁ ଏକ ଟ୍ରକ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ଅରିନ୍ଦମ ଯୋରନ୍ଦାର ସମୀକ୍ଷା ବେହେରାଙ୍କୁ ବିବାହ କରିଥିଲେ ଓ ତାଙ୍କର ଦେଢ଼ ବର୍ଷର ପୁଅ ଟିଏ ମଧ୍ୟ ରହିଛି। ଅରିନ୍ଦମ ଜଣେ ମେଧାବୀ ଛାତ୍ର ଥିଲେ। ତାଙ୍କ ବାପା ବ୍ୟାଙ୍କ ଅଧିକାରୀ ଥିବାରୁ ସେ ଡିଏନ ହାଇସ୍କୁଲରେ ପାଠ ପଢିବା ପରେ ଧରଣୀଧର ମହାବିଦ୍ୟାଳୟରେ ବି.କମ ପଢୁଥିବା ବେଳେ ସେ ମହାବିଦ୍ୟାଳୟର ସଭାପତି ମଧ୍ୟ ହୋଇଥିଲେ। ପରେ ଢେଙ୍କାନାଳରେ ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠ ସମାପ୍ତ ପରେ ଧରିତ୍ରୀରେ ଯୋଗ ଦେଇଥିଲେ। ପରେ ସେ ଓଟିଭିରେ ଯୋଗ ଦେଇଥିଲେ। ସେ ପିତାଙ୍କର ଏକମାତ୍ର ପୁତ୍ର ଥିଲେ।

ଅରିନ୍ଦମଙ୍କ ବିୟୋଗରେ ପାଟଣା ଅଞ୍ଚଳ ନୁହେଁ ସମଗ୍ର କେନ୍ଦୁଝର ଜିଲ୍ଲାରେ ଶୋକର ଲହରୀ ଖେଳି ଯାଇଛି। ଅରିନ୍ଦମଙ୍କ ବିୟୋଗରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ପାଟଣା ବିଧାୟକ ଜଗନ୍ନାଥ ନାଏକ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସଦର ବିଧାୟକ ମୋହନ ମାଝୀ, ମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ, ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ପୂର୍ବତନ ପାଟଣା ବିଧାୟକ ହୃଷୀକେଶ ନାଏକ ଓ କାହ୍ନୁ ଚରଣ ନାଏକ, କଂଗ୍ରେସ ନେତା ଇଂ ବିନୋଦ ବିହାରୀ ନାଏକ, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ, ପୂର୍ବତନ ସାଂସଦ ଅନନ୍ତ ନାୟକ, ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ, ବ୍ଲକ ବିଜେଡ଼ି ସଭାପତି ମାଧବାନନ୍ଦ ପୃଷ୍ଟି, ସମାଜସେବୀ ଅଖିଳଚନ୍ଦ୍ର ନାଏକ, ଯୁବନେତା ଦେବାଶିଷ ପାତ୍ର, ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରି ମମତା ସିଂହ, ସମାଜସେବୀ ଶରତ ଜ୍ୟୋତି କର, ଶତ୍ରୁଘ୍ନ ସିଂହ, କୁଳମଣୀ ମଣ୍ଡଳ, ଧରଣୀଧର ଦାସ ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲା ପ୍ରେସ କ୍ଲବ ଓ ଅନ୍ୟାନ୍ୟ ପ୍ରେସ କ୍ଲବ ପକ୍ଷରୁ ଅରିନ୍ଦମଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି।

Comments are closed.