୨୦ ନମ୍ବର ଜାତୀୟ ରାଜପଥ ପୁନଃ ନିର୍ମାଣ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ସବୁଜ ସଙ୍କେତକୁ ଜିଲାବାସୀଙ୍କ ସ୍ବାଗତ

ପାଟଣା : କେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ୍ ପୁରୁଣା ୨୧୫ ନମ୍ବର ଜାତୀୟ ରାଜପଥ ୪ଲେନ୍ ରେ ପରିଣତ ହେବା ପରେ  ପାଣିକୋଇଲି – ରିମୁଳି ରାସ୍ତା ୨୦ ନମ୍ବର ଜାତୀୟ ରାଜପଥକୁ ପଦୋନ୍ନତି ପାଇଥିଲା । ତେବେ ନିର୍ମାଣ ହୋଇଥିବା ୪ଲେନ  ଅଧାପନ୍ତରିଆ ରାସ୍ତା , ଓଭରବ୍ରିଜ ଓ ବଜାର ରାସ୍ତା କାମ ସମ୍ପୁର୍ଣ୍ଣ ହୋଇ ନଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ବେଲବାହାଳି ବ୍ରିଜ ଆଦି ମରଣଯନ୍ତା ପାଲଟିଥିଲା । ଅଧାପନ୍ତରିଆ ରାସ୍ତା ଓ ଅସମ୍ପୂର୍ଣ୍ଣ ଓଭରବ୍ରିଜ ଦୁର୍ଘଟଣାର କାରଣ ପାଲଟିଥିବା ବେଳେ ପ୍ରତି ମାସ ଏହି ରାସ୍ତାରେ ମୁଣ୍ଡ ଗଢ଼ିବା ସହ ଧନଜୀବନ ହାନି ହେଉଥିଲା । ଏହା ସତ୍ତ୍ୱେ ଲାଇଫ ଲାଇନ ମଧ୍ୟସ୍ଥ ହସନପୁର , ଖଣ୍ଟଘର ଓ ବନାଯୋଡିରେ ଏନ୍ଏଚ୍ କତ୍ତୃପକ୍ଷ ଟୋଲ ପ୍ଲାଜା କରି ନିୟମିତ ଟୋଲ ଟିକସ ଆଦାୟ କରି ଆସୁଛନ୍ତି । ରାସ୍ତା ଓ ଓଭରବ୍ରିଜର ଦୁରାବସ୍ତା ନେଇ ଦୈନିକ ସମାଜରେ ନିୟମିତ ବ୍ୟବଧାନରେ ଖବର ପ୍ରକାଶ ପାଇବା ପରେ ପୂର୍ବତନ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଜିଲ୍ଲାବାସୀଙ୍କର ଏହି ପ୍ରମୁଖ ଦାବି ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇବା ସହ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରୀ ଙ୍କୁ ଦାବିପତ୍ର ଦେଇଥିଲେ ।

ଦୁଇ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆଲୋଚନା ପରେ ୨୦ ନମ୍ବର ଜାତୀୟ ରାଜପଥର ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଯଥାଶୀଘ୍ର ସାରିବା ପାଇଁ ସବୁଜ ସଙ୍କେତ ମିଳିଛି । ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ୩ଶହ ୩୦କୋଟି ଟଙ୍କାର ଟେଣ୍ଡର କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି । ଏହି ପୁନଃ ନିର୍ମାଣ କାର୍ଯ୍ୟକୁ ଏଆରଏସ୍ଏସ୍ ନାମକ ଏକ ଠିକା ସଂସ୍ଥା କରିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ ନବେ ଦଶକର ପୁରୁଣା ପାଣିକୋଇଲି – ରିମୁଳି ରାସ୍ତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରୀତ୍ବ ସମୟରେ ୨୧୫ ନମ୍ବର ଜାତୀୟ ରାଜପଥ ଘୋଷିତ ହୋଇଥିବା ବେଳେ ତାଙ୍କ ସୁପୁତ୍ର ବର୍ତ୍ତମାନ ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ରାସ୍ତା ର ଦୁରାବସ୍ଥା ସମସ୍ୟା ର ସମାଧାନ ପାଇଁ ଆନ୍ତରିକତା ପ୍ରଦର୍ଶନ କରିଥିବାରୁ ଘଟଣାକୁ ଜିଲ୍ଲାବାସୀ ଙ୍କ ପକ୍ଷରୁ ସ୍ବାଗତ କରାଯାଇଛି ।

Comments are closed.