ଝାରବେଡା ଡକାୟତି ମାମଲା: ୭ ଗିରଫ

ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ଝାରବେଡା ଗ୍ରାମରେ ଗତ ଶୁକ୍ରବାର ରାତି କ୍ଷିରୋଦ କୁମାର ବେହେରାଙ୍କ ଘରେ ଡକାୟତି ଉଦ୍ୟମ କରି ଏଥିରେ ବିଫଳ ହେବା ପରେ କ୍ଷିରୋଦ ଓ ତାଙ୍କ ଝିଅଙ୍କ ମୁଣ୍ଡକୁ ବନ୍ଧୁକରେ ବାଡେଇ ଗୁରୁତର କରିବା ସହ ବାପ ଝିଅଙ୍କ ଦୁଇଟି ମୋବାଇଲ ନେଇ ଡକାୟତି ମାନେ ଫେରାର ହୋଇଯାଇଥିଲେ। ଏନେଇ ତୁରୁମୁଙ୍ଗା ଥାନାରେ ଅଭିଯୋଗ ହେବା ପରେ ଚମ୍ପୁଆ ଏସଡିପିଓ ହରିହର ପାଣି ଓ ତୁରୁମୁଙ୍ଗା ଥାନା ଅଧିକାରୀ ବରେନ୍ଦ୍ର ଶିଅଳ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ଏନେଇ ଥାନାରେ ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲେ।ପୁଲିସ ଡକାୟତି ଘଟଣାରେ ଏହି ମୋଟ ୭ ଜଣକୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ , ୩ଟି ଗୁଳି, ଗୋଟିଏ ଭୁଜାଲି, ଗୋଟିଏ ଦାଉଲି ଓ ୩ଟି ବାଇକ ଜବତ କରିଥିବା ବେଳେ ଦୁଇଟି  ମୋବାଇଲ ମଧ୍ୟ ଜବତ କରିଛି ।

ଆଜି ଘଟଣା ସମ୍ପର୍କରେ ତୁରୁମୁଙ୍ଗା ଥାନାରେ ଏସଡିପିଓ ହରିହର ପାଣି ଓ ଥାନା ଅଧିକାରୀ ବରେନ୍ଦ୍ର ଶିଅଳ ଏକ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ତୁରୁମୁଙ୍ଗା ଥାନା ଡୁମୁରିଗୋଡା ଗ୍ରାମର ଦୁଇ ଭାଇ ଚନ୍ଦନ ପାତ୍ର (୨୦) ଓ ଚନ୍ଦ୍ର ଶେଖର ପାତ୍ର (୨୧) ସମେତ ଏକାଧିକ ପେଶାଦାର ଲୁଟେରାଙ୍କ ଡକାୟତିରେ ସଂପୃକ୍ତି ଥିବା ଜଣାପଡିଛି । ଚନ୍ଦନ ପାତ୍ର ଝାରବେଡାର କ୍ଷିରୋଦ ବେହେରାଙ୍କ ଟ୍ରାକ୍ଟରରେ କାମ କରୁଥିବା ବେଳେ ଗତ ଶୁକ୍ରବାର ଦିନ ବ୍ୟାଙ୍କ ଅଫ ଇଣ୍ଡିଆରୁ ଉଠାଇଥିବା ପଚାଶ ହଜାର ଟଙ୍କାରୁ କ୍ଷିରୋଦ ତାଙ୍କ ଘରେ ଡୁମୁରିଗୋଡାର ଚନ୍ଦନକୁ ତାହାର ସାପ୍ତାହିକ ପାରିଶ୍ରମିକ ଦେବା ସମୟରେ ଟଙ୍କା ବିଡାକୁ ଦେଖି ଚନ୍ଦନର ମନ୍ଦବୁଦ୍ଧି ବାହାରି ଥିଲା । ସେହିଦିନ କ୍ଷୀରୋଦଙ୍କ ଘରୁ ଲୁଟ ଯୋଜନା ପାଇଁ ଅନ୍ୟ ସାଥି ମାନଙ୍କୁ ଡକାଇ ରାତି ଗୋଟାଏ ବେଳେ ଡକାୟତି ପାଇଁ ତାଙ୍କ ଘରେ ପଶିଥିବା ବେଳେ ଘର ଲୋକଙ୍କ ପାଟିରେ ଡରିଯାଇ ଲୁଟେରା ମାନେ କ୍ଷିରୋଦ ଓ ତାଙ୍କ ଝିଅର ମୋବାଇଲ ଛଡାଇନେବା ସହ ସେମାନଙ୍କ ମୁଣ୍ଡକୁ ବନ୍ଧୁକରେ କୁଟି ଆହତ କରିଥିଲେ । ତେବେ ଲୁଟି ନେଇଥିବା ମୋବାଇଲ ଦୁଇଟି ସେମାନଙ୍କୁ ଧରିବାରେ ପୁଲିସକୁ ଖୋରାକ ଯୋଗାଇ ଥିଲା । ତୁରୁମୁଙ୍ଗା ଓ ଚମ୍ପୁଆ ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରି ୭ଜଣ ଡକାୟତଙ୍କୁ ଧରିବା ସହ ମାରଣାସ୍ତ୍ର ମୋବାଇଲ ଓ ବାଇକ ଆଜି ଜବଦ କରିଥିବା ଏସଡିପିଓ ହରିହର ପାଣି ସୂଚନା ଦେଇଛନ୍ତି । ଗିରଫ ଡକାୟତ ମାନେ ତୁରୁମୁଙ୍ଗା ଥାନା ଡୁମୁରିଗୋଡା ଗ୍ରାମର ଚନ୍ଦନ ପାତ୍ର (୨୦) ଓ ତାଙ୍କ ଭାଇ ଚନ୍ଦ୍ର ଶେଖର ପାତ୍ର (୨୧) ଚମ୍ପୁଆ ଥାନା କୁଦଗାଡିଆ ସିପୁନ ବାରିକ (୨୨), ତୁରୁମୁଙ୍ଗା ଥାନା ତ୍ରିବିନ୍ଧା ଗ୍ରାମର ତ୍ରିନାଥ ମହାନ୍ତ (୩୦), ଘାଗରାବେଡା ଥାନା ମୟୂରଭଞ୍ଜ ଛେଳିଆନାଳର ପେଶାଦାର ଡକାୟତ ବିଶ୍ବଜିତ ଗିରି(୨୨) ,  ଘାଗରାବେଡା ଥାନା କୁଦାସାହିର ଗଣେଶ ଲାଗୁରି (୧୯),  ପଶ୍ଚିମ ସିଂହଭୂମି ଜିଲ୍ଲା ଜଗନ୍ନାଥପୁର ଥାନା ଛଣପଦାର ମୃତ୍ୟୁଞ୍ଜୟ ବେହେରା (୨୦) ବୋଲି ଜଣାପଡିଛି।  ଏହି ସମ୍ବାଦିକ ସମ୍ମିଳନୀରେ ଚମ୍ପୁଆ ଏସଡିପିଓ ହରିହର ପାଣି, ତୁରୁମୁଙ୍ଗା ଥାନା ଅଧିକାରୀ ବରେନ୍ଦ୍ର ଶିଅଳ ସବଇନ୍ସପେକ୍ଟର ଚିତ୍ରଗୁପ୍ତ ଚମ୍ପିଆ ଓ ଦୀନଦୟାଲ ମୋଦି ଉପସ୍ଥିତ ଥିଲେ । ଗିରଫ ବିଶ୍ବଜିତ ଗିରିଙ୍କ ନାମରେ ପୂର୍ବରୁ ଚମ୍ପୁଆ ଥାନାରେ ୫ଟି ମାମଲା ଓ ଝାଡଖଣ୍ଡ ଜଗନ୍ନାଥପୁର ଥାନାରେ ଗୋଟିଏ ମାମଲା ଥିବା ବେଳେ ସିପୁନ ବାରିକ ନାମରେ ପୂର୍ବରୁ ଚମ୍ପୁଆ ଥାନାରେ ମଧ୍ୟ ମାମଲା ଥିବା ଜଣାପଡିଛି ।

Comments are closed.