ବିଶ୍ବ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହେବ ପାତାଳୀ ଶ୍ରୀକ୍ଷେତ୍ର

ବୀରମହାରାଜପୁର : ପାତାଳୀ ଶ୍ରୀକ୍ଷେତ୍ର ବିଶ୍ବ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହେବ। ସରକାର ଏଥିପାଇଁ ପ୍ରୟାସ ଜାରି ରଖିଛନ୍ତି। ଆଜିକୁ ୧୬୦୦ ବର୍ଷ ତଳେ ମହାପ୍ରଭୂ ଏଠାରେ ୧୪୪ ବର୍ଷ ଧରି ପାତାଳୀ ହୋଇଥିଲେ। ଏଠାରୁ ଚତୁର୍ଦ୍ଧା ବିଗ୍ରହଙ୍କୁ ପୁରୀକୁ ନିଆଯାଇ ନବକଳେବର କରାଯାଇଥିଲା। ମହାପ୍ରଭୂ ସର୍ବଶକ୍ତିମାନ। ତାଙ୍କର ଇଚ୍ଛାହେଲେ ସବୁ କିଛି ସମ୍ଭବ ବୋଲି କହିଛନ୍ତି ରାଜ୍ୟ ପର୍ଯ୍ୟଟନ ଓ ଭାଷା ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।
ଷୋଡ଼ଶ ପାତାଳୀ ମହୋତ୍ସବ – ୨୦୨୧ର ପଞ୍ଚମ ସନ୍ଧ୍ୟାରେ ଆଜି ମୁଖ୍ୟଅତିଥଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ। ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ପାତାଳୀ ଟ୍ରଷ୍ଟ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ସଭାର ସଂଯୋଜନା କରିଥିବାବେଳେ ସମ୍ପାଦକ ଉତ୍ତର ପାତ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସଭାରେ ଆଜି ସନ୍ଧ୍ୟାର କଳାକାର ଶାଶ୍ଵତ ତ୍ରିପାଠୀଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା। ସଭା ଆରମ୍ଭରେ ସ୍କୁଲ ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ବୋଲିଥିଲେ।