ପ୍ରଧାନମନ୍ତ୍ରୀ କେୟାର୍‌ସ ପାଣ୍ଠିକୁ ୩୮ଲକ୍ଷ ଟଙ୍କା ଦେଲେ କମିନ୍‌ସ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ତଥା ଆଇପିଏଲ୍‌ ଦଳ କଲକାତା ନାଇଟ ରାଇଡର୍ସ (କେକେଆର୍‌)ର ଖ୍ୟାତନାମା ଦ୍ରୁତ ବୋଲର ପ୍ୟାଟ୍‌ କମିନ୍‌ସ ଭାରତରେ କୋଭିଡ୍‌-୧୯ ବିରୋଧରେ ଲଢ଼େଇରେ ନିଜକୁ ସାମିଲ କରିଛନ୍ତି। ସୋମବାର କମିନ୍‌ସ ପ୍ରଧାନମନ୍ତ୍ରୀ କେୟାର୍‌ସ ପାଣ୍ଠିକୁ ୫୦ ହଜାର ଆମେରିକୀୟ ଡଲାର (ପ୍ରାୟ ୩୮ ଲକ୍ଷ ଟଙ୍କା) ଦାନ କରିଛନ୍ତି। ଉକ୍ତ ଅର୍ଥରେ ଭାରତୀୟ ଡାକ୍ତରଖାନା ପାଇଁ ଅମ୍ଳଜାନ କିଣାଯାଉ ବୋଲି କମିନ୍‌ସ କହିଛନ୍ତି। ଏହାସହ ଆଇପିଏଲ୍‌ ଖେଳୁଥିବା ଅନ୍ୟ ଖେଳାଳି ମନଖୋଲି ପ୍ରଧାନମନ୍ତ୍ରୀ କେୟାର୍‌ସ ପାଣ୍ଠିକୁ ଦାନ କରିବାକୁ ଆହ୍ବାନ କରିଛନ୍ତି।
ତାଙ୍କ ଟ୍ବିଟର ପୃଷ୍ଠାରେ ପ୍ୟାଟ୍ରିକ୍ କମିନ୍‌ସ ଲେଖିଛନ୍ତି- ଭାରତ ଏପରି ଏକ ଦେଶ; ଯାହାକୁ ବର୍ଷବର୍ଷ ଧରି ଭଲ ପାଇଆସିଛି। ଏଠାକାର ଲୋକ ଅତ୍ୟନ୍ତ ଭଦ୍ର ଓ ଦୟାଳୁ। ଏବେ ଏ​‌େ​‌ତ ସଂଖକ ଭାରତୀୟ କରୋନା ସଂକ୍ରମଣରେ ଛଟପଟ ହେଉଥିବା ଦେଖି ମୁଁ ବହୁତ ମର୍ମାହତ। ଭାରତରେ କରୋନା ମହମାରୀ ସଂକ୍ରମଣ ଶିଖରରେ ଥିବା ବେଳେ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ବହୁତ ଆଲୋଚନା ଚାଲିଛି। ଅନେକେ ଆଇପିଏଲ୍‌ ସପକ୍ଷରେ ଥିବା ବେଳେ ଆଉ କିଛି ଏହି ଟ୍ବେଣ୍ଟି୨୦ ଲିଗ୍‌ର ଆୟୋଜନ ବିପକ୍ଷରେ ଅଛନ୍ତି। ଆଇପିଏଲ୍‌ ସମୟରେ ଲୋକେ ଘରେ ବନ୍ଦହୋଇ ରହିଥିବା ବେଳେ କିଛି ଘଣ୍ଟା ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଦେଖି ଉଲ୍ଲସିତ ହେଉଛନ୍ତି। ଏପରି ଭାବେ ଆମେ କୋଟିକୋଟି ଜନତାଙ୍କ ପାଖରେ ପହଞ୍ଚି ପାରୁଛୁ। ଏହାକୁ ମନରେ ରଖି ପ୍ରଧାନମନ୍ତ୍ରୀ କେୟାର୍‌ସ ପାଣ୍ଠିକୁ ଦାନକରିଛି। ଏହାସହ ଆଶାରଖିଛି ଯେ ଏହି ଅର୍ଥ ଡାକ୍ତରଖାନା ପାଇଁ ଅମ୍ଳଜାନ କିଣିବାରେ ଉପଯୋଗୀ ହେବ। ଭାରତୀୟମାନେ ଆମକୁ ଯେତିକି ଭଲପାଇବା ଦେଇଛନ୍ତି; ଏହାକୁ ଦେଖି ସାଥୀ ଆଇପିଏଲ୍‌ ଖେଳାଳି ଓ ଅନ୍ୟମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଯଥାସାଧ୍ୟ ଦାନକରନ୍ତୁ। ମୁଁ ୫୦୦୦୦ ଡଲାର ଦାନକରି ଏହାର ଶୁଭାରମ୍ଭ କରୁଛି। ସୂଚନାଯୋଗ୍ୟ; ଗତ ୨୪ ଘଣ୍ଟାରେ ଭାରତରେ ୩.୫୨ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଛନ୍ତି; ଯାହା ଗୋଟିଏ ଦିନରେ ଅଦ୍ୟାବଧି ବିଶ୍ବରେ ସର୍ବାଧିକ। ପୁଣି ଗତ ୨୪ ଘଣ୍ଟାରେ ୨୮୧୨ ଜଣ ପ୍ରାଣ ହରାଇଛନ୍ତି। ୨୦୨୦ରେ ୧୫.୫ କୋଟି ଟଙ୍କାରେ କଲକାତା ନାଇଟ୍‌ ରାଇଡର୍ସରେ ସାମିଲ ହୋଇଥିଲେ ଫାଷ୍ଟବୋଲର ପ୍ୟାଟ୍‌ କମିନ୍‌ସ।

Comments are closed.