୩୧୮ ସଂକ୍ରମିତ, ୩ ମୃତ – ଛୁଟିରେ ଯିବେ ୪୪୯ ବନ୍ଦୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କାରାଗାରରେ ଆବଶ୍ୟକତାଠାରୁ ଅଧିକ ବନ୍ଦୀ ରହୁଛନ୍ତି। କରୋନାର ପ୍ରଥମ ଲହରରେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ବନ୍ଦୀଙ୍କୁ ଅନ୍ୟ କାରାଗାର ତଥା ଉପକାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଦ୍ୱିତୀୟ ଲହରରେ ଅବସ୍ଥା ସାଂଘାତିକ ହୋଇଛି। ମିଳିଥିବା ସୂଚନା ଅନୁସାରେ ୩୧୮ ଜଣ କରୋନା ସଂକ୍ରମିତ ଥିବା ବେଳେ ଭୁବନେଶ୍ୱର ଝାରପଡା ସ୍ୱତନ୍ତ୍ର କାରାଗାରରେ ଥିବା ବନ୍ଦୀ ତ୍ରିପତି ମହାନ୍ତିଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଝାରପଡାକୁ ଛାଡି ପାଟଣାଗଡ ଜେଲ୍‍ରେ ଜଣେ ଓ ବୌଦ୍ଧ ଜେଲ୍‍ରେ ଜଣଙ୍କର ମୃତ୍ୟୁ ହୋଇଛି।

ସୁପ୍ରିମକୋର୍ଟ ମାର୍ଗଦର୍ଶିକା ଅନୁଯାୟୀ ଓଡିଶାର ବିଭିନ୍ନ କାରାଗାରରେ ଥିବା କଏଦୀଙ୍କ ମଧ୍ୟରୁ ୪୪୯ଜଣଙ୍କୁ ୯୦ଦିନିଆ ଛୁଟିରେ ଛଡାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ୧୨୮ଜଣଙ୍କୁ ଛଡାଯାଇଛି। ତୁରନ୍ତ ଅନ୍ୟମାନଙ୍କୁ ଛୁଟିରେ ଛାଡ଼ିବା ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସବୁ କାରାଗାର ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଯେଉଁ କାରାଗାରରେ ଚିକିତ୍ସା ଅଧିକାରୀ ନାହାନ୍ତି ଜିଲା ଚିକିତ୍ସାଧିକାରୀ, ଉପଜିଲାପାଳ କିମ୍ବା ମ୍ୟୁନିସିପାଲିଟି ଅଧିକାରୀଙ୍କ ସହ ଯୋଗାଯୋଗ କରି ବନ୍ଦୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ କାରାଗାର ମହାନିର୍ଦେଶକ ନିର୍ଦେଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ କାଗାରରେ କରୋନା ପରୀକ୍ଷା କରାଯାଇଛି। ବ ର୍ମାନ ସୁଦ୍ଧା ରାଜ୍ୟର ୮୭ଟି କାରାଗାରରୁ ବନ୍ଦୀ ସଂଖ୍ୟା ହ୍ରାସ ପାଇ ୧୯୭୦୭ରେ ପହଞ୍ଚିଛି। ଯେଉଁ କାରାଗାରରେ ଏହି ପ୍ରକ୍ରିୟା ଶେଷ ହୋଇନାହିଁ ସେଠାରେ ବିଚାରାଧୀନ ବନ୍ଦୀ ସମୀକ୍ଷା କମିଟି ଜରିଆରେ ତୁରନ୍ତ ଯୋଗ୍ୟ ବିବେଚିତ ବନ୍ଦୀଙ୍କୁ ଛୁଟିଦେବାର ବ୍ୟବସ୍ଥା କରାଯିବାକୁ କୁହାଯାଇଛି। ସେହିପରି ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦିଆଯାଇଥିବା ୬୦ବର୍ଷରୁ ଅଧିକ ବୟସ୍କ ସଜା ଭୋଗୁଥିବା ବନ୍ଦୀଙ୍କୁ ଛୁଟି ଦେବା କ୍ଷେତ୍ରରେ ଅଗ୍ରାଧିକାର ଦେବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁର କରାଯାଇଛି।

ରାଜ୍ୟର ବିଭିନ୍ନ କାରାଗାରରେ ୩୧୮ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ବହ୍ମପୁର ମଣ୍ଡଳ କାରାଗାରରେ ୭୦, କୋରାପୁଟରେ ୪, କଟକ ଚୌଦ୍ୱାର ୍‍ରେ ୨୮, ସମ୍ବଲପୁରରେ ୧୮୫ ଓ ବାରିପଦାରେ ୩୧ ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଯେଉଁ କାରାଗାରରେ କରୋନା ପରୀକ୍ଷା କରାଯାଇ ନାହିଁ ସେଠାରେ ପରୀକ୍ଷା କରାଇବା ପାଇଁ କର୍ତ୍ତୃପକ୍ଷ ପ୍ରଚେଷ୍ଟା ଚଳାଇଛନ୍ତି। ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ୧୨୦ ଜଣଙ୍କୁ କରୋନା ଟିକା ଦିଆସରିଛି। ସମସ୍ତଙ୍କର କୋଭିଡ୍‍ ପରୀକ୍ଷା ପାଇଁ ବିଏମ୍‍ସିକୁ ଚିଠି ଲେଖାଯାଇଥିବା ଜେଲ୍‍ ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି। ସୂଚନାଯୋଗ୍ୟଯେ, କେବଳ ବନ୍ଦୀ ନୁହଁନ୍ତି କିଛି ଅଧିକାରୀ ଓ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି। ସେ୍‍ଥି ମଧ୍ୟରୁ ଝାରପଡା ସ୍ୱତନ୍ତ୍ର କାରାଗାରର କାରାପାଳ ଓ ପୂର୍ବତନ ଅଧିକ୍ଷକ କରୋନା ସଂକ୍ରମିତ ଅଛନ୍ତି। କାରାଗାର ବିଭାଗର କର୍ତ୍ତୃପକ୍ଷ କରୋନା ଚିକିତ୍ସା, ଟିକାଦାନ ଓ ବିଶୋଧନ ଉପରେ ଗୁରୁତ୍ୱ ଦେଉଛନ୍ତି। ବର୍ତ୍ତମାନ ପ୍ରଥମ କାମ କରୋନା ମୁକାବିଲା ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Comments are closed.