ସଂସଦ ଅଚଳାବସ୍ଥା ଜାରି

ନୂଆଦିଲ୍ଲୀ: ପେଗାସସ୍‌ ଝଡ଼ ଯୋଗୁଁ ମଙ୍ଗଳବାର ୬ଷ୍ଠ ଦିନ ପାଇଁ ସଂସଦରେ ଅଚଳାବସ୍ଥା ଜାରି ରହିଥିଲା। ପେଗାସସ୍ ସ୍ପାଏୱେର ମାଧ୍ୟମରେ ସରକାରଙ୍କ ଗୁଇନ୍ଦା କାର୍ଯ୍ୟର ଆଲୋଚନା ଦାବିରେ ବିରୋଧୀ ସଦସ୍ୟମାନେ ଉଭୟ ଗୃହରେ ହୋହଲ୍ଲା କରିଥିଲେ। ଫଳରେ ଉଭୟ ଗୃହକୁ ବାରମ୍ବାର ମୁଲତବୀ ରଖାଯାଇଥିଲା। ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ ମାତ୍ରେ କଂଗ୍ରେସ ସଦସ୍ୟ ମଣିକାମ ଟାଗୋର ପୋଗସସ୍ ପ୍ରସଙ୍ଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଆଲୋଚନା ନିମନ୍ତେ ମୁଲତବୀ ନୋଟିସ ଦେଇଥିଲେ। ଦଳର ଅନ୍ୟତମ ସଦସ୍ୟ ମନୀଷ ତିୱାରୀ ମଧ୍ୟ ଏହା ଉପରେ ଆଲୋଚନା ପାଇଁ ମୁଲତବୀ ନୋଟିସ ଦେଇଥିଲେ। ଟିଏମସି ସଦସ୍ୟ କଲ୍ୟାଣ ବାନାର୍ଜୀ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଲୋଡିଥିଲେ। ପ୍ରଥମ ପର୍ଯ୍ୟାୟରେ ଲୋକସଭାକୁ ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା।

ପରେ ଅପରାହ୍ଣ ୧୨ଟା ୩୦, ଅପରାହ୍ଣ ୨ଟା, ୩ଟା, ୪ଟା ଓ ୪ଟା ୩୦ ଓ ଶେଷରେ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ହୋହଲ୍ଲା ସମୟରେ ଲୋକସଭାରେ ବିରୋଧୀ ସଦସ୍ୟମାନେ ‘ଖେଳ ହେବ’ ସ୍ଲୋଗାନ୍‌ ଦେଇଥିଲେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ବିଜେପି ବିରୋଧରେ ଶାସକ ତୃଣମୂଳ କଂଗ୍ରେସ ମୁଖ୍ୟ ‘ଖେଳ ହେବ’ (ଖେଲା ହବେ) ସ୍ଲୋଗାନ୍‌ ଦେଇଥିଲେ। ଏହି ସ୍ଲୋଗାନ୍‌କୁ ଏବେ ତୃଣମୂଳ କଂଗ୍ରେସ ଅନ୍ୟ ରାଜ୍ୟକୁ ପହଞ୍ଚାଇବାର ଲକ୍ଷ୍ୟ ରଖିଛି।

ରାଜ୍ୟସଭାରେ ମଧ୍ୟ ଏହି ପ୍ରସଙ୍ଗରେ ବିରୋଧୀ ଦଳ ହୋହଲ୍ଲା କରିଥିଲେ। ପେଗାସସ୍ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ସଦସ୍ୟଙ୍କ ଅନୁରୋଧକୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଅଗ୍ରାହ୍ୟ କରିବା ସହିତ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ୧୨ଟା ଗୃହକାର୍ଯ୍ୟ ପୁନର୍ବାର ଆରମ୍ଭ ସମୟରେ ମଧ୍ୟ ହୋହଲ୍ଲା ହୋଇଥିଲା। ଫଳରେ ଗୃହକୁ ମୁଲତବୀ ରଖାଯାଇଥିଲା। ହୋହଲ୍ଲା ମଧ୍ୟରେ ରାଜ୍ୟସଭାରେ ସାମୁଦ୍ରିକ ସହାୟତା ଓ ନାଭିଗେସନ ବିଧେୟକ ୨୦୨୧ ଗୃହୀତ ହୋଇଥିଲା।

Comments are closed.