ଶୀତଳ ଭଣ୍ଡାରରେ ମହିଳା ସୁରକ୍ଷା : ୭ ବର୍ଷ ପରେ ଆଇନ ସଂଶୋଧନ ନେଇ ସଂସଦରେ ଚର୍ଚ୍ଚା

ନୂଆଦିଲ୍ଳୀ : ହାଇଦରାବାଦ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ସୋମବାର ସଂସଦରେ ଉଦବେଗ ପ୍ରକାଶ ପାଇଛି। ସାଂସଦମାନେ ଅପରାଧିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ନିର୍ଭୟା କାଣ୍ଡର ପ୍ରାୟ ୭ ବ​ର୍ଷ ପରେ ସରକାର ସରକାର ଏ ସଂପର୍କୀତ ଆଇନରେ ସଂଶୋଧନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ହାଇଦରାବାଦ ବଳାତ୍କାର ଘଟଣାର ନିନ୍ଦା କରି ମହିଳାମାନଙ୍କ ବିରୋଧରେ ଅପରାଧକୁ ରୋକିବା ପାଇଁ କଠୋର ଦଣ୍ଡବିଧାନ କରିବା ଓ ନ୍ୟାୟିକ ତଥା ପୁଲିସ୍‍ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଆଜି ରାଜ୍ୟସଭାରେ ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳର ନେତାମାନେ ଦାବି କରିଛନ୍ତି । ରାଜ୍ୟସଭାରେ ଆଜି ଶୂନ୍ୟକାଳରେ ପ୍ରାୟ ସବୁ ଦଳର ନେତାମାନେ ଏ ବିଷୟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଅଧ୍ୟକ୍ଷ ଏମ୍‍. ଭେଙ୍କିୟା ନାଇଡୁ ଏଭଳି କାର୍ଯ୍ୟ ଉପରେ ଗଭୀର ଉଦବେଗ ପ୍ରକାଶ କରି କେବଳ ଆଇନ ପ୍ରଣୟନ ଯଥେଷ୍ଟ ନୁହେଁ ବୋଲି କହିଛନ୍ତି। ସେ କହିଛନ୍ତି, ହାଇଦରାବାଦ ଘଟଣା ଏକ ନିନ୍ଦନୀୟ ଘଟଣା ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ୍‍ କହିଛନ୍ତି। ଏଭଳି ଘୃଣ୍ୟ ତଥା ଜଘନ୍ୟ ଅପରାଧ ବିରୋଧରେ ସମଗ୍ର ଦେଶ ସ୍ୱର ଉତ୍ତୋଳନ କରିବା ଉଚିତ ଓ ଏଥିପାଇଁ କୌଣସି ଗୋଟିଏ ଦଳ ଦୋଷ ଦେବା ଉଚିତ ନୁହେଁ। ସେ କହିଛନ୍ତି, ଲୋକମାନଙ୍କୁ ସଚେତନ କରିବା ଅତ୍ୟନ୍ତ ଅପରିହାର୍ଯ୍ୟ। ସମାଜବାଦୀ ପାର୍ଟିର ଜୟା ବଚ୍ଚନ ହାଇଦରାବାଦ ଗଣ ବଳାତ୍କାର ଘଟିଥିବା
ଅଞ୍ଚଳରେ ମୁତୟନ ହୋଇଥିବା ନିରାପତ୍ତା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି। ଅପରାଧ ଘଟାଇଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଦାବୀ କରିଛନ୍ତି।
ଅକାଳୀ ଦଳର ନରେଶ ଗୁଜରାଲ୍‍ ଏଭଳି ଘଟଣାଗୁଡ଼ିକରେ ଅଦାଲତରେ ପଡ଼ିରହିଥିବା ମାମଲା ଓ ନ୍ୟାୟ ପ୍ରଦାନରେ ଘଟୁଥିବା ବିଳମ୍ବ ପ୍ରତି ଗୃହର ଦୃଷ୍ଟି ଆକର୍ଷଣ କରିଛନ୍ତି।
ସେହିପରି ଲୋକସଭାରେ ମଧ୍ୟ ଏହି ପ୍ରସଙ୍ଗକୁ ନିନ୍ଦା କରାଯିବା ସହ ସାଂସଦମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। କଠୋର ଆଇନ ପ୍ରଣୟନ ସହ ଅଭିଯୁକ୍ତମାନଙ୍କ ବିରୁଦ୍ଦରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ଗୃହକୁ ପ୍ରତିଶ୍ରୁତି ଦେଇଛନ୍ତି। ଅଭିଯୁକ୍ତମାନଙ୍କ ବରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । ଗୃହର ଭାବାବେଗ ସହ ସେ ଏକମତ ଏବଂ କଠୋର ଆଇନ ପ୍ରଣୟନ ଅବା ଆଇନରେ ସଂଶୋଧନ ନେଇ ବିସ୍ତୃତ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଥିବା ଶ୍ରୀ ସିଂହ କହିଛନ୍ତି ।

 

Comments are closed.