ଆଜିଠାରୁ ଖୋଲିବ ପାର୍କ

କଟକ: କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ସୋମବାରଠାରୁ ସହରରେ ବିଭିନ୍ନ ପାର୍କଗୁଡ଼ିକ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଦୁଇ ମାସରୁ ଅଧିକ ଦିନ ପାର୍କଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଥିଲା। ତେବେ କେତେକ କଟକଣା ମାନି ପାର୍କର ଲୋକେ ଭ୍ରମଣ କରିପାରିବେ। ପାର୍କର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସକାଳ ୭ଟାରୁ ୧୦ଟା ଏବଂ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ପାର୍କ ଖୋଲାଯିବ। ଏହି ସମୟ ମଧ୍ୟରେ ପାର୍କରେ ଭ୍ରମଣ କରୁଥିବା କୌଣସି ବ୍ୟକ୍ତି ପାର୍କରେ ଥିବା ଓପନ୍ ଜିମ୍କୁ ବ୍ୟବହାର କରିପାରିବେ ନାହିଁ କିମ୍ବା ଛୁଇଁପାରିବେ ନାହିଁ। ସେହିପରି ଦୋଳିରେ ମଧ୍ୟ ଝୁଲିବା ପାଇଁ ଅନୁମତି ଦିଆଯିବ ନାହିଁ। ପାର୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସହିତ ନିୟମ ଭଙ୍ଗ କଲେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ନିଗମ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।