ସୌର ପୃଷ୍ଠକୁ ଛୁଇଁଲା ‘ପାର୍କର ସୋଲାର ପ୍ରୋବ’

ୱାଶିଂଟନ,୧୫ା୧୨: ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ପ୍ରେରିତ ମହାକାଶ ଯାନ ‘ପାର୍କର ସୋଲାର ପ୍ରୋବ’ ଇତିହାସ ସୃଷ୍ଟି କରିଛି। ଏହା ଇତିହାସରେ ପ୍ରଥମ ଥର ସୂର୍ଯ୍ୟ ପୃଷ୍ଠକୁ ସ୍ପର୍ଶ କରିଛି। ନାସା ପକ୍ଷରୁ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଖବର ସହ ଚିତ୍ର ପ୍ରସାରଣ କରାଯାଇଛି। ‘ସୋଲାର ଡାଇନାମିକ୍ସ ଅବଜର୍‌ଭେଟୋରୀ’ ଦ୍ବାରା ଏହି ଚିତ୍ର ଉତ୍ତୋଳିତ ହୋଇଥିବା ନାସା ଦର୍ଶାଇଛି। ଆମେରିକାନ୍‌ ଜିଓ ଫିଜିକାଲ ୟୁନିୟନ ବୈଠକରେ ମଙ୍ଗଳବାର ମହାକାଶ ବିଜ୍ଞାନୀମାନେ ଏହି ସୂଚନା ଦେଇଛନ୍ତି। ସୌରମଣ୍ଡଳର କୋରୋନା ମଧ୍ୟ ଦେଇ ‘ପ୍ରୋବ୍‌’ ସୂର୍ଯ୍ୟକୁ ସ୍ପର୍ଶ କରିଥିବା ସେମାନେ ଦର୍ଶାଇଛନ୍ତି। ଗତ ଏପ୍ରିଲରେ ‘ପ୍ରୋବ’ ସପ୍ତମ ଥର ସୂର୍ଯ୍ୟଙ୍କ ଅତି ନିକଟତମ ହୋଇଥିଲା। ସୌରମଣ୍ଡଳରୁ ନିର୍ଗତ ବାୟୁର ଅଶାନ୍ତ ସୀମା ଅତିକ୍ରମ କରିବାବେଳେ ଏହା ସୂର୍ଯ୍ୟଙ୍କ କେନ୍ଦ୍ରରୁ ପ୍ରାୟ ୧୩ ନିୟୁତ କିଲୋମିଟର ଦୂରରେ ଯାତ୍ରା କରୁଥିଲା।

ଏହି ଅଭିଯାନ କାଳରେ ପ୍ରୋବ୍‌ ପ୍ରାୟ ୩ ଥର ସୂର୍ଯ୍ୟଙ୍କ କୋରୋନା ମଧ୍ୟକୁ ପ୍ରବେଶ କରିଛି। ପୂର୍ବରୁ ୨୦୧୯ରେ ସୌର ବାୟୁରେ ଚୁମ୍ବକୀୟ ତରଙ୍ଗ ଥିବା ସମ୍ପର୍କରେ ‘ପ୍ରୋବ’ ପ୍ରଥମ ଥର ତଥ୍ୟ ଦେଇଥିଲା। ନାସା ବୈଜ୍ଞାନିକ ଥୋମାସ ଜୁରବୁଚେନ୍ କହିଛନ୍ତି ଯେ ସେମାନେ ପ୍ରଥମେ ସୂର୍ଯ୍ୟଙ୍କୁ ସ୍ପର୍ଶ କରିବା ଗୌରବର ଅଧିକାରୀ ହୋଇଛନ୍ତି। ଏହା ଏକ ଅବିସ୍ମରଣୀୟ ମୁହୂର୍ତ୍ତ। ଆଗକୁ ସୌର ମଣ୍ଡଳ ଉପରେ ଚାଲିଥିବା ଗବେଷଣାକୁ ଅଧିକ ରୋମାଞ୍ଚକର କରିବ ବୋଲି ସେ କହିଛନ୍ତି। ୨୦୧୮ରୁ ସୌର ଅଭିଯାନ ଆରମ୍ଭ କରିଥିବା ପ୍ରୋବ ୨୦୨୫ରେ ଏହାର ଚୂଡାନ୍ତ ପରିକ୍ରମଣ କରିବା କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ପ୍ରେବ୍‌ ମହାକାଶ ଗବେଷଣା କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ସ୍ଥାପନା କରିବାର ଆଶା ରହିଛି।

Comments are closed.