ପାରିକୁଦ ଗଡ଼ରେ ଗର୍ଜିଲେ ପାଇକ, ସ୍ୱତନ୍ତ୍ର ପାଇକ ଭତ୍ତା ପାଇଁ ଜଣାଇଲେ ଦାବି

ପୁରୀ: ପୁରୀ ଜିଲା ଅନ୍ତର୍ଗତ ପାରିକୁଦ ଗଡ଼ଠାରେ ସ୍ବତନ୍ତ୍ର ପାଇକ ଭତ୍ତା ଦାବିରେ ଏକ ପାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାଇକ ବାହିନୀଙ୍କ କୁହାଟ, ଢାଲ ତରବାରୀ ପୁଣି ଇତିହାସ ପୃଷ୍ଠାରେ ଥିବା ପାଇକ ବିଦ୍ରୋହକୁ ମନେପକାଇଥିଲା। ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ପାରିକୁଦ ଗ୍ରସ୍ଥ କାର୍ଯ୍ୟକ୍ରମରେ ଏକ ପାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପ୍ରଥମେ କାଳଜୟୀ କବି ଡ଼ଃ ମାୟାଧର ମାନସିଂହଙ୍କ ସମାଧି ପିଠରେ ପୁଷ୍ପ ମାଲ୍ୟ ଅର୍ପଣ ପରେ ସେଠାରେ ବୀରବାଦ୍ୟର ତାଳେ ତାଳେ ପାଇକ ଗୁରୁ କିଶୋର କିଶୋରଙ୍କ ନେତୃତ୍ୱରେ ରଣବାଦ୍ୟ ନାଦ କରିଥିଲା। ପରେ ପାରିକୁଦ ଗାନ୍ଧି ଉଦୟନାଥ ଜେନାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ ପରେ ଶୋଭାଯାତ୍ରା ପାରିକୁଦଗଡ଼ ପର୍ଯ୍ୟନ୍ତ ଚାଲିଥିଲା। ପାରିକୁଦ ତିତିପଠାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ତିତିପ ବଡ଼ସାହିର ବର୍ଷିୟାନ ପାଇକଗୁରୁ କେଳୁ ଚରଣ ଜେନା ଓ ତିତିପ ସାନ ସାହିର ୯୪ବର୍ଷୀୟ ବିଶିଷ୍ଟ ଗୁରୁ ଦଣ୍ଡପାଣି ଜେନାଙ୍କୁ ପାଇକ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପଢୌକନ, ମାନପତ୍ର, ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଗୁରୁମାନଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା। ଏହିଠାରେ ଅନୁଷ୍ଠିତ ସମାବେଶରେ ବର୍ଷିୟାନ ପାଇକଗୁରୁ ଯେଉଁମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଶ୍ରେଷ୍ଠ ବିବେଚିତ ହୋଇଛନ୍ତି ଏବଂ ଶହ ଶହ ପାଇକ ବୀର ସୃଷ୍ଟିକରି ସମର କଳାକୁ ବଞ୍ଚେଇ ରଖିଛନ୍ତି ସେମାନେ ଆଜି ସରକାରୀ ଭତ୍ତାରୁ ବଞ୍ଚିତ ରହିଛନ୍ତି। ଦୁଃଖ, ଦାରିଦ୍ର୍ୟର ଜୀବନର ଶେଷ ପାହାଚରେ ପହଞ୍ଚି କାଳାତିପାତ କରୁଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ତୁରନ୍ତ ସ୍ୱତନ୍ତ୍ର ପାଇକ ଭତ୍ତା ପ୍ରଦାନ କରିବାକୁ ଦାବି କରାଯାଇଛି। ଏହି ସମାବେଶରେ ପାଇକ ମହାସଂଘ ଖୋର୍ଦ୍ଧା ଜିଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ରାଜ୍ୟ ସଂଯୋଜକ କେଦାର ଦାସ, ବର୍ଷିୟାନ ଗୁରୁ ଭାସ୍କର ସୁନ୍ଦରାୟ, କୃଷ୍ଣପ୍ରସାଦ ବ୍ଲକ ସଭାପତି ଦୁଃଶାସନ ଦାସ, ପ୍ରଫୁଲ ଜେନା, ପ୍ରମୁଖ ଯୋଗଦାନ କରିଥିଲେ। ପ୍ରଦୀପ କୁମାର ଜେନା ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।

Comments are closed.