ପରୀ ପ୍ରସଙ୍ଗକୁ ନେଇ ୧୪୭ ବିଧାନସଭାରେ ଜନ ଜାଗରଣ କରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର:ସାରା ରାଜ୍ୟରେ ଏବେ ଶିଶୁମାନେ ନିଖୋଜ ହେବାରେ ଲାଗିଛନ୍ତି। ଗତ ୪ ମାସ ତଳେ ନୟାଗଡରେ ୫ ବର୍ଷର ଶିଶୁ ପରୀକୁ କିଛି ଦୁର୍ବୃତ ଅପହରଣ କରି ହତ୍ୟା କରିଥଲେ। ଏହି ଘଟଣା ପରେ ଯାଜପୁର ମଧୁସୁଦନ ଗାଁର ୨ ବର୍ଷର ଝିଅ ପିହୁ କୁଆଡେ ନିଖୋଜ ହୋଇଛି। ପୁଣି ନୟାଗଡ ରଣପୁର ଥାନା ବଧିପାଟଣା ଗାଁର ୩ ବର୍ଷର ଝିଅ ସ୍ୱାତୀକୁ କିଛି ଦୁର୍ବୃତ ଅପହରଣ କରି ହତ୍ୟା କରିବା ଘଟଣା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଅଭିଯୋଗ କରିଛି ବିଜେପି ମହିଳା ମୋର୍ଚା ।

ଗତକାଲି ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ସ୍ମୃତି ପଟ୍ଟନାୟକ ନେତୃତ୍ୱରେ ମୋର୍ଚ୍ଚାର ୯ ଜଣିଆ ପ୍ରତିନିଧି ଦଳ ସରଜମିନ ତଦନ୍ତ କରିବା ପାଇଁ ଘଟଣାସ୍ଥଳକୁୁ ଘଟଣାକୁ ଅନୁଧ୍ୟାନ କରିବା ସହ ମୃତା ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି।  ରାଜ୍ୟ କାର୍ଯ୍ୟାଳୟର ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ନାବାଳିକା ସ୍ୱାତୀକୁ କିଛି ଦୁର୍ବୃତ ସ୍ୱାତୀକୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଛନ୍ତି। ଗାଁ ମୁଣ୍ଡ ପୋଖରୀରେ ସ୍ୱାତୀର ଭସା ଶବର ଜଣାପଡୁଛି କି, ତାକୁ ହତ୍ୟା କରି ପୋଖରୀର ଦଳକୁ ଆଡେଇ ଫିଙ୍ଗି ଦିଆଯାଇଛି। ମୃତା ସ୍ୱାତୀ ମୁହଁରେ କ୍ଷତ ଥିବା ସହ ଗାଲ ଏବଂ ଆଖିରୁ ରକ୍ତ ବାହାରୁଥିଲା। ପୋଲିସର ଅବହେଳା ଯୋଗୁଁ ଆଜି ଆଉ ଏକ ଶିଶୁ ହତ୍ୟାର ଶିକାର ହୋଇଛି। ଏହି ଘଟଣାରେ ମୃତା ସ୍ୱାତୀକୁ ହତ୍ୟାକରିଥିବା ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ସହ ଏହି ହତ୍ୟାକାଣ୍ଡର ତଦନ୍ତଭାର ସିବିଆଇକୁ ଦେବା ପାଇଁ ପ୍ରତିନିଧି ଦଳ ଦାବି କରିଛି।

ଓଡିଶାରେ ପ୍ରତ୍ୟେକ ଦିନ ଏପରି ଘଟଣା ସାମ୍ନାକୁ ଆସୁଛି। ପୋଲିସ ନିଷ୍କ୍ରିୟତା ଯୋଗୁଁ ନିଖୋଜ ଶିଶୁର ପରିବାର ଲୋକ ନ୍ୟାୟ ପାଇବାରୁ ବଂଚିତ ରହୁଛନ୍ତି। ଗତ ୨ ବର୍ଷରେ ରାଜ୍ୟରେ ୪ ହଜାରରୁ ଊର୍ଦ୍ଧ୍ବ ଶିଶୁ ନିଖୋଜ ଅଛନ୍ତି। ମୁଖ୍ୟମନ୍ତ୍ରୀ କେବଳ ବିଧାନସଭାରେ ଦୁଃଖିତ କହି ରହିଗଲେ ହେବ ନାହିଁ। ନିରିହ ଶିଶୁମାନଙ୍କୁ ଅପହରଣ ଓ ହତ୍ୟା କରୁଥିବା ଅଭିଯୁକ୍ତଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ପାଇଁ ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି।
ସରକାର କେବଳ ନିଜ ଲୋକଙ୍କୁ ଘଂଟ ଘୋଡାଇବା ପାଇଁ ହାତ ଗୋଡ ବାନ୍ଧିକି ବସିଛି। ଏ ସରକାର ମହିଳା ଏବଂ ନାବାଳିକାଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ଥିଲା ଏବେ ଶିଶୁଙ୍କୁ ବି ସୁରକ୍ଷା ଦେଇପାରୁନାହାଁନ୍ତି ରାଜ୍ୟସରକାର। ପରୀ ହତ୍ୟାକାଣ୍ଡ ଘଟଣାରେ ପୀଡିତା ପରିବାରକୁ ନ୍ୟାୟ ମିଳିନଥିବାବେଳେ ସମାନ ଢଙ୍ଗରେ ସେହି ଜିଲ୍ଲାରେ ଆଉ ଏକ ୩ ବର୍ଷ ଝିଅ ସ୍ୱାତୀର ଅପହରଣ ଓ ହତ୍ୟା ସରକାରଙ୍କ ନିଷ୍କ୍ରିୟତାକୁ ପ୍ରମାଣ କରୁଛି।

ଆଗାମୀ ଦିନରେ ପରୀକୁ ନ୍ୟାୟ ଦେବା ପାଇଁ ଭୁବନେଶ୍ୱରରୁ ଡିସେମ୍ବର ୨୦ତାରିଖରୁ ବିଶାଳ ପଦଯାତ୍ରା ଆରମ୍ଭ କରାଯିବ। ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ୧୪୭ ବିଧାନସଭାରେ ଜନଜାଗରଣ କରାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ ଚେତାବାନୀ ଦେଇଛନ୍ତି।
ପରୀ ହତ୍ୟା ଘଟଣାରେ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ଅଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି। ପରୀକୁ ନ୍ୟାୟ ଦେବା ପାଇଁ ଯଦି ରାଜ୍ୟ ସରକାରଙ୍କ ଆନ୍ତରିକତା ଅଛି ତେବେ ଏବି ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦିଆଯାଉ ଏବଂ ମୁଖ୍ୟ ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲିଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ ଏବଂ ମହିଳାମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

 

Comments are closed.