‘ପରୀ’ର ପୃଥିବୀ

‘ପରୀ’ମାନଙ୍କୁ ସୁରକ୍ଷିତ ରଖିବା ଦାୟିତ୍ବ ଆମ ସମସ୍ତଙ୍କର

ପରୀ। ଗତ କେଇଦିନ ଧରି ଓଡ଼ିଶାର ଜନମାନସକୁ ଏଇ ନାଁଟି ଆଚ୍ଛନ୍ନ କରିରଖିଛି। ନୟାଗଡ଼ର ପାଞ୍ଚ ବର୍ଷର ସେଇ ନିରୀହ କୁନିଝିଅଟିକୁ ବର୍ବର ଲୋକେ ଯେପରି  ଅପହରଣ ଓ ହତ୍ୟା କରିଛନ୍ତି, ତାହା ଯେକୌଣସି ସମ୍ବେଦନଶୀଳ ମଣିଷର ହୃଦୟତନ୍ତ୍ରୀକୁ ଥରାଇଦେବ। ୧୪ ଜୁଲାଇ ୨୦ରେ ପରୀ ନିଖୋଜ ହେବା ସମ୍ପର୍କରେ ତା’ର ପିତାମାତା ଥାନାରେ ଏତଲା ଦେଇଥିଲେ; କିନ୍ତୁ ସେ ନେଇ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ କଲା ନାହିଁ। ନିଖୋଜ ହେବାର ପନ୍ଦର ଦିନ ପରେ ଏକ ଅଖାରେ ଥିବା ତା’ର ଗଳିତ ଶବ ଉଦ୍ଧାର କରାଗଲା। ପରୀ ପିତାମାତା ନ୍ୟାୟ ପାଇବାପାଇଁ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିବା ପରେ ହିଁ ଦୁଃଖଦ ‘ପରୀ’ କାହାଣୀ ଲୋକଙ୍କ ସାମ୍ନାକୁ ଆସିଥିଲା। ଏହି ଘଟଣା ପରଠାରୁ ପରୀ ପିତାମାତା କେବଳ କନ୍ୟା ହରାଇବାର ଦୁଃଖ ଭୋଗୁନାହାନ୍ତି, ଆର୍ଥିକ ଦୁରବସ୍ଥା ମଧ୍ୟ ତାଙ୍କୁ ଅସହାୟ କରିଦେଇଛି। ଏ ଖବର ଯେତିକି ମର୍ମାନ୍ତିକ, ସରକାରଙ୍କ ପାଇଁ ମଧ୍ୟ ବଡ଼ ଚେତାବନୀ। ପରୀ କାହାଣୀ ଜନମାନସକୁ ଆନ୍ଦୋଳିତ କରୁଥିବାବେଳେ ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସର ଗରମ। ସରକାର ଓ ବିରୋଧୀ ମୁହାଁମୁହିଁ। ବିରୋଧୀ ଦଳଗୁଡ଼ିକ ସଂପୃକ୍ତ ବିଭାଗର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର ଇସ୍ତଫା ଦାବି କରିଛନ୍ତି। ଅନ୍ୟ ସବୁ ଘଟନା ପରି ଦଳ-ଦଳ ଭିତରେ କାଦୁଅ ଫିଙ୍ଗାଫିଙ୍ଗି।

ଏବେ ଏହି ମାମଲା ଏସ୍‌ଆଇଟିର ତଦନ୍ତାଧୀନ। ଏହାସତ୍ତ୍ବେ ସିବିଆଇ ତଦନ୍ତ କରିବାକୁ ଦାବି ହୋଇଛି। କୁହାଯାଉଛି ଯେ କ୍ରାଇମ୍‌ବ୍ରାଞ୍ଚ ଏହି ଘଟଣାର ଠିକ୍‌ ତଦନ୍ତ କରିପାରିବ ନାହିଁ। ଘଟଣାକ୍ରମକୁ ଦେଖିଲେ ମନେହେଉଛି ଯେ ପୁଲିସ ତା’ର ଦାୟିତ୍ବ ଯେପରି ନିର୍ବାହ କରିବା କଥା, ତାହା ମୂଳରୁ ହିଁ କରିନାହିଁ। ସାଧାରଣତଃ ପୁଲିସର ଚରିତ୍ର ଏପରି ବୋଲି ଯେଉଁ ଧାରଣା ରହିଛି, ଏହି ଘଟନାରେ ମଧ୍ୟ ତାହା ପ୍ରତିଫଳିତ ହୋଇଛି। ଦୀର୍ଘଦିନ ପରେ ମଧ୍ୟ ପୁଲିସ ଏ ପର୍ଯ୍ୟନ୍ତ ଅପରାଧୀମାନଙ୍କୁ ଧରିବାରେ ସମର୍ଥ ହୋଇନାହିଁ। ପରୀର ପିତାମାତା ଏତଲା ଦେବା ସଙ୍ଗେସଙ୍ଗେ ପୁଲିସ ଯଦି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥା’ନ୍ତା, ତେବେ ହୁଏତ ବର୍ତ୍ତମାନ ସ୍ଥିତି ଭିନ୍ନ ହୋଇଥା’ନ୍ତା। କେବଳ ଏହି ଘଟନା ନୁହେଁ, ଅପହୃତ ଶିଶୁଙ୍କୁ ଖୋଜିବା କ୍ଷେତ୍ରରେ ଓଡ଼ିଶା ପୁଲିସର ରେକର୍ଡ ଆଦୌ ଭଲ ନୁହେଁ। ଏ କ୍ଷେତ୍ରରେ ଦେଶରେ ଏହା ସବୁଠୁ ପଛରେ ବୋଲି ତଥ୍ୟ କହୁଛି। ଏହି କାରଣରୁ ପରୀ ଭଳି ଝିଅମାନଙ୍କୁ ଅପରାଧୀମାନେ ଅପହରଣ କରି ହତ୍ୟା କରିବାରେ ସମର୍ଥ ହେଉଛନ୍ତି।

ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ (ଏନ୍‌ସିଆର୍‌ବି)ର ତଥ୍ୟ ଅନୁସାରେ, ୨୦୧୫ରୁ ୨୦୧୯ ମଧ୍ୟରେ ରାଜ୍ୟର ବିଭିନ୍ନ ଥାନାରେ ଦିଆଯାଇଥିବା ଏତଲା ସଂଖ୍ୟା ୭୫ ଶତାଂଶ ବଢ଼ିଛି। ପ୍ରତିବର୍ଷ ଶିଶୁ ଅପହରଣର ଏହି ସଂଖ୍ୟା ଯେପରି ବୃଦ୍ଧି ପାଉଛି, ତାହା ଖୁବ୍‌ ଉଦ୍‌ବେଗଜନକ। ତଥ୍ୟ କହୁଚି ଯେ ୨୦୧୫ରେ ନିଖୋଜ ଶିଶୁଙ୍କ ସଂଖ୍ୟା ୧,୮୦୭ ଥିଲାବେଳେ ୨୦୧୯ରେ ଏହା ୩,୧୫୧ରେ ପହଞ୍ଚିଥିଲା; କିନ୍ତୁ ଏହି ସମୟ ଭିତରେ କେବଳ ୨୦୧୭କୁ ଛାଡ଼ିଦେଲେ ଅନ୍ୟବର୍ଷ ପୁଲିସ ଅପହୃତ ଶିଶୁଙ୍କୁ ଠାବ କରିବା କ୍ଷେତ୍ରରେ ସଂପୂର୍ଣ୍ଣ ବିଫଳ ହୋଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ; କାରଣ ଏପରି ଠାବ କରାଯାଇଥିବା ଶିଶୁଙ୍କ ସଂଖ୍ୟା ଥିଲା ମାତ୍ର ଦଶ ଶତାଂଶ। ୨୦୧୫ରେ ପୂର୍ବବର୍ଷ ସହ ମିଶାଇ ୪,୫୮୮ ଜଣ ଅପହୃତ ଶିଶୁଙ୍କୁ ଖୋଜିବାପାଇଁ ପୁଲିସ ଯୋଜନା କରିଥିବାବେଳେ ପାଇଥିଲା ମାତ୍ର ୬୯୮ ଜଣଙ୍କୁ।  ସେହିପରି ୨୦୧୬ରେ ମୋଟ ୫,୭୯୧ ଜଣଙ୍କୁ ଖୋଜିବାକୁ ଯାଇ ମାତ୍ର ୧୦.୨ ଶତାଂଶ ଶିଶୁଙ୍କୁ ଠାବ କରିପାରିଥିଲା। ଏହା ଦେଶରେ ଥିଲା ସର୍ବନିମ୍ନ। ସେହିପରି ୨୦୧୮ରେ ୨,୩୨୬ଟି ଅପହରଣ ମାମଲା ରୁଜୁ ହୋଇଥିବାବେଳେ ପୂର୍ବବର୍ଷ ସହ ମିଶାଇ ଏହି ସଂଖ୍ୟା ପହଞ୍ଚିଥିଲା ୩,୪୯୧ରେ। ତନ୍ମଧ୍ୟରୁ ପୁଲିସ ୧,୧୩୯ଟି (୩୨.୬ ଶତାଂଶ) ମାମଲାରେ ସଫଳତା ହାସଲ କରିଥିଲା। ୨୦୧୯ରେ ମୋଟ ୫,୫୦୩ ଜଣ ଅପହୃତଙ୍କ ମଧ୍ୟରୁ ୧,୪୯୦ ଜଣଙ୍କୁ (୨୭.୧ ଶତାଂଶ) ପୁଲିସ ଠାବ କରିଥିଲା। ଏହା ମଧ୍ୟ ଥିଲା ଦେଶର ସର୍ବନିମ୍ନ। କେବଳ ୨୦୧୭ରେ ପୁଲିସ ଏ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା। ସେହିବର୍ଷ ତା’ର ସଫଳତା ହାର ଥିଲା ୮୪.୪ ଶତାଂଶ। ପ୍ରାୟ ୬,୨୮୧ ଜଣ ଅପହୃତ ଶିଶୁଙ୍କୁ ଖୋଜି ସେମାନଙ୍କ ପରିବାରକୁ ସମର୍ପି ଦେଇଥିଲା।

ଅପହୃତ ଶିଶୁଙ୍କୁ ଠାବ କରିବା ପାଇଁ ଓ ସେମାନଙ୍କର ସହାୟତା ନିମନ୍ତେ ‘ଅପରେସନ ମୁସ୍‌କାନ’ ଓ ‘ଅପରେସନ ସ୍ମାଇଲ୍‌’ ଭଳି ଯୋଜନା ଚଳାଇ ରଖିଥିଲେ ହେଁ ତାହା ସେପରି ସଫଳ ହୋଇଥିବା ଦେଖାଯାଉନାହିଁ। ତେଣୁ ଏ ନେଇ ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ନିଜର ଯୋଜନା, ନୀତି ଓ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ପୁଲିସକୁ ଏ କ୍ଷେତ୍ରରେ ଅଧିକ କ୍ରିୟାଶୀଳ ଓ ଦକ୍ଷ କରାଯିବା ଜରୁରୀ।  କେରଳଠାରୁ ଆମେ ଶିକ୍ଷା ଗ୍ରହଣ କରିପାରିବା। ସେଠାକାର ପୁଲିସ ଅପହୃତ ଶିଶୁଙ୍କୁ ଠାବ କରିବା କ୍ଷେତ୍ରରେ ପ୍ରାୟ ୯୪ ଶତାଂଶ ସଫଳତା ହାସଲ କରିଛି।

ନିରୀହ ପରୀମାନଙ୍କୁ ନେଇ ରାଜନୀତି କରାନଯାଉ। ଈଶ୍ବରଙ୍କ ସବୁଠୁ ସୁନ୍ଦରତମ ସୃଷ୍ଟି ‘ପରୀ’ମାନଙ୍କୁ ସୁରକ୍ଷିତ ରଖିବାର ଦାୟିତ୍ବ ଆମ ସମସ୍ତଙ୍କର। ଯଦି ସେଥିରେ ଅବହେଳା କରିବା, ଆମ ଭିତରୁ ପରୀମାନଙ୍କ ଅସ୍ତିତ୍ବ ଏମିତି ହଜିହଜି ଯାଉଥିବ। ବିଶ୍ବବିଖ୍ୟାତ ପରୀ କାହାଣୀର ଲେଖକ ହାନ୍ସ ଆଣ୍ଡର୍‌ସନଙ୍କ ଉକ୍ତି ସ୍ମରଣଯୋଗ୍ୟ: “ପ୍ରତ୍ୟେକ ମନୁଷ୍ୟର ଜୀବନ ଈଶ୍ୱରଙ୍କ ହସ୍ତଲିଖିତ ଗୋଟିଏଗୋଟିଏ ପରୀ କାହାଣୀ। ଶିଶୁଟିର ହସ ଶହେ ଖଣ୍ଡରେ ବିଭକ୍ତ ହୋଇଯାଏ, ଆଉ ସେଥିରୁ ଜନ୍ମ ନିଅନ୍ତି ଜଣେଜଣେ ପରୀ। ଆମେ ଯେତେବେଳେ ସେହି ପରୀର ଅସ୍ତିତ୍ୱକୁ ଅବିଶ୍ୱାସ କରିବାକୁ ଆରମ୍ଭ କରୁ, ଜଣକ ପରେ ଜଣେ ପରୀର ମୃତ୍ୟୁ ଘଟେ।”

Comments are closed.